Unknown

 

 

 

 

 

 

 

 

 

 

ଫାଶୀ

ମୂଳ ଲେଖକ : ଭିକ୍ଟର ହ୍ୟୁଗୋ

ଅନୁବାଦ : ଯତୀନ୍ଦ୍ର କୁମାର ଦାସ

 

 

 

 

 

 

 

 

 

 

 

ପ୍ରସିଦ୍ଧ ଫରାସୀ ଔପନ୍ୟାସିକ

ଭିକ୍ଟର ହ୍ୟୁଗୋଙ୍କ

ଫାଶୀ

 

ଫାଶୀ !

 

ପାଞ୍ଚ ସପ୍ତାହ ହେଲା କେବଳ ଏଇ କଥାହିଁ ଭାବୁଚି । ଦିନରାତି ମୁଁ ଏକାକୀ ରହୁଚି । ଏକାକୀ ମଧ୍ୟ ମରଣର ହିମ ସ୍ପର୍ଶ ଅନୁଭବ କରୁଚି । ମୋର ବେକକୁ କିଏ ଯେପରି ଦଉଡ଼ିରେ ବାନ୍ଧି ରଖିଚି ।

 

କିନ୍ତୁ ସବୁବେଳେ ମୁଁ ଏପରି ନଥିଲି । ମାତ୍ର କେତେଦିନ ତଳେ ମୁଁ ସାଧାରଣ ମନୁଷ୍ୟପରି ସ୍ୱାଧୀନ ଥିଲି । ପ୍ରତିଦିନ ପ୍ରତି ମୁହୂର୍ତ୍ତ ସ୍ୱାଧୀନ ଭାବରେ ମୁଁ ଜୀବନଯାପନ କରୁଥିଲି । ମୋର ମନ ବି ସେହିପରି ସ୍ୱାଧୀନ ଥିଲା । ମୋର ତରୁଣ ନିର୍ମଳ ମନ ଏକ ରଙ୍ଗୀନ ନିଶାରେ ବିଭୋର ରହୁଥିଲା । ନିୟମହୀନ, ବନ୍ଧନହୀନ, ବାଧାହୀନ ଜୀବନର କଳ୍ପନା ମତେ ଉନ୍ମତ୍ତ କରି ତୋଳୁଥିଲା ।

 

ରୂପସୀ ତରୁଣୀ, ବିଳାସୀ ରଙ୍ଗମଞ୍ଚ ଥିଲା ମୋ ଜୀବନର ଲକ୍ଷ୍ୟ । ରାତ୍ରୀର ଉତ୍ତରୀ ତଳେ ସୁକୁମାରୀ ଯୁବତୀମାନଙ୍କ ବାହୁବନ୍ଧନ ମଧ୍ୟରେ ମୋ ଦିନ ସୁଖରେ ବିତିଯାଉଥିଲା । ସ୍ୱାଧୀନ ଥିଲା ମୋର ଚିନ୍ତା ଏବଂ ମୁଁ ନିଜେ ସ୍ୱାଧୀନ ଥିଲି ।

 

କିନ୍ତୁ ଆଜି ? ମୁଁ ବନ୍ଦୀ, ଜେଲଖାନାର କଏଦୀ । ଶୃଙ୍ଖଳାବଦ୍ଧ, କାରାଗାର ନିବାସୀ ଜଣେ କଏଦୀ । କାରାଗାରର ଅଭ୍ୟନ୍ତରପରି ମୋର ମନ ଅନ୍ଧକାରାଚ୍ଛନ୍ନ । ମୋର ଚତୁର୍ଦ୍ଦିଗରେ ଭାସିବୁଲୁଚି ଏକ ଭୟାବହ ହତ୍ୟାକଳଙ୍କର ଛାୟା । ଏବେ ଆଉ କୌଣସି ଚିନ୍ତା ମନରେ ନାହିଁ–ଦିନରାତି କେବଳ ଗୋଟିଏ ଚିନ୍ତା, ଫାଶୀ, ପ୍ରାଣଦଣ୍ଡ !

 

ଅଶରୀରୀ ଛାୟାପରି ଏହି ଚିନ୍ତା ମତେ ଆବୋରି ବସିଚି । ଆଉ ଅନ୍ୟ କଥା ଭାବିବାକୁ ସମୟ କାହିଁ ? ମୁଁ ତ ଚାହୁଁଚି ସବୁ ଭୁଲିଯିବାକୁ, କିନ୍ତୁ ଭୁଲି ପାରୁଚି କିପରି ? ନିଷ୍ଫଳ, ବ୍ୟର୍ଥ ପ୍ରୟାସ-। ସେହି ଚିନ୍ତାର ନିଷ୍ଠୁର ନିର୍ମମ ସ୍ପର୍ଶରୁ ମୁହୂର୍ତ୍ତକ ପାଇଁ ମଧ୍ୟ ନିସ୍ତାର ନାହିଁ ।

 

ତା’ର ରକ୍ତ-ଚକ୍ଷୁରେ ସେ ଯେପରି ମତେ ଦେଖିବାରେ ଲାଗିଚି । କିଏ ଯେପରି ମୋର ଚତୁର୍ଦ୍ଦିଗରେ ଏକ କରୁଣ ରାଗିଣୀ ଗାଉଚି ଏବଂ କାହାର ତୀବ୍ର ହସ ବେଳେବେଳେ ଯେପରି ଭାସି ଆସୁଚି ! ଜେଲଖାନାର ଝରକା ପାଖରେ ଏଁ….ଏ କାହାର ? ଏ କାହାର ଆଖି ? ମୃତ୍ୟୁର ? ପ୍ରେତପରି ମୋର ଚତୁର୍ଦ୍ଦିଗରେ ଘୂରି ବୁଲୁଚି । ହାତରେ ଦଉଡ଼ି….ମୁଁ ପାଗଳ ହୋଇଯିବି ।

 

ହଠାତ୍ ନିଦ ଭାଙ୍ଗିଗଲା । ମନେହେଲା ଯେପରି କିଏ ଏଇ ସଙ୍ଗେ ସଙ୍ଗେ ମୋ ମୁହଁ ଉପରୁ ତା’ ମୁହଁ ଉଠାଇ ନେଲା । ଏହା ସ୍ୱପ୍ନ ନା ସତ୍ୟ ? କାରାଗାରର କଠିନ ପାଷାଣ ଉପରେ, ପ୍ରଦୀପର କ୍ଷୀଣ ଶିଖାରେ, ପ୍ରହରୀର ନୀରବ ମୂର୍ତ୍ତିରେ, ବାତାୟନର ପାଶେ ପାଶେ–କିଏ ଯେପରି ଘୂରି ବୁଲୁଚି ! ତା’ର ଓଠରେ କେବଳ ସେଇ ଗୋଟିଏ ଶବ୍ଦ–ଫାଶୀ !

 

-୨-

 

ଅଗଷ୍ଟ ମାସ । ନିର୍ମଳ ସୁନ୍ଦର ପ୍ରଭାତ । ତିନିଦିନ ହେଲା ମୋର ମକଦ୍ଦମାର ବିଚାର ଆରମ୍ଭ ହେଲାଣି । ଏଇ କେତେଦିନ ମଧ୍ୟରେ ମୁଁ ବି ପ୍ରସିଦ୍ଧ ହୋଇଗଲିଣି । ଅଳସୁଆମାନେ–ଯେଉଁମାନଙ୍କୁ କାମରୁ ମୁହୂର୍ତ୍ତେ ସୁଦ୍ଧା ଫୁରୁସତ୍ ମିଳେ ନାହିଁ–ଆଜି ମତେ ଦେଖିବା ପାଇଁ ଅଦାଲତର ବାହାରେ ଭିଡ଼ ମଧ୍ୟରେ ଠିଆହୋଇ ରହିଚନ୍ତି । ଶକୁନୀ ଦଳ ଶବକୁ ଲୋଲୁପ ଦୃଷ୍ଟିରେ ଚାହିଁରହିଲା ପରି ସେମାନେ ବି ମୋ’ପାଇଁ ଅଧୀର ହୋଇ ଚାହିଁରହିଚନ୍ତି ।

 

ପ୍ରହରୀମାନଙ୍କର ଏଇ ସ୍ପର୍ଦ୍ଧିତ ରୂପ ଓ ଦର୍ଶକମାନଙ୍କର ଏହିପରି ନିରୀହ ମୂର୍ତ୍ତି, କି ଅସହନୀୟ !

 

ପ୍ରଥମ ଦୁଇ ରାତି ତ ମତେ ନିଦ ହେଲା ନାହିଁ । ମନେହେଲା ଏକ ବ୍ୟାକୁଳ ଆର୍ତ୍ତନାଦ ଅନ୍ତର ବିଦୀର୍ଣ୍ଣ କରି ଯେପରି ବାହାରିଆସୁଚି ! କେଉଁଥି ପାଇଁ ଏ ଆଶଙ୍କା ? ତୃତୀୟ ରାତ୍ରୀରେ କ୍ଳାନ୍ତ ହୋଇ ନିଦ୍ରାର ମଧୁସ୍ପର୍ଶ ଅନୁଭବ କଲି । ନିଦ୍ରାଦେବୀଙ୍କ ସୁକୋମଳ ଅଙ୍କ ସବୁ ବ୍ୟଥା ଭୁଲାଇ ଦେଉଥିଲା । ପ୍ରହରୀମାନଙ୍କ ପାଦ ଶବ୍ଦରେ ନିଦ ଭାଙ୍ଗିଗଲା । ପାଦରେ ଭାରି ଜୋତା, ହାତରେ ଚାବି ପେନ୍ଥା–ଯେପରି ସାକ୍ଷାତ ଯମଦୂତ !

 

ଆଖି ଫିଟାଇ ଚାହିଁଲି । ଜେଲର ଟାଣ କଳା କାନ୍ଥ । ଛାତି ତଳକୁ ଥିବା ଝରକା ଦେଇ ଆକାଶର ଏକ ଅଂଶ ଦେଖା ଯାଉଛି । ସୂର୍ଯ୍ୟ କିରଣ ଆକାଶରେ ବିଞ୍ଚି ହୋଇ ପଡ଼ିଚି । ପ୍ରକୃତରେ ଏହିପରି ଆକାଶ ମତେ ଭାରି ଭଲ ଲାଗେ ।

 

ମୁଁ କହିଲି, “ଓଃ, କି ସୁନ୍ଦର ଦିନ !”

 

ପ୍ରହରୀ ଚୁପ୍‍ ରହିଲା । ମୋ କଥାରେ ଉତ୍ତର ଦେବାକୁ ସେ ବୋଧହୁଏ ଆବଶ୍ୟକ ମନେକଲା ନାହିଁ । ତା’ପରେ ହଠାତ୍ କ’ଣ ଭାବି ସେ କହିଲା, “ହଁ ଖୁବ୍ ସୁନ୍ଦର ଦିନ ।”

 

ପଥରପରି ମୁଁ ନିଶ୍ଚଳ ନିଷ୍ପନ୍ଦ ହୋଇଗଲି । ମୁଁ ଆକାଶକୁ ଚାହିଁ କହିଲି, “କି ସୁନ୍ଦର ସକାଳ !”

 

ସେ କହିଲା, “ହଁ, କିନ୍ତୁ ବାହାରେ ପରା ସମସ୍ତେ ତମକୁ ଚାହିଁ ବସିଛନ୍ତି !”

 

ମୋ କଥାର କ’ଣ ଏଇ ଉତ୍ତର ? ଏଇ ଉତ୍ତର ବୁଢ଼ିଆଣୀ ଜାଲପରି ମତେ ପୁରାତନ ଚିନ୍ତାଜାଲରେ ଘେରାଇ ଦେଲା । ଏଇ ସମୟରେ ମୋ ସମ୍ମୁଖରେ ଆସି ଠିଆହେଲା ସେଇ ନିର୍ମମ ହୃଦୟହୀନ ରକ୍ତ-ଶୋଷକ ବିଚାରକ, ତା’ର ଗମ୍ଭୀର ନିରାନନ୍ଦ ମୁଖ, ଲୋଭୀ ସାକ୍ଷୀଦଳ, କଳା ଗାଉନ ପିନ୍ଧା ସୁପଣ୍ଡିତ ଓକିଲମାନେ, ଚିତ୍ରପଟ୍ଟପରି ସଜ୍ଜିତ ପ୍ରହରୀଗଣ, ଚପରାଶୀମାନେ ଏବଂ ସେଇ ବଜାରୀ ଦର୍ଶକମାନେ ।

 

 

ମୋର ଦେହସାରା ଯେପରି ନିଆଁ ଲାଗିଗଲା ! ଓଠ ଥରିଲା । ପାଦ ବି ଥରିବାକୁ ଆରମ୍ଭ କଲା । ପ୍ରହରୀମାନେ ମତେ ବାହାରକୁ ଟାଣି ଆଣିଲେ । ବାହାରର ଶୀତଳ ପବନ ସାମାନ୍ୟ ଶାନ୍ତି ଆଣିଦେଲା । ଦୁଶ୍ଚିନ୍ତା କେଉଁଆଡ଼େ ଚାଲିଗଲା । ଉପରେ ସୁନୀଳ ବିସ୍ତୀର୍ଣ୍ଣ ଆକାଶ, ସୂର୍ଯ୍ୟ କିରଣର ମଧୁର ସ୍ପର୍ଶ, ଚତୁର୍ଦ୍ଦିଗରେ ପକ୍ଷୀମାନଙ୍କର କଳରବ, ତରୁମାନଙ୍କ ଛାୟା–ଓଃ ଏଇ ସଂସାର କି ସୁନ୍ଦର !

 

ଏହାପରେ ଅଦାଲତର ସେଇ ଶ୍ୱାସରୁଦ୍ଧକାରୀ ବାୟୁ । ଜୀବନ ପରେ ମୃତ୍ୟୁ–ତାହା ବି ବୋଧହୁଏ ଏହିପରି ଭୀଷଣ ! ମତେ ଦେଖିବାପାଇଁ ଚତୁର୍ଦ୍ଦିଗରେ କୋଳାହଳ ଲାଗିଗଲା । ଟୁପଟାପ, କାଗଜ ଖସ ଖସ, ଜୋତାର କଚ୍ ମଚ୍ ଶବ୍ଦ, ସବୁ ମିଶି ଏକ ଅଦ୍ଭୁତ ମିଶ୍ର ରାଗିଣୀର ସୃଷ୍ଟି ହେଲା । କି ନିର୍ଲଜ ହୃଦୟହୀନ ଏମାନେ ! ଜଣେ ମନୁଷ୍ୟର ଫାଶୀ ହୁକୁମ ଶୁଣିବାପାଇଁ ଏଇ ପଶୁମାନଙ୍କର କି ଅଦ୍ଭୁତ କୌତୂହଳ !

 

ଚତୁର୍ଦ୍ଦିଗ ପୁଣି ନିସ୍ତବ୍ଧ ହୋଇଗଲା । ଝଡ଼ ଆସିବା ପୂର୍ବରୁ ପ୍ରକୃତି ଯେପରି ଶାନ୍ତ ହୋଇଯାଏ, ଠିକ୍ ସେହିପରି । ବର୍ତ୍ତମାନ ଝଡ଼ ଆସିବ । ଭୟଙ୍କର ଝଡ଼ । ମୋର ଅସ୍ଥିକୁ ଚୂର୍ଣ୍ଣକରି, ଶିରାପ୍ରଶିରାକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି, ଜୀବନକୁ ସହସ୍ର ଭାଗରେ ବିଭକ୍ତ କରି, ସେଇ ଝଡ଼ ଶାନ୍ତ ହେବ-। ଆଜି ମୋର ଅପରାଧର ଦଣ୍ଡ ନିର୍ଣ୍ଣୟ ହେବ ।

 

ଦଣ୍ଡ ! କିଏ କାହାକୁ ଦଣ୍ଡ ଦେବ ? କିଏ କାହାର ଅପରାଧ ବିଚାର କରିବ ? ମୁଁ ନୀରବରେ ଅପେକ୍ଷା କରିବାରେ ଲାଗିଲି । ଛାତି ଥରି ଉଠିଲା । କି ଗମ୍ଭୀର ବିରାଟ ସ୍ପନ୍ଦନ ! ଛାତିର ଧକ୍ ଧକ୍ ଶବ୍ଦ ବୋଧହୁଏ ବନ୍ଧୁକ ଶବ୍ଦଠାରୁ ବି ବେଶୀ ଭୟଙ୍କର ।

 

ମୋ ମନରେ ସେତେବେଳେ ଭୟନଥିଲା । ଖୋଲା ଝରକା ଦେଇ ମୁଁ ଆକାଶକୁ ଚାହିଁଥିଲି । ଆକାଶରେ ଛୋଟ ଛୋଟ ପକ୍ଷୀ ଉଡ଼ିବୁଲୁଥିଲେ । ମଧୁର ଶାନ୍ତ ପବନ ମା’ପରି ମୋ କପାଳରେ ତା’ର ଶୀତଳ ହାତ ବୁଲାଇ ଦେଉଥିଲା । ଜଜ୍‍ଙ୍କ ଆଖିରେ ଯେପରି ନିଦ ଲାଗି ଆସୁଥିଲା । ତାଙ୍କ ଉପରେ ଆଖି ପଡ଼ିବା ମାତ୍ରେ ମୁଁ ଭାବିଲି, କାହିଁକି ଏଇ ଅଭିନୟ ?

 

ବାହାରେ ଦୋକାନୀମାନେ ହସୁଥିଲେ । ମୋ କଥା ସେମାନଙ୍କର ମନେ ନାହିଁ । ହସ ଏବଂ କଥାବାର୍ତ୍ତାରେ ସେମାନେ ବିହ୍ୱଳ ରହିଥିଲେ । ଆନନ୍ଦ ଏବଂ କଥାବାର୍ତ୍ତାରୁ ସେମାନଙ୍କୁ କେତେବେଳେ ଫୁରୁସତ୍ ମିଳେ ନାହିଁ । କି ନିର୍ବୋଧ ଏଇ ବ୍ୟବସାୟୀଗଣ ! ମୂର୍ଖ !

 

ଚତୁର୍ଦ୍ଦିଗରେ ଏତେ ଆନନ୍ଦ ଲାଗି ରହିଛି, ପୂରି ରହିଛି ଅସରନ୍ତି ସୌନ୍ଦର୍ଯ୍ୟ ! ଏଇ ସମୟରେ ମୃତ୍ୟୁ ବିଷୟରେ ଭାବିବା ମୂର୍ଖାମି, ପାପ । କି ସୁନ୍ଦର ବାୟୁ, କି ଉଜ୍ଜ୍ୱଳ ସୂର୍ଯ୍ୟ କିରଣ ! ଏକ ସମୟରେ ମୃତ୍ୟୁଚିନ୍ତା ? କି ଆଶୋଭନୀୟ କଥା ! ସୂର୍ଯ୍ୟର କିରଣପରି ଆଶାର ମେଘ କେତେବେଳେ କିପରି ନିରାଶ ହୃଦୟରେ କିରଣ ଢାଳୁଚି–ଓଃ, ଆଜି ମୁଁ ମୁକ୍ତି ପାଇବି ।

 

ମୋ ପକ୍ଷର ଓକିଲ କହିଲା, “ଆଶା ହେଉଚି !”

 

ମୁଁ ଅଳ୍ପ ହସି ଉତ୍ତର ଦେଲି, “ଠିକ୍ କହିଚ !’’

 

ଓକିଲ କହିଲା, “ମୁଁ ପ୍ରମାଣ କରି ଦେଇଚି ଯେ ତାହା ଦୈବାତ୍ ଘଟି ଯାଇଚି । ଫାଶୀ ତ କେବେ ହେବ ନାହିଁ, ହଁ ଯାବଜ୍ଜୀବନ କାରାଦଣ୍ଡ ହୋଇପାରେ । ଦେଖ, କ’ଣ ହେଉଚି ।”

 

ମୁଁ କହିଲି, “ଜେଲରେ ସାରା ଜୀବନ ବନ୍ଦୀ ଭାବରେ କଟିବ ? ନା, ତା’ଠାରୁ ମୃତ୍ୟୁ ବରଂ ଭଲ ।”

 

ହଁ, ମୃତ୍ୟୁ ଭଲ ।ମୃତ୍ୟୁ ଶ୍ରେୟସ୍କର । ମୁଁ ବାହାରକୁ ଚାହିଁଲି । ଗୋଟିଏ ପକ୍ଷୀ ଗୋଟିଏ ଗଛ ଡାଳ ଉପରେ ବସି ଫଳକୁ ଟିକି ଟିକି କରି ଖାଉଚି । କି ଆନନ୍ଦରେ ତା’ର ଜୀବନ କଟୁଚି ! ମୁଁ ଯଦି ଗୋଟିଏ ପକ୍ଷୀ ହୋଇଥାନ୍ତି ! ସେହିପରି ମୁକ୍ତ ଆଉ ସ୍ୱାଧୀନ ହୋଇଥାନ୍ତି !

 

ଜଜ୍‍ ସେତିକିବେଳେ ତାଙ୍କ ରାୟ ପଢ଼ୁଥାନ୍ତି । ସେ ଦିଗକୁ ମୋର ଲକ୍ଷ୍ୟନଥିଲା । ଜୀବନ ଆଉ ମୃତ୍ୟୁର କଥା ତ ସେଇ ସମୟରେ ଭୁଲି ଯାଇଥିଲି । ହଠାତ୍ କାନରେ ବାଜିଲା, ଫାଶୀ । କପାଳରେ ଝାଳ ବିନ୍ଦୁ ବିନ୍ଦୁ ହୋଇ ଦେଖାଦେଲା ।ଆଖି ଆଗରେ ଯେପରି କଳାପର୍ଦ୍ଦା ପଡ଼ିଗଲା । ମୁଁ ସେଇ କାଠଗଡ଼ାର କାଠକୁ ଆଉଜି ଠିଆ ହେଲି । ବୋଧହୁଏ ଜଜ୍‍ଙ୍କର ଦୟା ହେଲା । ସେ ପଚାରିଲେ “ତୁମର କ’ଣ କହିବାର ଅଛି ?”

 

କହିବା ପାଇଁ ତ ବହୁତ କଥା ଥିଲା । କିନ୍ତୁ କହି ଲାଭ ବା କ’ଣ ? ଯେପରି ମୋ ଜିଭକୁ କିଏ ଟାଣି ଧରିଲା । ଦୁଇ ହାତରେ ମୁଁ ମୁହଁକୁ ଘୋଡ଼ାଇ ପକାଇଲି । ଦର୍ଶକମାନଙ୍କର ଗୋଳମାଳ ଶୁଣାଗଲା । ଅଦାଲତ ବାହାରକୁ ଜନସ୍ରୋତ ଚାଲିଲା । ସେମାନଙ୍କର ପାଦଶବ୍ଦ ଶୁଣାଗଲା । ସେମାନେ ବୋଧହୁଏ ଅଶାନ୍ତିରୁ ମୁକ୍ତି ପାଇଲେ । କାମଦାମ ବିଳାସ ବିଶ୍ରାମ ସବୁ ବନ୍ଦ କରି ଯେଉଁମାନେ ମୋ’ପାଇଁ ଏତେ ବାଟ କଷ୍ଟ କରି ଆସିଥିଲେ, ମୁଁ ସେମାନଙ୍କୁ ଛୁଟି ଦେଇଦେଲି । ସେମାନେ ଖୁସି ହୋଇ ଚାଲିଗଲେ ।

 

ଅନେକ ସମୟ ପରେ ମୋ ମୁହଁରୁ କଥା ବାହାରିଲା । ମୁଁ କହିଲି, “ହଜୁର, କେବଳ ଏତିକି ଦୟା କରନ୍ତୁ, ଯେପରି ମୋର ଫାଶୀ ଖୁବ୍ ଶୀଘ୍ର ହୋଇଯାଏ । ମୁଁ ଆଉ କିଛି ଚାହେଁନାହିଁ ।”

 

ସାରା ଦୁନିଆ ଉପରେ ମୋର ରାଗ ଆସିଲା ! ସଂସାର ପୂର୍ବପରି ପୁଣି ହସିବ, ଆନନ୍ଦରେ ନିମଗ୍ନ ରହିବ । ମୁଁ ଏସବୁ ଛାଡ଼ି ଚାଲିଯିବି । ତଥାପି ଜଣେ ସୁଦ୍ଧା କେହି ସେ ଅଭାବ ଅନୁଭବ କରିବ ନାହିଁ । ହାୟ, କି ସୁନ୍ଦର ଏ ପୃଥିବୀ, ତଥାପି ଏମିତି ନିର୍ଦ୍ଦୟ ! କାହାପାଇଁ ତା’ ହୃଦୟରେ ସ୍ନେହ ନାହିଁ, ଯେପରି ନିର୍ଜୀବ କଠୋର ଏକ ଜଡ଼ପିଣ୍ଡ । ଏଇ ହେଉଚି ସଂସାର, ଆଉ ଏହିପରି ସଂସାରରେ କୌଣସିମତେ ଝୁଲିରହିବାର ନାମ ହେଉଚି ଜୀବନ । ଏହାଠାରୁ ମୃତ୍ୟୁ, ହଁ ମୃତ୍ୟୁ କ’ଣ ବେଶୀ ନିଷ୍ଠୁର ?

 

ପ୍ରହରୀମାନେ ମତେ ବାହାରକୁ ନେଇ ଆସିଲେ । ବାହାରେ ଦର୍ଶକମାନେ ମତେ ଦେଖିବା ପାଇଁ ବ୍ୟାକୁଳ ଭାବରେ ଚାହିଁରହିଥିଲେ । ଆରେ ! ଏଇ ସବୁ ହୃଦୟହୀନ ପଶୁମାନଙ୍କ ଉପରେ ଚଡ଼କ ପଡ଼ୁ ନାହିଁ ? ପ୍ରେତ ପଲ, ପିଶାଚର ଦଳ !

 

ବାହାରକୁ ଆସିଲି ? କି ପରିବର୍ତ୍ତନ ! ଯେତେବେଳେ ଏଇବାଟେ କୋର୍ଟକୁ ଆସିଥିଲି, ସେତେବେଳେ ଅନ୍ୟମାନଙ୍କ ପରି ମୁଁ ବି ବଞ୍ଚିଥିଲି । କିନ୍ତୁ ବର୍ତ୍ତମାନ ? ବର୍ତ୍ତମାନ ଯେପରି ମୋର ମୃତ ଦେହକୁ କିଏ ଘୋଷାରି ଘୋଷାରି ନେଉଚି । ବର୍ତ୍ତମାନ ଯେପରି ମୁଁ ଏହି ସଂସାରର କେହି ନୁହଁ । ପକ୍ଷୀମାନଙ୍କର ଗାନ, ସୂର୍ଯ୍ୟର କିରଣ–ଏହା ଆଜି ମୋ’ପାଇଁ ନୁହେଁ । ନଦୀର ନିର୍ମଳ ଜଳ, ସୁନୀଳ ଆକାଶ ଆଉ ଅନ୍ୟମାନଙ୍କ ପରି ତ ଠିକ୍‍ ପୂର୍ବପରି ରହିଚି । କେବଳ ମୁଁ ଏମାନଙ୍କ ମଧ୍ୟରୁ ଚାଲି ଯାଇଚି । ଏଇ ଛୋଟ ଛୋଟ ଫୁଲ. ଏଇ ସୁନ୍ଦର ତରୁଛାୟା, ହାୟ ଏସବୁ ମୋ’ପାଇଁ ନୁହଁ । ଏମାନଙ୍କ ଉପରେ ମୋର କୌଣସି ଅଧିକାର ନାହିଁ ।

 

କଳା ରଙ୍ଗର ଗାଡ଼ି ମୋ’ପାଇଁ ଅପେକ୍ଷା କରୁଥିଲା । ମୁଁ ଯେତେବେଳେ ଗାଡ଼ିରେ ଚଢ଼ିଲି, ସେତେବେଳେ ଦୂରରୁ କିଏ ଯେପରି କହିଲା, “ତାକୁ ଫାଶୀ ଦଣ୍ଡ ମିଳିଚି ।” ମୁଁ ମୁହଁ ବୁଲାଇ ତାକୁ ଚାହିଁଲି । ଏକ ନିଷ୍ଫଳ ଆକ୍ରୋଶରେ ହୃଦୟ ପୂର୍ଣ୍ଣ ହୋଇଗଲା ।

 

ଗାଡ଼ି ଚାଲିଲା । ମୁଁ ତା’ ମଧ୍ୟରେ ଥିବା ଛୋଟ ଜଳା ବାଟେ ବାହାର ସଂସାରକୁ ଦେଖିବାରେ ଲାଗିଲି । ରାସ୍ତା ଉପରେ ବାଟୋଇମାନେ ଚାଲୁଛନ୍ତି । ଗହଳ ଚହଳ ଆଗପରି ଲାଗିଚି । କୌଣସି ପରିବର୍ତ୍ତନ ହୋଇନାହିଁ । ମୋର ମୃତ୍ୟୁରେ ସେମାନଙ୍କର କିଛି କ୍ଷତି ହେବ ନାହିଁ-। ତେଣୁ ସେମାନଙ୍କର ସହାନୁଭୂତି ନାହିଁ । ହାୟରେ ମଣିଷ !

 

-୩-

 

ମୃତ୍ୟୁ !

 

କିନ୍ତୁ କ୍ଷତି ବା କ’ଣ ? ମନୁଷ୍ୟ ତ ଚିରଦିନ ବଞ୍ଚି ରହିବ ନାହିଁ ! ଦିନେ ନା ଦିନେ ତ ନିଶ୍ଚୟ ମରିବ ! ମରଣର ସେହି ଦିନ ଆଉ ମୁହୂର୍ତ୍ତ କେହି ଜାଣେ ନାହିଁ । କାହିଁକି ତେବେ ଏଇ ବ୍ୟର୍ଥ ଅନୁଶୋଚନା ?

 

ଆଜିଠାରୁ ଫାଶୀ ପାଇବା ଦିନ ମଧ୍ୟରେ କେତେ ଲୋକ ସଂସାର ଛାଡ଼ି ଚାଲିଯିବେ । ମୋର ଫାଶୀ ଦେଖିବା ପାଇଁ ଯେଉଁମାନେ ଦିନ ଗଣୁଛନ୍ତି ସେମାନଙ୍କ ମଧ୍ୟରୁ ବି କେତେକ ଚାଲିଯିବେ । ଜୀବନ ପ୍ରତି କାହିଁକି ଏତ ମାୟା, ଏତେ ମମତା ?

 

ଆଲୋକ ବର୍ଜ୍ଜିତ ବାୟୁହୀନ ଅପୂର୍ବ ଏଇ ଜେଲଖାନା, କଦର୍ଯ୍ୟ ଆହାର ନିଃସଙ୍ଗ ଜୀବନ, ଅପମାନ ଜର୍ଜରିତ ହୃଦୟ, ଅସଭ୍ୟ ଓ ନିଷ୍ଠୁର ପ୍ରହରୀଗଣ–ହାୟ ଏପରି ଜୀବନରେ ବା ଲାଭ କ’ଣ ? ସଂସାରରେ ମୋ’ପାଇଁ ଏକ ବିନ୍ଦୁ କରୁଣା ଅଶ୍ରୁ ବି ନାହିଁ । ମୁଁ ରିକ୍ତ, ଭିକାରି । ମୋ ଜୀବନନୌକାର ଆହୁଲା ଭାଙ୍ଗିଯାଇଚି । ଏଇ ଜୀବନରେ ଆଉ ପ୍ରୟୋଜନ କ’ଣ ?

 

ନିବୁଜ କଳା ଗାଡ଼ି ମତେ ଜେଲଖାନାକୁ ନେଇ ଆସିଲା । ପ୍ରଥମେ ଯେତେବେଳେ ଜେଲଖାନାକୁ ଦେଖିଥିଲି, ଏଇ ବିଶାଳ ପ୍ରାସାଦ ସେତେବେଳେ ଏପରି ଖରାପ ମନେ ହେଉନଥିଲା । କେତେଥର ଏଇ ଜେଲଖାନର ସମ୍ମୁଖ ପ୍ରାନ୍ତର ଉପରେ ବସି କେତେ ଗୀତ ଗାଇଛି-। ବନ୍ଧୁମାନଙ୍କ ସଙ୍ଗେ ବସି କେତେ ମଧୁର ଆଳାପ କରିଚି । ଯୌବନର କେତେ ଉନ୍ମତ୍ତ ଆନନ୍ଦ ମୁହୂର୍ତ୍ତ ଜ୍ୟୋତ୍ସ୍ନାଲୋକ ତଳେ ବିତି ଯାଇଚି-। ଏଇ ପ୍ରାନ୍ତରରେ ବସି ବସି ନିଜ ନିଜର ଭବିଷ୍ୟତ ଜୀବନର କେତେ ରଙ୍ଗୀନ ସ୍ୱପ୍ନ ଆମେ ଦେଖିଛୁ । କେତେ ଉଦ୍ଦାମ କଳ୍ପନା କରିଚୁ । ରାଜପ୍ରାସାଦପରି ବିଶାଳ ଏଇ ପ୍ରାସାଦ । ନିକଟରେ ଗୋଚିଏ ନଦୀ କଳ କଳ ନାଦରେ ବହିଯାଉଚି । କି ସୁନ୍ଦର ଚିତ୍ର ! କିନ୍ତୁ ଆଜି ସେଇ ପ୍ରାସାଦ ଦେଖିବା ମାତ୍ରେ ଘୃଣାରେ ହୃଦୟ ପୂର୍ଣ୍ଣ ହୋଇ ଉଠୁଚି ।

 

ମୋର କୋଠରୀ । ଝରକା ନାହିଁ । କେବଳ ଲୁହାର ଛଡ଼ । ଖୁବ୍ ଭାରି ଲୁହାର ଦ୍ୱାର ଆଉ ପଥରର କାନ୍ଥ । କେଉଁଠାରେ ସାମାନ୍ୟ ସୌନ୍ଦର୍ଯ୍ୟର ବି ଚିହ୍ନ ନାହିଁ । ଆଉ ସ୍ନେହ ? ତାହା ଏଠାରୁ କେତେ ଦୂରରେ ।

 

-୪-

 

ପଥରର କାନ୍ଥ ମତେ ଯେପରି ତା’ର ନିବିଡ଼ ଆଲିଙ୍ଗନରେ ବନ୍ଦୀ କରିଦେଲା । ପ୍ରହରୀ ସତର୍କ ଭାବରେ ପ୍ରହରା ଦେବାକୁ ଲାଗିଲା, ଯେପରି କୌଣସି କଷ୍ଟ, କୌଣସି ଅସୁବିଧା ନ ହୁଏ, ଯେଉଁଥିରେ କି ମୋର ଏଇ ଅମୂଲ୍ୟ ଜୀବନ ଆପେ ଆପେ ନଷ୍ଟ ନ ହୋଇଯାଏ । ସେ ଖୁବ୍ ସାବଧାନ ଥିଲା, ମୁଁ ଯେପରି ଆତ୍ମହତ୍ୟା କରିନଦିଏ ।

 

ଏହିପରି ଆଦର ଆଉ ସମ୍ମାନ ମଧ୍ୟରେ ମତେ ଛ’ ସାତ ମାସ ବଞ୍ଚିରହିବାକୁ ହେବ । ଏହାପରେ ମୋର ଏଇ ଦେହକୁ ଫାଶୀରେ ଝୁଲାଇବା ପାଇଁ, ଦେବତାମାନଙ୍କ ସହ ସାକ୍ଷାତ ଦେବା ପାଇଁ, ଘାତକ ହାତରେ ସେମାନେ ସମର୍ପଣ କରିଦେବେ ।

 

ପ୍ରଥମେ ଦୁଇ ତିନି ଦିନ ସମସ୍ତଙ୍କ କରୁଣା ସାଗର ଉଛୁଳି ପଡ଼ିଲା । ମୃତ୍ୟୁର ଅଗ୍ନିରେ ବିସର୍ଜନ ଦେବା ଆଗରୁ ସେମାନେ ଯେପରି ମୋ ଦେହରେ ଅମୃତ ସିଞ୍ଚିବାକୁ ଲାଗିଲେ । ପୁଣି ସେଇ ପୁରୁଣା କଥା । କେତେବେଳେ କେମିତି ବିଦ୍ରୂପର ସ୍ନିଗ୍ଧ ଧାରା ।

 

ମୋର ବୟସ, ଶିକ୍ଷା ଆଉ ଚେହେରାକୁ ଏଇ ସମୟରେ ସାମାନ୍ୟ ସମ୍ମାନ ମିଳିଲା । ଲେଖିବା ପଢ଼ିବା ପାଇଁ ଅନୁମତି ମିଳିଗଲା । ସକାଳେ ସନ୍ଧ୍ୟାରେ ଭଗବାନଙ୍କୁ ଆରାଧନା କରିବା ପାଇଁ ଅନୁମତି ମିଳିଗଲା । ପ୍ରହରୀମାନଙ୍କ ନଜରବନ୍ଦୀରେ ବୁଲିବା ପାଇଁ ଅନୁମତି ବି ଦିଆଗଲା । ଜଣେ ଦୁଇଜଣ ହତଭାଗ୍ୟ କଏଦୀଙ୍କ ସଙ୍ଗେ କଥାବାର୍ତ୍ତା କରିବା ପାଇଁ ସୁଯୋଗ ମଧ୍ୟ ମିଳିଲା । ସେମାନେ ଜେଲଖାନାରେ ଆନନ୍ଦରେ ଥିଲେ । ମୁଁ ସେମାନଙ୍କୁ ସେମାନଙ୍କର ଅପରାଧ କଥା ପଚାରିଲି । କି ଅସଭ୍ୟ ସେମାନଙ୍କର ଭାଷା ! କିଏ କହିଲା ଚୋରୀ, କିଏ କହିଲା ଜାଲିଅତି । କିଏ ଆଉ କିଛି କହିଲା । ସେମାନେ ଏପରି ଭାବରେ କହିବାକୁ ଲାଗିଲେ ଯେପରିକି ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଗୌରବପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ସେମାନଙ୍କର ଧାରଣା ବଡ଼ ବିଚିତ୍ର ଏବଂ ସାନ୍ତ୍ୱନାର କାରଣ ବି ଅତି ଅଦ୍ଭୁତ ।

 

ସେମାନେ ଅଯାଚିତ ଭାବରେ ମୋ ଉପରେ ସେମାନଙ୍କର ସହାନୁଭୂତି ଢାଳିଦେଲେ । ସେମାନେ ବର୍ତ୍ତମାନ ମୋର ଏକାନ୍ତ ବନ୍ଧୁ । ଏକଦା ମୁଁ ସେମାନଙ୍କୁ ହୃଦୟର ସହିତ ଘୃଣା କରୁଥିଲି, ଆଉ ଆଜି ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରିବାରେ ମତେ ଶାନ୍ତି ମିଳୁଚି । ଏହା ଯଦି ହୋଇନଥାନ୍ତା, ତେବେ ମୁଁ ପାଗଳ ହୋଇଯାଇଥାନ୍ତି । କିନ୍ତୁ ଏମାନେ କ’ଣ ସତରେ ମଣିଷ ?

 

ପ୍ରକୃତରେ ସେମାନେ ହତଭଗ୍ୟ । ଯେଉଁମାନେ ସାଧୁ ସେମାନଙ୍କର ସ୍ତୋତ୍ର ସମସ୍ତେ ଗାଉଛନ୍ତି । ଯେଉଁମାନେ ଧନୀ, ଭାଗ୍ୟବାନ, ସେମାନଙ୍କ ମୁଖରୁ ଗୋଟିଏ ମାତ୍ର ଶବ୍ଦ ଶୁଣିବା ପାଇଁ ସମସ୍ତେ ବ୍ୟାକୁଳ ଭାବରେ ଚାହିଁରହିଛନ୍ତି । କିନ୍ତୁ ଯେଉଁମାନେ ଏଇ ହତଭାଗ୍ୟମାନଙ୍କୁ ଭାଇ ବୋଲି ଡାକି ଛାତି ପାଖକୁ ଟାଣି ନିଅନ୍ତି, ଜାଣେନା ସେମାନେ କେଉଁ ଶ୍ରେଣୀର ମଣିଷ । ସେମାନଙ୍କ ସ୍ଥାନ ସ୍ୱର୍ଗର କେତେ ଉପରେ ? କେଉଁଠାରେ ? ସେମାନେ ପ୍ରକୃତରେ ଉଦାର ।

 

ଆଉ ଏଇ ଯେଉଁ ଜଗୁଆଳମାନେ–ଏମାନେ ବି ସହାନୁଭୂତି ଦେଖାଇବାକୁ ଧାଇଁ ଆସିଥିଲେ । କିନ୍ତୁ ସେମାନଙ୍କର ସହାନୂଭୂତି, ସହାନୁଭୂତି ନୁହେଁ–ପରିହାସ । ଦୁର୍ଦ୍ଦଶା କବଳିତ ହୋଇ ମୁଁ ଆଜି ମନୁଷ୍ୟ ପ୍ରକୃତି ବୁଝିବାକୁ ଆରମ୍ଭ କରିଚି । ଏଇ ଘୃଣା କଏଦୀମାନଙ୍କର ସହାନୁଭୂତି–ବ୍ୟଥିତ ଦୃଷ୍ଟି, କେତେ ପବିତ୍ର ! ଏମାନେ ମତେ ଘୃଣା କରନ୍ତି ନାହିଁ, ଆଳସ୍ୟପରାୟଣ ଦର୍ଶକମାନଙ୍କ ପରି ଶକୁନୀ ଦୃଷ୍ଟିରେ ମତେ ଚାହାନ୍ତି ନାହିଁ ।

 

ଏଇ ସବୁ କଥାକୁ ଯଦି ଲେଖିଯାଏ ତ ଦୋଷ କ’ଣ ? କଥାବାର୍ତ୍ତା କରିବା ପାଇଁ ଯଦି କୌଣସି ସାଥି ନ ମିଳନ୍ତି ତେବେ ଏଇ କାଗଜ କଲମ ତ ମୋର ପ୍ରିୟ ବନ୍ଧୁ ହୋଇ ପାରିବେ । କିନ୍ତୁ କ’ଣ ଲେଖିବି ? ମୋର ଏଇ ନିଷ୍ଫଳ ଭାବନାକୁ କାଗଜରେ ସଜ୍ଜିତ କରିବାରେ କି ଲାଭ ହେବ ? ପ୍ରାଚୀର ବେଷ୍ଟିତ ନିର୍ଜୀବ ଶୃଙ୍ଖଳିତ ଜୀବନର ସୁଖ ଦୁଃଖର ମାଳା କାହାପାଇଁ ଗୁନ୍ଥିବି ? ମୋର ଏଇ ମାଳା କିଏ ବା ପିନ୍ଧିବ ? ମୁଁ ଆଜି ଏଇ ସଂସାରର ମନୁଷ୍ୟ ନୁହେଁ । ଉହଲୋକ ଏବଂ ପରଲୋକର ମଧ୍ୟରେ ଗୋଟିଏ ସ୍ଥାନରେ ମୁଁ ଠିଆ ହୋଇଚି । ମୁଁ କାହାର ଆଶ୍ରୟ ନେବି ? ମୋର ବର୍ତ୍ତମାନ ଆପଣାର କିଏ ?

 

ତଥାପି ମୁଁ ନିଜର ବ୍ୟଥାକୁ ବେଦନାର ଡୋରରେ ଗୁନ୍ଥି ଯିବି । ବ୍ୟଥିତ ଭାବନାକୁ ରୂପ ଦେଇଯିବ । ତାକୁ ଦେଖି ଲୋକେ ଘୃଣା କରିବେ ? କରନ୍ତୁ । ଲୋକେ ମତେ ଘୃଣା ଛଡ଼ା ଆଉ କ’ଣ ଦେଇଛନ୍ତି ? ମୋର ଦୁଃଖ ଲାଗି ସେମାନଙ୍କ ହୃଦୟ କେବେ ସହାନୁଭୂତିରେ ଆର୍ଦ୍ର ହୋଇଛି-? ତେବେ ମୁଁ ସେମାନଙ୍କୁ କାହିଁକି ଭୟ କରିବି ? ସେମାନଙ୍କ ଘୃଣାରେ ମୋର କ’ଣ ଯାଏ ଆସେ ?

 

ମନର ଅନ୍ତରାଳରେ ଏକ ପ୍ରଖର ବାତ୍ୟା ବହି ଚାଲିଚି । ଏକ ଭୀଷଣ ସଂଗ୍ରାମ ଚାଲିଚି-। ଏଇ ଯୁଦ୍ଧ ହେଇଚି ନିର୍ମମ ମୃତ୍ୟୁ ସହିତ ଯୁଦ୍ଧ ।

 

ଯାହା ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଗଣା ସରିଯାଇଚି, ତା’ର ଅବସ୍ଥା–ଓଃ ! ଆଲୋକ ଶୀଘ୍ର ଲିଭିଯିବ । ଜୀବନର ଆଲୋକ ମଧ୍ୟ ଲିଭିଯିବ । ହଁ, ଖୁବ୍ ଶୀଘ୍ର ।

 

ପ୍ରତ୍ୟେକ ମୁହୂର୍ତ୍ତରେ ଯେଉଁ ଭୀଷଣ ଅବସ୍ଥାର ମୁଁ ସମ୍ମୁଖୀନ ହେଉଚି–ତୁଚ୍ଛ ଫାଶୀର ଯନ୍ତ୍ରଣା କ’ଣ ତାହାଠାରୁ ବେଶୀ ? ସେତ ମୁକ୍ତିର ପଥ ଦେଖାଇବ । ଏଇ ବଦ୍ଧବାୟୁ, ଆଉ ରୁଦ୍ଧ ଦୟା ଉପରେ ଥିବା ବିରାଟ ସଂକୀର୍ଣ୍ଣତାର ପଥର ସେଇ ଏକାକୀ ଘୁଞ୍ଚାଇ ଦେବ । ତା’ପରେ ? ଆଃ–ଆଶା ଆଉ ଆଲୋକର ଅପୂର୍ବ ରାଜ୍ୟ–ତଥାପି ଏଇ ସୁନ୍ଦର ସଂସାର–ଓଃ !

 

ଆଚ୍ଛା ଏଇ ଲୋକମାନେ, ଯେଉଁମାନେ ଆଇନ ତିଆରି କରିଛନ୍ତି, ସେମାନେ କ’ଣ କେବେ ଭାବିଛନ୍ତି ଯେ ମନୁଷ୍ୟକୁ ଫାଶୀ ଦେବାପାଇଁ ଅଧିକାର ମନୁଷ୍ୟକୁ କିଏ ଦେଲା ? ତାହା ମଧ୍ୟରେ ବି ପ୍ରାଣ ଅଛି, ଚେତନା ଅଛି, ବୁଦ୍ଧି ଅଛି, ଜ୍ଞାନ ଅଛି । ଗୋଟିଏ ଛୋଟ ଦଉଡ଼ି ସାହାଯ୍ୟରେ ମୁହୂର୍ତ୍ତକ ମଧ୍ୟରେ ଏ ସବୁକୁ ନଷ୍ଟ କରିଦେବା ସଙ୍ଗେ ସଙ୍ଗେ ତା’ର ସବୁ ଇଚ୍ଛା, ସବୁ ଆଶା, ସବୁ ପ୍ରେମ, ବିରାଟ ହୃଦୟ ସବୁ ଭସ୍ମୀଭୂତ କରିଦେବା–ଏସବୁ କି ନୃଶଂସ, କି ଅମାନୁଷିକ କାର୍ଯ୍ୟ ! ତଥାପି ସେମାନେ ଏକଥା ବୁଝିପାରୁନାହାନ୍ତି । ସେମାନେ ଏକଥା ଭାବୁନାହାନ୍ତି । ସେମାନଙ୍କ ସମ୍ମୁଖରେ ନାଚୁଛି କେବଳ ଗୋଟିଏ ଦଉଡ଼ି ଆଉ ଗୋଟିଏ ବେକ ! ବେଶ୍‍, ଆଉ କିଛି ନାହିଁ । ପ୍ରତିଶୋଧକୁ ହିଁ ସେମାନେ ସର୍ବୋଚ୍ଚ ବୋଲି ବୁଝିଛନ୍ତି ।

 

ଏଇଥିପାଇଁ ତ ମୁଁ ଲେଖି ରଖିବି । ଧଳା କାଗଜରେ ଏଇ କଲମ ସାହାଯ୍ୟରେ ନିଜର ଏଇ ବେଦନାକୁ ରୂପ ଦେଇ ଯିବି । ହୃଦୟର ଅଭ୍ୟନ୍ତରରେ ଯେଉଁ ଦ୍ୱନ୍ଦ୍ୱ ଚାଲିଛି, କିଏ ତାହା ଦେଖିବ ନାହିଁ ? ବୁଝିବ ନାହିଁ ? ଛାର ଦେହର ବେଦନା ! ଓଃ, ନିଃଶ୍ୱାସ ବନ୍ଦ ହୋଇଯାଉଚି । କୌଣସି ଦିନ କ’ଣ କିଏ ଏଇ କାଗଜକୁ ପଢ଼ିବ ନାହିଁ ? କି କଷ୍ଟ ସହି ସହି ଜଣେ ମଣିଷ ପ୍ରାଣ ଦେଇଛି, ଏକଥା କ’ଣ କିଏ ଦିନେ ଜାଣିବ ନାହିଁ ? ବୋଧହୁଏ ଏମାନେ କେହି ପଢ଼ିବେ ନାହିଁ । ବୋଧହୁଏ ଦିନେ ଝଡ଼ର ପ୍ରବଳ ବାୟୁରେ ଉଡ଼ି ଉଡ଼ି ଏ କାଗଜ ଛିନ୍ନଭିନ୍ନ ହୋଇଯିବ । ରାସ୍ତାର ନର୍ଦ୍ଦମାରେ ପଡ଼ି ରହିବ । କିମ୍ୱା କେଉଁ ଦୋକାନୀ ଏଇ କାଗଜରେ ଠୁଙ୍ଗା ତିଆରି କରିବ । ସ୍ୟାହିର ଶେଷ ରେଖା ବି ମୋ ଜୀବନର ଶେଷ ନିଃଶ୍ୱାସପରି ନୀରବରେ ଏକାକୀ ଲୋପ ପାଇଯିବ ।

 

-୫-

 

ଯଦି କେବେ କାହାର ଦୃଷ୍ଟି ଏଇ କାଗଜ ଉପରେ ପଡ଼େ, ତେବେ ଏପରି ଆନ୍ଦୋଳନ ଆରମ୍ଭ ହେବ ଯେ ଫାଶୀପ୍ରଥା ସଙ୍ଗେ ସଙ୍ଗେ ଚିରଦିନ ପାଇଁ ଉଠିଯିବ । କେତେ ନିର୍ଦ୍ଦୋଷ, କେତେ ହତଭାଗ୍ୟ ଦୁର୍ଦ୍ଦଶାର କବଳରୁ ରକ୍ଷା ପାଇଯିବେ ! କିନ୍ତୁ ମୋର କ’ଣ ଲାଭ ହେବ ? ମୋ ଜୀବନ ତ ତା’ର ବହୁ ପୂର୍ବରୁ ଫାଶୀର ବେଦୀରେ ବଳି ପଡ଼ି ସାରିଥିବ !

 

ପ୍ରାଣ ବାହାରିଯିବ ! ମୃତ୍ୟୁ ହୋଇଯିବ ! ସୂର୍ଯ୍ୟର ଏଇ ସୁନ୍ଦର ଆଲୋକ, ବସନ୍ତର ଏଇ ସ୍ନିଗ୍ଧ ହିଲ୍ଲୋଳ, ପତ୍ରପୁଷ୍ପଭରା ଏଇ ବିଚିତ୍ର ସଂସାର, ରଙ୍ଗୀନ ଆକାଶ, ସାରା ବିଶ୍ୱ, ହାୟ ! ମୁଁ ଏ ସବୁର ବାହାରକୁ ଚାଲିଯିବି ।

 

ନା, ନିଜକୁ ନିଜେ ରକ୍ଷା କରିବାକୁ ହେବ । ନିଜ ଜୀବନକୁ ବଞ୍ଚାଇବାକୁ ହେବ ।

 

କୌଣସି ଉପାୟରେ ମୁଁ କ’ଣ ମୃତ୍ୟୁର ଗତି ବନ୍ଦ କରିପାରିବିନାହିଁ ? ଓଃ, ଇଚ୍ଛା ହେଉଚି କାରାଗାରର ଏଇ କଠିନ କାନ୍ଥରେ ମୁଣ୍ଡ ଫଟାଇ ଦିଅନ୍ତି ! ନିରାଶା ଓ କ୍ଷୋଭରେ ଫାଶୀ ଦେବାଲୋକମାନେ ହାହାକାର କରି ଉଠନ୍ତେ । ମୁଁ କେତେ ଆନନ୍ଦିତ ନ ହୁଅନ୍ତି !

 

ଆଚ୍ଛା ପ୍ରଥମରୁ ଥରେ ନିଜ ଅବସ୍ଥା କଥା ଭାବିନିଏ । ଆଜିକୁ ତିନି ଦିନ ହେଲା ମୋର ଶୁଣାଣି ଶେଷ ହୋଇଯାଇଛି । ଓକିଲ କହୁଥିଲା, ଅପିଲ କରିବା ଦରକାର । ଶେଷ ଚେଷ୍ଟା !

 

ଆଠଦିନ ଯାଏ ଦରଖାସ୍ତ ଏ ବଖରାରୁ ସେ ବଖରା ବୁଲିବ । ପନ୍ଦର ଦିନ ପରେ କୋର୍ଟରେ ପହଞ୍ଚିବ । ତା’ପରେ ନମ୍ୱର ପଡ଼ିବ, ରେଜିଷ୍ଟରରେ ଚଢ଼ିବ । ତା’ପରେ ଯାଇ ବିଚାର ହେବ । ସେତେବେଳେ ଅପିଲ କରିବାକୁ ଅନୁମତି ମିଳିବ କି ନାହିଁ ସନ୍ଦେହ ।

 

ତା’ପରେ ପନ୍ଦର ଦିନଯାଏ ଅପେକ୍ଷା କରିବାକୁ ହେବ । ଅଧୀର ଭାବରେ ପ୍ରତୀକ୍ଷା କରିବାକୁ ହେବ । ପୁଣି ସେଇ ବିଚାରର ଅଭିନୟ ! ସରକାରୀ ଓକିଲ ବୁଝାଇ ଦେବ ଯେ ଏଇ କଏଦୀର ଅପରାଧ ଏୟା, ଅପିଲ କରିବା ତାହାର ବୋକାମି । ଅପରାଧ ତ ପ୍ରମାଣିତ ହୋଇଯାଇଚି !

 

ଏହିପରି ଭାବରେ ଛ’ସପ୍ତାହ ବିତିଯିବ ।

 

ଭାବିଲି, ଗୋଟିଏ ଉଇଲ ଲେଖିଯିବି । କିନ୍ତୁ ନିଷ୍ଫଳ ଏଇ ଭାବନା ! ମକଦ୍ଦମାରେ ମୋର ସବୁ ସମ୍ପତ୍ତି ଶେଷ ହୋଇଯାଇଛି ଯାହା କିଛି ବା ବାକି ଅଛି, ତା’ର ଉଇଲ ଲେଖି ବସିଲେ ବୋଧହୁଏ କୋର୍ଟ ସେତକ ବି ବ୍ୟାଜାପ୍ତି କରିନେବ ।

 

ସଂସାରରେ ମୋର ଜଣେ ବୁଢ଼ୀମା’’ ଅଛି । ଯୁବତୀ ପତ୍ନୀ ଅଛି । ଆଉ ଗୋଟିଏ ଛୋଟ ଝିଅ ବି ଅଛି । ତିନିବର୍ଷର ଛୋଟ ଝିଅ ତା’ର ରକ୍ତିମ ଚପଳ ଓଠରେ ହସି ଖେଳୁଥାଏ । ଉଜ୍ଜ୍ୱଳ ନୀଳ ଆଖି, କୁଞ୍ଚିତ କେଶ, କେତୋଟି ମୁକ୍ତକେଶ ମୁଖସାରା ଖେଳୁଥାଏ, ଯେପରି ଫୁଲ ଉପରେ ଲତାର ଝାଲର ଝୁଲୁଚି । ମୁଁ ତାକୁ ଛ’ମାସ ହେଲା ଦେଖି ନାହିଁ । ଓଃ, ଛ’ମାସ ହୋଇଗଲା-!

 

ମୋ ମୃତ୍ୟୁରେ ତିନିଜଣ ନାରୀ ସଂସାରରେ ଅନାଥା ହେବେ । ପୁତ୍ରହୀନ, ପତିହୀନ, ପିତୃହୀନ, ତିନୋଟି ଅଭାଗିନୀ ! ଆଇନର ଏକ ଇଙ୍ଗିତରେ ତିନିଜଣଙ୍କ ଆଶ୍ରୟ ଭାଙ୍ଗିଯିବ !

 

ମତେ ଯେଉଁଦଣ୍ଡ ମିଳିଛି, ଯଦି ତାହା ଠିକ୍‍ ହୁଏ, ତଥାପି ସେଇ ଅଭାଗିନୀମାନେ ତ କୌଣସି ଅପରାଧ କରିନାହାନ୍ତି ! ସେମାନଙ୍କ ଉପରେ ଏଇ ଦଣ୍ଡ କାହିଁକି ? ସରକାର ଏହାର କି ଉତ୍ତର ଦେଇପାରିବ ?

 

ସମାଜର ଘୃଣା ସେମାନଙ୍କ ଜୀବନର ଯେଉଁ କ୍ଷତି କରିବ ତାହାପାଇ ତ ସରକାର କୌଣସି ବ୍ୟବସ୍ଥା କରିନାହିଁ ? ତଥାପି ଏହାର ନାମ ହେଉଚି ବିଚାର । ଏହା ହେଉଚି ବିଚାରର ସୁବ୍ୟବସ୍ଥା ! ଏଇକଥା ଭାବି ମତେ ହସ ଲାଗୁଚି ।

 

ବୁଢ଼ୀମା’ ପାଇଁ ମୁଁ ଦୁଃଖିତ ନୁହେଁ । ସେ ତ ସେହିପରି ଶେଯରେ ପଡ଼ିରହିଚି । ଚିର ରୁଗ୍‍ଣା, ରୋଗରେ ହିଁ ତା’ର ଜୀବନ ପ୍ରଦୀପ ଲିଭିଯିବ । ଏଇ ଖବର ପାଇ ତା’ ଜୀବନର ଶେଷ ରଶ୍ମି ସଂସାରରୁ ଲୁଚିଯିବ । ହଁ, ସେ ଯଦି ପାଗଳ ହୋଇନଯାଏ । ଶୁଣିଛି ପାଗଳମାନେ ବହୁତ ଦିନ ବଞ୍ଚନ୍ତି । ଜୀବନ ଦୀର୍ଘ ହେଉ । ତଥାପି ମୃତ୍ୟୁପରି ସେଥିରେ ଶାନ୍ତି ଅଛି, ଆନନ୍ଦ ଅଛି ।

 

କିନ୍ତୁ ମୋ ଝିଅ, ସେଇ ଶାନ୍ତ ଶିଶୁ, ମୋର ଆଦରର ମା’ ମେରୀ, ହସ ଖେଳ ଓ ସଙ୍ଗୀତରେ ଯିଏ ସବୁକଥା ଭୁଲିଯାଏ । ଓଃ, ଅଭାଗିନୀ ଜାଣିନାହିଁ, ତା’ ଉପରେ କେଉଁ ବିପଦ ଝୁଲୁଚି ବଜ୍ରର ଲେଲିହାନ ଶିଖାରେ ତା’ର ଜୀବନ ଜଳିଯିବ, ଭସ୍ମ ହୋଇଯିବ । ଓଃ, ଏଇ ଭାବନା ମୋର ଶିରାପ୍ରଶିରାରେ ନିଆଁ ଢାଳି ଦେଉଚି ।

 

-୬-

 

ଏବେ ବି ରାତି ଶେଷ ହୋଇନାହିଁ । ଆଖିରେ ନିଦ ନାହିଁ । ଅନ୍ଧକାରପୂର୍ଣ୍ଣ କାରାଗାର । ଚତୁର୍ଦ୍ଦିଗ ନୀରବ, ନିଷ୍ପନ୍ଦ, କୌଣସି ଶବ୍ଦ ବି ଶୁଣା ଯାଉନାହିଁ । ସମୟ କଟାଇବି କିପରି ? ସମୟ ବିତାଇବାର ଉପାୟ ଏଠାରେ କାହିଁ ?

 

କୋଠରୀର ଗୋଟିଏ ପାଖରେ ଲ୍ୟାମ୍ପ ଜଳୁଥିଲା । ଲ୍ୟାମ୍ପ ନେଇ କାନ୍ଥର ଚତୁର୍ଦ୍ଦିଗ ଦେଖିବାରେ ଲାଗିଲି । କେଉଁଠାରେ ରନ୍ଧ୍ର ନାହିଁ ? ବାହାରର ଶୀତଳ ପବନକୁ ଭିତରକୁ ଆଣିବାପାଇଁ ଗୋଟିଏ ଛୋଟ ବାଟ ବି ନାହିଁ ।

 

କାନ୍ଥରେ କେତେ ପ୍ରକାରର ମୂର୍ତ୍ତି ଆଙ୍କା ଯାଇଛି । କେତେ ଭାଷାରେ କେତେ କଥା ଲେଖା ଯାଇଛି । କେଉଁଠାରେ ଖଡ଼ିରେ ତ କେଉଁଠାରେ କୋଇଲାରେ । ଯେପରି କେଉଁମାନେ ମୋର ହତଭାଗ୍ୟ ମନର ବ୍ୟଥାକୁ ଏଇ ପଥରର କାନ୍ଥରେ ଲେଖି ଯାଇଛନ୍ତି । ସେମାନଙ୍କ ଅର୍ଥ ମୋର ସମସ୍ତ ବନ୍ଧନ ଯେପରି ତୁଟାଇ ଦେଲା । କିନ୍ତୁ କାନ୍ଥ ସହାନୁଭୂତିର ଏକ ଶବ୍ଦ ବି ଉଚ୍ଚାରଣ କରି ନାହିଁ । ସାମାନ୍ୟ ପ୍ରତିଧ୍ୱନି ବି କଲା ନାହିଁ । ମୂକ ନୀରବ ପାଷାଣ ସେଇପରି ନିର୍ବିକାରଭାବରେ ଠିଆ ହୋଇ ରହିଲା । ସେମାନଙ୍କ କଣ୍ଠର ବ୍ୟାକୁଳ ଆର୍ତ୍ତନାଦ ପାଷାଣର ଦେହରେ ବାଜି ଚୂର୍ଣ୍ଣ ହୋଇଗଲା । ମୁଁ ସେମାନଙ୍କର ବ୍ୟଥାର ରାଗିଣୀ କାନ୍ଥରେ ଦେଖିବାକୁ ଲାଗିଲି । ଗୋଟିଏ ଉପାୟ ମିଳିଗଲା । ସେମାନଙ୍କ ବେଦନା ଓ ବ୍ୟଥାର ହାରକୁ ମୁଁ ଆଜି ଅଶ୍ରୁଭରା ନୟନରେ ଗଳାରେ ପିନ୍ଧିବି । ମୃତ୍ୟୁର କଥା ପୁଣି କିଛି ସମୟ ପାଇଁ ଭୁଲିଯିବି ।

 

ଠିକ୍ ମୋ ବିଛଣା ପାଖ କାନ୍ଥରେ ଦୁଇଟି ହୃଦୟ ଗୋଟିଏ ତୀରରେ ଗୁନ୍ଥା ହୋଇଚି । ଏହା ଏକ ଚିତ୍ର । ବୋଧହୁଏ ଶିଳ୍ପୀ ନିଜ ରକ୍ତରେ ସେଠାରେ ଲେଖି ରଖି ଯାଇଛି । “ହୃଦୟର ପ୍ରେମ ।” ବିଚରା ଏଇଠି ବସି ଦିନରାତି ପ୍ରେମର କଥାହିଁ ଭାବିଛି । ପାଖରେ କୋଇଲାରେ କିଏ ଲେଖିଛି, “ସମ୍ରାଟଙ୍କର ଜୟ ହେଉ ।” କେତେ ଆଶା ଆକାଂକ୍ଷା ଓ ଆଶ୍ୱାସନା ଏଇ ଅକ୍ଷର କେତୋଟିରେ ଭରିନରହିଛି !

 

ଆର ପାଖରେ କିଏ ଲେଖିଛି, “ମୁଁ ଭାଥିଆକୁ ଭଲପାଏ ।’’ ଏବଂ କେବଳ ଗୋଟିଏ “ଏ” ଅକ୍ଷର ଓ ଧଳା ଖଡ଼ିର ଏକ ଗାର । ଅନ୍ଧାରରେ ବି ରୂପାର ଅକ୍ଷରପରି ତାହା ଚିକ୍ ଚିକ୍ କରୁଥିଲା “ଏ” ବୋଧହୁଏ ତା’ର ପ୍ରିୟତମା । ବୋଧହୁଏ ତା’ର ନାମ “ଏମା” ବା “ଏଡ଼ିଥ” । ହାୟ, ଏଇ ଗୋଟିଏ ଅକ୍ଷରରେ ଯେପରି ଏକ ବ୍ୟଥାତୁର ଜୀବନର ଗୋଟିଏ ଦୀର୍ଘ ନିଃଶ୍ୱାସ ମିଶି ରହିଛି-

 

ମୁଁ ବସି ବସି ଭାବିବାରେ ଲାଗିଲି । ମୋର ଏଇ ନିଃସଙ୍ଗ ନିର୍ଜନ ମୁହୂର୍ତ୍ତରେ ପଥରର କାନ୍ଥ ଯେପରି କରୁଣାରେ ପୂର୍ଣ୍ଣ ହୋଇ ଉଠିଲା । ତା’ର ପାଷାଣ ଛାତିରେ ଏତେ ମର୍ମନ୍ତୁଦ ବ୍ୟଥା, ଏତେ ଗୁପ୍ତ ବେଦନା ଚପାଇ ରଖିଥିଲା ? ଆଜି ସେଇ ହତଭାଗ୍ୟମାନେ କାହାନ୍ତି ? କାହାନ୍ତି ସେମାନଙ୍କ ଭାଥିଆ, ଏମା, ଏଡ଼ିଥ ? କେଉଁ ଉଦ୍ୟାନର ଅନ୍ତରାଳରେ, କେଉଁ ବାତାୟନର ପାର୍ଶ୍ୱରେ ବସି ବସି ସେ ଆକାଶକୁ ଚାହିଁରହିଚି ? ତା’ର ଦୀର୍ଘ ନିଃଶ୍ୱାସ, ତା’ର ବିରହ ବ୍ୟଥା, ତା’ର ପ୍ରିୟ ବିଚ୍ଛେଦ, କ’ଣ ଶେଷ ହୋଇଗଲା ? କିଏ କହିବ ?

 

ଲ୍ୟାମ୍ଫ ଉଠାଇ ମୁଁ ଦେଖିବାରେ ଲାଗିଲି । କାନ୍ଥର ଗୋଟିଏ ପାଖରେ ଏହା କ’ଣ ? ଏହା ତ ଫାଶୀର ଚିତ୍ର । କିଏ ଏଇ ଚିତ୍ର କରିଚି ? କେଉଁ ମୂର୍ଖ ମୃତ୍ୟୁକୁ ଏହିପରି ଆହ୍ୱାନ କରିଚି ? ଏହି ପୃଥିବୀ, ଏହି ଜୀବନ କ’ଣ ତାହା ପାଇଁ ବୃଥା ହୋଇଯାଇଥିଲା ? ଦୁଇଟି କାଠ ସିଧା ଭାବରେ ଠିଆ ହୋଇଚି । ସେମାନଙ୍କ ଉପରେ ଆଉ ଖଣ୍ଡେ କାଠ ବନ୍ଧା ଯାଇଚି । ମଝିରେ ଦଉଡ଼ି ଝୁଲୁଚି । ମୁଁ ମନେ ମନେ ତାକୁ ଦେଖିବାକୁ ଲାଗିଲି । ମୁଣ୍ଡ ବୁଲାଇ ଦେଲା । ଲ୍ୟାମ୍ଫ ହାତରୁ ଖସି ପଡ଼ିଲା । ଘର ଅନ୍ଧାର ହୋଇଗଲା । ଓହୋ, କି ଭୟଙ୍କର, କି ତୀବ୍ର ସେ ଅନ୍ଧକାର ! ଅବସନ୍ନ ହୋଇ ମୁଁ ତିଳେ ବସିଗଲି ।

 

ପୁଣି ଦରାଣ୍ଡି ଦରାଣ୍ଡି ଶେଯ ଉପରେ ଶୋଇପଡ଼ିଲି । ମନ ଅସ୍ଥିର ହେଉଥିଲା । ସେଇ ପଥର କାନ୍ଥରେ ଲେଖା ହୋଇଥିବା ପ୍ରତ୍ୟେକ ଚିତ୍ର ଓ ପ୍ରତ୍ୟେକ ଶବ୍ଦକୁ ଦେଖିବା ପାଇଁ ମନ ବ୍ୟାକୁଳ ହେଉଥିଲା ।

 

ଅନ୍ଧାରର ମୁଁ କାନ୍ଥ ଦରାଣ୍ଡିବାରେ ଲାଗିଲି । ବୁଢ଼ିଆଣୀ ଜାଲ ହାତରେ ଗୁଡ଼େଇ ହୋଇଗଲା । ହାତରୁ ଜାଲ ଛଡ଼ାଇ ପୁଣି ବିଛଣା ଉପରେ ବସିଗଲି । ନିଦ ଲାଗି ଆସିଲା, ମୁଁ ଶୋଇପଡ଼ିଲି । ଯେତେବେଳେ ଆଖି ଫିଟାଇଲି, ସେତେବେଳେ କୋଠରୀ ଅଳ୍ପ ଆଲୋକିତ ହୋଇଥିଲା । ପୁଣି ଠିଆ ହୋଇ କାନ୍ଥକୁ ଦେଖିବାକୁ ଲାଗିଲି । କାନ୍ଥର ଗୋଟିଏ ସ୍ଥାନରେ ଚାରୋଟି ନାମ ଲେଖା ହୋଇଥିଲା–ଦାନ୍ତୋ, ୧୮୧୫: ପୁଲେଁ ୧୮୧୮: ଜିନ ମାର୍ଟିନ, ୧୮୨୧: କାସ୍ତେଙ୍ଗ, ୧୮୨୩ । ପଢ଼ୁ ପଢ଼ୁ ଗୋଟିଏ ଭୟାବହ ସ୍ମୃତି ଆଖି ଆଗରେ ନାଚି ଉଠିଲା । ଦାନ୍ତୋ ନିଜ ଭାଇର ଜୀବନ ନେଇଥିଲା । ପିଶାଚ ପୁଲେଁ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା । ଜିନ ମାର୍ଟିନ ବନ୍ଧୁକ ଗୁଳିରେ ନିଜ ବାପାଙ୍କର ମୁଣ୍ଡ ଉଡ଼ାଇ ଦେଇଥିଲା । ଏବଂ କାସ୍ତେଙ୍ଗ–ଡାକ୍ତର କାସ୍ତେଙ୍ଗ ନିଜର ପ୍ରିୟତମ ବନ୍ଧୁକୁ ବିଷ ଦେଇଥିଲେ ।

 

ମୁଁ କମ୍ପି ଉଠିଲି । ସେମାନଙ୍କ ଶେଷ ନିଃଶ୍ୱାସ ଏବେ ବି ଏଇ କୋଠରୀର ପବନରେ ମିଶି ରହିଚି । ଏଇ ଶଯ୍ୟା ଉପରେ ସେମାନେ ନିଜ ନିଜର ରକ୍ତପିପାସୁ ହୃଦୟର ଶେଷକଥା, ଶେଷ ଚିନ୍ତା କରିଯାଇଛନ୍ତି । ଏଇଠାରେ ସେମାନେ ବି ଚଳ ପ୍ରଚଳ ହେଉଥିଲେ । ଆଜି ବି ସେମାନଙ୍କର ଉତ୍ତପ୍ତ ନିଃଶ୍ୱାସ ଏଇ କୋଠରୀକୁ ଉଷ୍ମ କରୁଚି ।

 

ତାହାପରେ ମୁଁ ସେମାନଙ୍କ ପଛେ ପଛେ ଏଠିକି ଆସିଚି । ସେମାନେ ଯେପରି ହାତଠାରି ମତେ ଡାକୁଛନ୍ତି । ସେମାନଙ୍କ ପାଟି ଶୁଣା ଯାଉଛି । ନୁହେଁ ? ମୁଁ ଆଖି ବୁଜି ଦେଲି । ସେମାନଙ୍କ ରୂପ ଆହୁରି ସ୍ପଷ୍ଟ ହୋଇଉଠିଲା ।

 

ଏହା କ’ଣ ସତ୍ୟ ନା ସ୍ୱପ୍ନ ? କିମ୍ୱା ମତିଭ୍ରମ ? ମୋ ପାଦରେ ପାଣି ଲାଗିଲାପରି ଜଣାପଡ଼ିଲା । କ’ଣ ? ବୁଢ଼ିଆଣୀ– । ଗୋଟିଏ ବଡ଼ ବୁଢ଼ିଆଣୀକୁ ମୁଁ ପାଦରେ ମାଡ଼ି ମାରିଦେଲି । ତା’ ଜାଲ ମୋ ହାତ ବାଜି ଫାଟି ଯାଇଥିଲା । ମୋର ଚେତନା ଆସିଲା–ଏତେ ବେଳଯାଏ ମୁଁ ଅଚେତ ଥିଲି । ଛାୟାମୂର୍ତ୍ତି ମୋ ଚତୁର୍ଦ୍ଦିଗରେ ଘୂରିବୁଲୁଚି !

 

ନା, ନା, ମନକୁ ସୁସ୍ଥ ଏବଂ ସବଳ କରିବାକୁ ହେବ । ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଯନ୍ତ୍ରଣା ଲାଗିରହିଚି । ତା’ର କବଳରୁ ଉଦ୍ଧାର ପାଇବାକୁ ହେବ । ଦାନ୍ତୋ ଏବଂ ପୁଲେଁ କବର ତଳେ ଶୋଇଛନ୍ତି । ସେମାନେ ଏଠାକୁ ଆସିପାରିବେ ନାହିଁ । ନା କେବେହେଲେ ଆସିପାରିବେ ନାହିଁ । କାହିଁକି ମୁଁ ସେମାନଙ୍କୁ ଭୟ. କରୁଚି ? ଏଇ କାରାଗାରର ବାହାରକୁ ପଳାଇବା ସମ୍ଭବ ହୋଇପାରେ କିନ୍ତୁ କବର ତଳୁ ବାହାରକୁ ବାହାରିବା ନିତାନ୍ତ ଅସମ୍ଭବ । ତେବେ ଏ ଭୟ କାହିଁକି-? କାହିଁକି ଏ ବୃଥା ଭୟ ?

 

-୭-

 

ଦିବସର ଉଜ୍ଜ୍ୱଳ ଆଲୋକ । ଚତୁର୍ଦ୍ଦିଗରୁ କୋଳାହଳର ଧ୍ୱନି ଭାସି ଆସୁଚି । ବଡ଼ ବଡ଼ ଦ୍ୱାର ଖୋଲିବା ଏବଂ ବନ୍ଦ ହେବାର ଶବ୍ଦ ଶୁଣା ଯାଉଚି । ଚାବିର ଝଣ ଝଣ ଶବ୍ଦ ଭାସି ଆସୁଚି । କାରାଗାରରେ ଆନନ୍ଦରେ ସଙ୍ଗୀତ ଶୁଣା ଯାଇଚି । ସମସ୍ତେ ଆନନ୍ଦରେ ବିଭୋର–ସଜୀବ । ତେବେ ମୋର ଏଇ ଦୁଃଖ କାହିଁକି ? ଏଇ ଉଦାସ ଭାବ କାହିଁକି ?

 

ପ୍ରହରୀ ଯାଉଥିଲା । ମୁଁ ତାକୁ ଡାକି ପଚାରିଲି, “ଏତେ ପାଟିତୁଣ୍ଡ ଗହଳି କାହିଁକି ଶୁଣା ଯାଉଚି ? ଏତେ ଖୁସିବାସି କାହିଁକି ?”

 

ସେ କହିଲା, “ନୂଆ କଏଦୀମାନେ ଆସିଛନ୍ତି । ସେମାନଙ୍କ ପାଦରେ ବେଡ଼ି ପଡ଼ିବ । ତୁମେ କ’ଣ ଦେଖିବ ନାହିଁ ?”

 

ସନ୍ୟାସୀମାନଙ୍କ ପରି ଏଇ ବୈଚିତ୍ର୍ୟହୀନ, ନିରାନନ୍ଦ ଓ ନିଃସଙ୍ଗ ଜୀବନ ମତେ ଦୁର୍ବହ ବୋଧ ହେଲାଣି । ଦେଖିବାର ଲୋଭ ମୁଁ ସମ୍ୱରଣ କରିପାରିଲିନାହିଁ ।

 

ବହୁ ସାବଧାନ ସହ ପ୍ରହରୀ ମତେ ଅନ୍ୟ ଏକ କୋଠରୀକୁ ନେଇଗଲା । ବସିବା ପାଇଁ ସେଠାରେ ଗୋଟିଏ ଚେୟାର ବି ନ ଥିଲା । ହଁ, ବଡ଼ ଝରକାଟାଏ ଥିଲା । ଖୋଲା ଝରକା । ଜେଲ ମଧ୍ୟରେ ମୁଁ ଆଜି କେତେଦିନ ପରେ ଆକାଶର ଏକ ବଡ଼ ଅଂଶ ଦେଖିବାକୁ ପାଇଲି । ଓଃ, ଆକାଶ କି ସୁନ୍ଦର !

 

ପ୍ରହରୀ କହିଲା, “ଏଠି ମଜାରେ ବସି ଦେଖ, ରାଜାପରି ଆରାମରେ ଦେଖିପାରିବ । କେହି ପାଖକୁ ଆସି ଗହଳି କରିବେ ନାହିଁ ।”

 

ଏହା କହି ଦୁଆର ବନ୍ଦ କରି ସେ ବାହାରକୁ ଚାଲିଗଲା । ତାଲା ପକାଇବାର ଶବ୍ଦ ବି ଶୁଣାଗଲା । ଝରକା ଦେଇ ଜେଲର ବଡ଼ ଅଗଣା ପରିଷ୍କାର ରୂପେ ଦେଖାଯାଉଥିଲା । ଅଗଣା ଚାରିପଟେ ଉଚ୍ଚ ପାଚିରି ଥିଲା । ଲମ୍ୱା ପିଣ୍ଡା ବି ଦେଖାଯାଉଥିଲା । ପୁଣି ଦେଖାଯାଉଥିଲା ଅସଂଖ୍ୟ ମୁଣ୍ଡ । ସମସ୍ତେ ଯାତ୍ରା ଦେଖିବା ପାଇଁ ଠିଆ ହୋଇଥିଲେ । ସମସ୍ତଙ୍କ ଆଖିରେ ଆଗ୍ରହର ଚିହ୍ନ–କୌତୂହଳର ଏକ ଗଭୀର ରେଖା । ସମସ୍ତେ ନରକର ପ୍ରେତପରି ଆଜି ମତ୍ତ ହୋଇ ନାଚୁଛନ୍ତି । ସମସ୍ତଙ୍କ ଆଖି ଅଗଣା ଉପରେ ।

 

ବାର ବାଜିଲା । ଅଗଣାର ଫାଟକ ଖୋଲିଲା । ଅସଂଖ୍ୟ ନୂଆ ମୂର୍ତ୍ତି ଭିତରକୁ ପଶି ଆସିଲେ । ସାଙ୍ଗେ ସାଙ୍ଗେ ଏକ କଦର୍ଯ୍ୟ କୋଳାହଳ ଶୁଣାଗଲା । ଯେପରି ମୁହୂର୍ତ୍ତକ ମଧ୍ୟରେ ଗୋଟିଏ ନୂଆ ଜୀବନ କାରାଗାରରେ ଖେଳିଗଲା । ଅଟ୍ଟହାସ୍ୟ ଏବଂ ଚିତ୍କାରରେ ସ୍ଥାନଟି ପୂର୍ଣ୍ଣ ହୋଇଗଲା !

 

କଏଦୀମାନଙ୍କ ଆନତ ଦୃଷ୍ଟି ଏବଂ ପ୍ରହରୀମାନଙ୍କର ବୀର ଦର୍ପ–ବିଚିତ୍ର ଓ ଅଦ୍ଭୁତ ଦୃଶ୍ୟ !

 

କଏଦୀମାନଙ୍କ ନାମ ଡକାଗଲା । ସେମାନଙ୍କ ଅପରାଧ କ’ଣ, ଦଣ୍ଡର ପରିମାଣ କେତେ, ସବୁ କଥା ପଚରାଗଲା । ଯାହା ଦଣ୍ଡର ପରିମାଣ ବେଶୀ, ତା’ ନାମ ସହିତ ଜୟଧ୍ୱନି ହେଲା । ଦର୍ଶକମାନେ ହୃଦୟରେ ଆନନ୍ଦ ଅନୁଭବ କରୁଥିଲେ, ଯେପରିକି କଏଦୀମାନଙ୍କ ଭିତରୁ ଦଳେ ହେଉଛନ୍ତି ବିଜୟୀ ସୈନିକ ଯେଉଁମାନେ କି ବର୍ତ୍ତମାନ ଯୁଦ୍ଧଜୟକରି ଫେରିଛନ୍ତି । ଏଇଥିପାଇଁ ତ ଏଇ ଆନନ୍ଦ ଆୟୋଜନ, ଏଇଥିଯୋଗୁଁ ତ ଏହି ତାଣ୍ଡବ ନୃତ୍ୟ ! ଜଣେ ଦୁଇଜଣ ଦର୍ଶକ ତ ଆନନ୍ଦ ଆତିଶଯ୍ୟରେ ହସିବାରେ ଲାଗିଲେ । ହସ ନୁହେଁ, ଚିତ୍କାର !

 

ଏହାପରେ କଏଦୀମାନଙ୍କ ମଧ୍ୟରେ ପରସ୍ପର ଜଣାଶୁଣାଥିବା ଲୋକ ଅଛନ୍ତି କି ନାହିଁ, ଖାନତଲାସ ହେବାକୁ ଲାଗିଲା । ଯେଉଁମାନେ ପରସ୍ପରକୁ ଚିହ୍ନନ୍ତି ସେମାନଙ୍କୁ ଭିନ୍ନ ଭିନ୍ନ ବଖରାରେ ରଖିବା ଦରକାର, ଯେପରି ସେମାନଙ୍କୁ ଶାନ୍ତି ନ ମିଳେ, ଦଣ୍ଡର କଠୋରତା ଯେପରି କୌଣସି ପ୍ରକାରେ କମି ନ ଯାଏ ।

 

ଚତୁର୍ଦ୍ଦିଗର ବିଚିତ୍ର କୋଳାହଳ କେଉଁ ଏକ ମାୟାଲୋକର ସଙ୍ଗୀତପରି ଏକ ଅଖଣ୍ଡ ରାଗିଣୀର ଝଙ୍କାର ସୃଷ୍ଟି କରୁଥିଲା । ତଥାପି ତାହା ଅର୍ଥହୀନ, ଲକ୍ଷ୍ୟହୀନ, ଉଦ୍ଦେଶ୍ୟହୀନ ସଙ୍ଗୀତ-

 

ଶୀତଳ ସମୀରଣ ମୋର କେଶରାଶିକୁ ବାରମ୍ୱାର ସ୍ପର୍ଶ କରିଯାଉଥିଲା । ଏକ କ୍ଷୀଣ ଆଶା ମନର ଅନ୍ତରାଳରେ ଜାଗିଉଠିଲା । ଏଇ ସୁନ୍ଦର ଦ୍ୱିପ୍ରହର, ମୁକ୍ତ ପବନ, ଉଦାର ଆକାଶ–ଏଇ ତ ହେଉଚି ଜୀବନ । ଏହାଠାରୁ ଦୂରରେ ରହିବା…ଓଃ ଏହା କ’ଣ ମୃତ୍ୟୁ ?

 

ହଠାତ୍ ପବନପରି ସୂର୍ଯ୍ୟର କିରଣ ବି ଲୁଚିଗଲା । କିଏ ଯେପରି ଗୋଟିଏ କଳା ପର୍ଦ୍ଦାରେ ସୂର୍ଯ୍ୟକୁ ଢାଙ୍କି ଦେଲା । ଖଣ୍ଡେ ମେଘ ଆସି ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ ବ୍ୟବଧାନ ସୃଷ୍ଟିକଲା । ସ୍ୱପ୍ନର କୁହୁକ ଜାଲପରି ଏକ ଛାୟା ଆସି ସୂର୍ଯ୍ୟର କିରଣକୁ ବନ୍ଦ କରିଦେଲା । ହଠାତ୍ ବର୍ଷା ହେବାକୁ ଲାଗିଲା । ଅଗଣାରୁ ଦର୍ଶକମାନେ ଘୁଞ୍ଚିଗଲେ । କେବଳ ନୀଡ଼ହରା ପକ୍ଷୀମାନଙ୍କ ପରି କଏଦୀମାନେ ଅସହାୟ ଭାବରେ ବର୍ଷାରେ ତିନ୍ତିବାକୁ ଲାଗିଲେ । ଜଣେ ଦୁଇଜଣ ଶୀତରେ କମ୍ପିବାକୁ ଲାଗିଲେ । କ’ଣ ହେଲା–ସେମାନେ ପରା କଏଦୀ ! ସୁଖ ସହିତ ସେମାନଙ୍କର କୌଣସି ସମ୍ୱନ୍ଧ ନାହିଁ ।

 

ଯେତେବେଳେ ବର୍ଷା ବନ୍ଦ ହୋଇଗଲା, ସେତେବେଳେ ପୁଣି ସାଙ୍କୁଳିରେ ସମସ୍ତଙ୍କୁ ବାନ୍ଧି ଦିଆଗଲା । ଗୋଡ଼ରେ ବେଡ଼ି ପଡ଼ିଲା । କେହି କେହି କାନ୍ଦି କାନ୍ଦି ତଳେ ଲୋଟିଗଲେ । ଏକ ଆର୍ତ୍ତନାଦର ସ୍ୱର ! ତଥାପି କୋରଡ଼ାରେ ସମସ୍ତଙ୍କୁ ଚୁପ୍‍ କରିଦିଆଗଲା । ଇସ୍ କି ପିଶାଚ ଏମାନେ !

 

ମେଘ ଘୁଞ୍ଚିଗଲା । ସୂର୍ଯ୍ୟର କିରଣ ହସିବାକୁ ଲାଗିଲା । ଯେପରି କଳାପର୍ଦ୍ଦାକୁ ଦୁଇ ହାତରେ ଘୁଞ୍ଚାଇ ସେ ବାହାରକୁ ବାହାରିଚି–ଏଇ ଯାତ୍ରା ଦେଖିବା ପାଇଁ ! ଭିତରୁ କଏଦୀମାନେ ପୁଣି ବାହାରକୁ ଆସିଲେ । କିଏ ହୁଇସିଲ୍ ବଜାଉଥାଏ ତ ଆଉ କିଏ ଗୀତ ଗାଉଥାଏ ।

 

ଏବେ ଖାଇବା ସମୟ । ଖାଇବା ଜିନିଷ ସବୁ ଆସିଗଲା । ବଡ଼ ବଡ଼ ବାଲଟି, ଭିତରେ ମାଟିଆ ଫିକା ରଙ୍ଗର ତରଳ ପଦାର୍ଥ । ସ୍ୱାଦ ନାହିଁ, ଗନ୍ଧ ନାହିଁ । ଭୁକ୍ତଭୋଗୀମାନଙ୍କୁ ତା’ର ସ୍ୱାଦୁ ବେଶ୍‍ ଜଣା ।

 

ତଥାପି ସେମାନେ–ବିଚରା କ୍ଷୁଧାର୍ତ୍ତମାନେ ତୃପ୍ତିସହ ତାକୁ ଖାଇବାକୁ ଲାଗିଲେ । ଓଃ, ସେ କି ଆନନ୍ଦ ।

 

ଆଗ୍ରହର ସହିତ ମୁଁ ସବୁ ଦେଖୁଥିଲି । ନିଜର ଅବସ୍ଥା ଭୁଲିଗଲି । ଦୟାରେ ମନ ପୂରିଉଠିଲା । ନୟନ ଅଶ୍ରୁ ସଜଳ ହେଲା ।

 

ହଠାତ୍ ଶୁଣାଗଲା, “ଉଠ, ଚାଲ ।”

 

କଏଦୀମାନଙ୍କ ମଧ୍ୟରେ କୋଳାହଳ ଲାଗିଗଲା । ସେମାନେ ସମସ୍ତେ ଠିଆ ହେଲେ । ଧାଡ଼ିବାନ୍ଧି ଚାଲିବାକୁ ଲାଗିଲେ ।

 

ମୋ ଝରକା ପାଖ ଦେଇ ସେମାନେ ସମସ୍ତେ ଯାଉଥିଲେ । ମତେ ଦେଖି ସେମାନେ ରହିଗଲେ । ମୋ ଛାତି କମ୍ପିବାକୁ ଲାଗିଲା । ମୁଁ କ’ଣ ଚିଡ଼ିଆଖାନାର ଗୋଟିଏ ଜନ୍ତୁ ଯେ, ମତେ ଏହିପରି ସେମାନେ ଅନେଇ ରହିଛନ୍ତି ?

 

ଜଣେ କହିଲା, “ହେଇ ଦେଖ ଫାଶୀ ଆସାମୀ । ଇଏ ଫାଶୀ ପାଇବ ।” ସଙ୍ଗେ ସଙ୍ଗେ ଏକ କୁତ୍ସିତ ହସର ଲହରୀ । ଓଃ, ଅସଂଖ୍ୟ ପଶୁ । ହୃଦୟହୀନ ପଶୁ !

 

ମୋ ମୁଣ୍ଡ ଘୂରାଇଗଲା । ଯେପରି କି ମୁଁ ଶୂନ୍ୟରେ ଝୂଲି ରହିଚି ।

 

ସେମାନେ କିପରି ଜାଣିପାରିଲେ ଯେ ମତେ ଫାଶୀଦଣ୍ଡ ମିଳିଯାଇଚି ବୋଲି ?

 

“ଆଚ୍ଛା, ଶେଷ ପ୍ରଣାମ ଭାଇ !” ନିର୍ଲଜଙ୍କ ପରି ସେମାନେ ପାଟିକରି ଉଠିଲେ । ଜଣେ କହିଲା, “ଆମଠାରୁ ତ ଭଲ, ଶୀଘ୍ର ଛୁଟି ମିଳିଯିବ । ମୁଁ ତ ଚାରିବର୍ଷ ଏଠି ଭୋଗିବି ।”

 

ମୋର ଚେତନା ଲୋପ ହୋଇ ଆସୁଥିଲା । ହଲିବା ପାଇଁ ବି ଶକ୍ତିନଥିଲା । ଆଖି ଆଗରେ ନଦୀର ସ୍ରୋତପରି କଏଦୀ ଦଳ ଚାଲିଗଲେ ।

 

ହଠାତ୍ ଚେତନା ଆସିଲା । ମୁଁ ଶିହରି ଉଠିଲି । ଭାବିଲି, ଏଇ ଝରକାର ଆର ପାଖେ କେତେ ଆଲୋକ, କେତେ ଆନନ୍ଦ–ଆଉ ଏଇ ଭିତରେ ଆଲୋକ ବାୟୁ ଓ ପ୍ରାଣ ସବୁ ରୁଦ୍ଧ ! ଯଦି ଏଇ ରେଲିଂ ନ ଥାନ୍ତା !

 

ରେଲିଂକୁ ଧରି ପ୍ରାଣପଣେ ହଲାଇବାକୁ ଲାଗିଲି । ଟିକିଏ ସୁଦ୍ଧା ବି ହଲିଲା ନାହିଁ । କେବଳ ଆଘାତ ହିଁ ସାର ହେଲା । ମୁଁ କ୍ରୋଧରେ ଗର୍ଜ୍ଜି ଉଠିଲି । ମୋର ଅନ୍ତର ଯେପରି ଖଣ୍ଡ ଖଣ୍ଡ ବଦୀର୍ଣ୍ଣ ହୋଇଗଲା ।

 

ଦୂରରୁ କୋଳାହଳର ଏକ ଅସ୍ପଷ୍ଟ ଧ୍ୱନି ଭାସି ଆସୁଥିଲା । ମୁଁ ସେଠାରେ ଅବସନ୍ନ ହୋଇ ବସିପଡ଼ିଲି । ଦୂରର କୋଳାହଳ ଧୀରେ ଧୀରେ କ୍ଷୀଣ ହୋଇ ଆସିଲା । ମୋ ଜୀବନ ଉପରେ କିଏ ଯେପରି କଳା ପର୍ଦ୍ଦା ଧୀରେ ଧୀରେ ପକାଇ ଦେଲା । ମୁଁ ମୂର୍ଚ୍ଛିତ ହୋଇ ଟଳି ପଡ଼ିଲି-

 

ଯେତେବେଳେ ମୁଁ ଆଖି ଖୋଲିଲି, ସେତେବେଳେକୁ ରାତି ହୋଇ ଯାଇଥିଲା । ଫିତା ଖଟ ଉପରେ ମୁଁ ଶୋଇଥିଲି । ଲ୍ୟାମ୍ପ ଜଳୁଥିଲା । ବଖରାଟି ଖୁବ୍ ବଡ଼ । ଖଟ ସବୁ ଧାଡ଼ି ଧାଡ଼ି ହୋଇ ରଖା ଯାଇଚି । ମୁଁ ଜାଣିପାରିଲି ଯେ ମୁଁ ଡାକ୍ତରଖାନାକୁ ଆସିଚି । ଚତୁର୍ଦ୍ଦିଗ ନିଷ୍ପନ୍ଦ ଓ ଶାନ୍ତ-!

 

କେତେ ସମୟ ପର୍ଯ୍ୟନ୍ତ ମୋର କିଛି ମନେପଡ଼ିଲା ନାହିଁ । ଶୋଇ ତ ନଥିଲି, କିନ୍ତୁ ଚେତନା ନଥିଲା ।

 

ଆଗେ ଜେଲଖାନାର ଏଇ ଡାକ୍ତରଖାନାକୁ ମୁଁ କେତେ ଘୃଣା କରୁନଥିଲି । କିନ୍ତୁ ମୁଁ ଆଜି ସେଇ ମଣିଷ ହୋଇ ନାହିଁ । ମଇଳା ଚାଦର । ରୋଗର ଅସହନୀୟ ଦୁର୍ଗନ୍ଧ । ଚତୁର୍ଦ୍ଦିଗରେ ଏକ ଅଶାନ୍ତିର ବାତାବରଣ, ଏକ ଭୟାବହ ବିଭୀଷିକା । ମୁଁ ଆଖି ବନ୍ଦ କରିଦେଲି । ନିଦ୍ରାର ଶୀତଳ ସ୍ପର୍ଶରେ ସବୁ ଯନ୍ତ୍ରଣା ଭୁଲିଗଲି ।

 

ହଠାତ୍ ନିଦ ଭାଙ୍ଗିଗଲା । ଦେଖିଲି ଦିନ ହୋଇଗଲାଣି । ବାହାରେ କୋଳାହଳ ଶୁଣା ଯାଉଚି । ମୋ ଖଟ ଝରକା ପାଖରେ ପଡ଼ିଥିଲା । ଝରକା ଦେଇ ବାହାରକୁ ମୁଁ ଚାହିଁଲି । କଏଦୀମାନେ କାମକୁ ଯିବା ପାଇଁ ସଜ ହେଉଛନ୍ତି । ସେମାନଙ୍କ ଲୁହା ଶିକୁଳୀର ଝଣ୍ ଝଣ୍ ଶବ୍ଦ ଭଲ ରୂପେ ଶୁଣା ଯାଉଛି । ଶୁଣିଲି, ସକାଳେ ଜଣେ ଲୋକ ଫାଶୀ ପାଇଚି । ଆଗ୍ରହୀ ଦର୍ଶକମାନେ ଫାଶୀ ଦେଖିସାରି ପାଟି କରୁଛନ୍ତି । ନିର୍ଲଜମାନଙ୍କୁ ପାଟି କରିବା ପାଇଁ ଲାଜ ମାଡ଼ୁ ନାହିଁ ? ଜଣେ ଲୋକର ଜୀବନ ଚାଲିଗଲା ଅଥଚ ଏମାନେ ଆନନ୍ଦରେ ପାଟି କରୁଛନ୍ତି ? ଏମାନଙ୍କ ଉପରେ ପଡ଼ିବା ପାଇଁ ଆକାଶରେ କ’ଣ ବଜ୍ର ନାହିଁ ?

 

-୯-

 

ମୁଁ ଖୁବ୍ ଶୀଘ୍ର ଭଲ ହୋଇଗଲି । ମୋର ଭାଗ୍ୟ ଏହିପରି ଖରାପ ! ମତେ ଡାକ୍ତରଖାନା ଛାଡ଼ିବାକୁ ପଡ଼ିଲା । ପୁଣି ଜେଲର ସେଇ ବନ୍ଦ କୋଠରୀ, ଯାହା ମୋ ଦୀର୍ଘ ନିଃଶ୍ୱାସର ତପ୍ତ ବାୟୁରେ ପୂର୍ଣ୍ଣ ହୋଇଚି, ଚତୁର୍ଦ୍ଦିଗରେ ଯାହାର ନିରାଶା ଓ ବିଷାଦର ବିମର୍ଷ ଭାବ–ସେଇ କୋଠରୀରେ ଜୀବନର ଶେଷ ମୁହୂର୍ତ୍ତ କେତୋଟିକୁ ଗଣିବାକୁ ପଡ଼ିବ ।

 

କୌଣସି କାରଣ ନାହିଁ ! ଏଇ ତରୁଣ ସୁସ୍ଥ ଏବଂ ସବଳ ଦେହ–ରୋଗରେ କାହିଁକି ତାହା ଜୀର୍ଣ୍ଣ ହେବାକୁ ଲାଗିଲା ? ଶିରାପ୍ରଶିରାରେ ଉତ୍ତପ୍ତ ରକ୍ତର ପ୍ରଖର ସ୍ରୋତ ଚାଲିଚି । ଏଇପରି ବୁଦ୍ଧି, ଏଇପରି ସ୍ୱାସ୍ଥ୍ୟ–ମନ ପୁଣି କାହିଁକି ମୁହୂର୍ତ୍ତକୁ ମୁହୂର୍ତ୍ତ ବିଚଳିତ ହୋଇଯାଉଚି ? କାହିଁକି ଜଳି ଯାଉଚି ?

 

ଡାକ୍ତରଖାନାରୁ ଫେରିବା ପରେ କେବଳ ଗୋଟିଏ କଥା କେତେବେଳେ କେମିତି ମନେପଡ଼େ । ସେଠାରୁ ପଳାଇଯିବା ପାଇଁ ବେଶ୍‍ ସୁବିଧା ଥିଲା । ସେଇ ସୁବିଧାକୁ ମୁଁ ମୂର୍ଖ କାହିଁକି ଛାଡ଼ିଦେଲି ? କେଡ଼େ ସୁନ୍ଦର ସୁବିଧା ମିଳିଥିଲା । ରଜନୀର ନିର୍ଜନ ଅନ୍ଧାରରେ ଚୁପ୍‍ଚାପ୍‍ ଖସିଯିବା ପରେ–ମୁଁ କ’ଣ ସ୍ୱାଧୀନତାର ଉଦାର ରାଜ୍ୟରେ ପହଞ୍ଚିଥାନ୍ତି ? –ମୁଣ୍ଡ ଭିତରେ ଶିରାପ୍ରଶିରା ଧକ୍ ଧକ୍ କରୁଛନ୍ତି । ମୁଣ୍ଡ ବୁଲାଇ ଦେଲା !

 

ଯଦି ପଳାଇଥାନ୍ତି ! ସେମାନଙ୍କର କି କ୍ଷିତି ହୋଇଥାନ୍ତା ? ଅପିଲରେ ଯଦି ଖସିଯାଏ-? କିନ୍ତୁ ସେ ସମ୍ଭାବନା କାହିଁ ? ସାକ୍ଷୀମାନେ ଯେଉଁ ଶପଥ ନେଇଛନ୍ତି–ବିଚାର ସମ୍ପୂର୍ଣ ହୋଇଯାଇଛି–ଶେଷ ହୋଇଯାଇଛି । ଏବେ ଅପିଲ୍ କରି ଲାଭ କ’ଣ ? କିଛି ନାହିଁ । ହାୟ, ସବୁ ନିଷ୍ଫଳ,ବ୍ୟର୍ଥ ! ମୋର ଭାଗ୍ୟରେ ରହିଚି ଫାଶୀର ଦଉଡ଼ି । ଅପିଲ୍‍ର ଆଶା ? ସେ ଆଶା ଖୁବ୍ କମ୍‍ ।

 

ଯଦି ଆଜି କ୍ଷମା ମିଳିଯାଏ । କ୍ଷମା ? କାହିଁକି ମିଳିବ ? ଅସଂଖ୍ୟ ହତଭାଗ୍ୟ ବୋଝ ବୋହି, ଲୁହା ଶିକୁଳୀ ପକାଇ ଜେଲରେ ସଢ଼ୁଛନ୍ତି–ପଚା ଖାଦ୍ୟ ଖାଇ ପେଟର ଜ୍ୱାଳା ଶାନ୍ତ କରୁଛନ୍ତି । ସେମାନଙ୍କର ପରିବାର କାହାନ୍ତି ? କେଉଁଠି ଅଛନ୍ତି ସେମାନଙ୍କର ବନ୍ଧୁ ? ସେମାନଙ୍କର ଘରର ଅବସ୍ଥା କ’ଣ ହୋଇଚି ? ସେମାନେ ଏଇ ଯନ୍ତ୍ରଣାକୁ ଆଗପରି ସମାନ ଭାବରେ ଭୋଗିବେ ଆଉ ମତେ କ୍ଷମା ଦିଆଯିବ, ମୁଁ ଆନନ୍ଦରେ ଘରକୁ ଫେରିଯିବି ? କାହିଁକି ? କେଉଁଥି ପାଇଁ ସେମାନେ ମତେ କ୍ଷମା ଦେବେ ? ଦେଶବାସୀ ଏଇ ଅନ୍ୟାୟକୁ ଦେଖି କ’ଣ କହିବେ ? ନା, କ୍ଷମା ନାହିଁ, ଫାଶୀ ହିଁ ମୋର ମୁକ୍ତିର ଏକମାତ୍ର ପଥ ।

 

ହଁ, ଯଦି ପଳାଇ ଯାଇଥାନ୍ତି । କେତେ ସବୁଜ କ୍ଷେତ୍ର, କେତେ ପର୍ବତ, ସବୁଜ ବନାନୀ, ନଦନଦୀ ଅତିକ୍ରମ କରି କେଉଁ ଅଜଣା ଦେଶକୁ ଚାଲିଯାଇଥାନ୍ତି । କାହାକୁ ଆଉ ଦେଖି ନଥାନ୍ତି, କାହା ଦ୍ୱାରରେ ଅଟକି ନ ଥାନ୍ତି । କେଉଁଠାରେ ହେଲେ ଭିକ ବି ମାଗିନଥାନ୍ତି ! ଗଛର ଫଳରେ କ୍ଷୁଧାର ନିବାରଣ, ନଦୀର ଜଳରେ ତୃଷା ନିବାରଣ, ପକ୍ଷୀମାନଙ୍କ ସଙ୍ଗୀତରେ ବିଶ୍ରାମ, ତରୁତଳରେ ନିଦ୍ରା । ପଲ୍ଲୀରେ ? ନା– ଯଦି କେହି ସନ୍ଦେହ କରେ ? ଯଦି ଧରେ ? ମୁଁ ସତରେ କ’ଣ ପଳାଇଥାନ୍ତି ? ସେଥିରେ ତ ସେମାନଙ୍କର ସନ୍ଦେହ ବଢ଼ି ଯାଆନ୍ତା । ଧୀରେ ଧୀରେ ନିଶ୍ଚିନ୍ତ ଭାବରେ କେତେ ସହର ଗାଁ ଡେଇଁ ଯାଇଥାନ୍ତି । ଗୋଟିଏ ଛଦ୍ମବେଶ କେଉଁଠାରୁ ନେଇଯାଇଥାନ୍ତି । ଆମ ଗାଁ ପାଖରେ ସେଇ ଯେଉଁ ଜଙ୍ଗଲ ଅଛି, ସେଠି ଯାଇ ପ୍ରଥମେ ବିଶ୍ରାମ ନିଅନ୍ତି । ସେଇ ଜଙ୍ଗଲରେ ମୁଁ କେତେ ରାତି ଉଜାଗରରେ ବିତାଇ ଦେଇଛି । କେତେଦିନ ସେଠାରେ ଖେଳି ଖେଳି କଟାଇଛି । ପିଲାଦିନେ ସାଙ୍ଗମାନଙ୍କ ସାଥିରେ ଲୁଚକାଳି ଖେଳିଚି । ହସ, ଥଟ୍ଟା, ଖେଳ ! ଓଃ, କି ସୁନ୍ଦର ପିଲାଦିନର ସେଇ ସବୁ ଦିନ । ସେଇ ଅତୀତର ଗୋଟିଏ ଅଂଶ ଆଜି ଯଦି ମତେ ମିଳିଯାନ୍ତା !

 

ହଁ, ପୁଣି ଯେତେବେଳେ ଅନ୍ଧାର ହୋଇଯାନ୍ତା, ସେତେବେଳେ ସଡ଼କକୁ ଆସନ୍ତି, ଭିନସେନ ଯାଆନ୍ତି । ନାଁ, ଭିନସେନ କିପରି ଯାଇପାରନ୍ତି ? ବାଟରେ ବଡ଼ ବଡ଼ ନଦୀ ଅଛି । ପାରି ହେବା କଷ୍ଟ । ତାହାହେଲେ ଆପଜିନ ଯାଆନ୍ତି । ନା, ବୋଧହୁଏ ଜର୍ମାନୀ ଯିବା ଠିକ୍ ହୁଅନ୍ତା–ସେଠାରୁ ହେମର, ହେମରରୁ ଇଂଲଣ୍ଡ ! କିନ୍ତୁ ଯଦି ସେଇ ସମୟରେ ପୁଲିସ ଧରନ୍ତା ପାସପୋର୍ଟ ମାଗନ୍ତା ? ବଡ଼ ବିପଦ ।

 

ହାୟ, ହତଭାଗ୍ୟ ମୁଁ । ଏସବୁ ମୁଁ କାହିଁକି ଭାବୁଚି । ତିନିଫୁଟ ମୋଟା ଏଇ କାନ୍ଥକୁ ଲଙ୍ଘିବା କ’ଣ ସମ୍ଭବ ? ଓହୋ, କୌଣସି ବାଟ ନାହିଁ–ନାହିଁ । ମୃତ୍ୟୁହିଁ ଏବେ ମୋର ସାଥି ଦେବ ।

 

ସେଇ ପିଲାଦିନ କଥା ମନେପଡ଼ୁଚି । ସେତେବେଳେ ମୁଁ ଗୋଟେ ପିଲା । ଏଇ ଜେଲରେ ଫାଶୀ ଦେଖିବା ପାଇଁ ଆସିଥିଲି । ଓଃ, କି ଭିଡ଼ ହୋଇଥିଲା ସେଦିନ । ଆଉ ଆଜି ?

 

-୧୦-

 

ଏବେ ସକାଳେ ହେବ । ଗୀର୍ଜ୍ଜାର ବଡ଼ ଘଣ୍ଟାରେ ଠଣ୍ ଠଣ୍ ହୋଇ ଛ’ ବାଜିଗଲା ।

 

ପ୍ରହରୀ ଆସି ମୁଣ୍ଡରୁ ପଗଡ଼ି ବାହାର କରି ସଲାମ କଲା । ନରମ ଭାବରେ ପଚାରିଲା, “ଆପଣାଙ୍କ ଖାଇବା ପାଇଁ କ’ଣ କିଛି ଆଣିବି ?”

 

ଆଶ୍ଚର୍ଯ୍ୟ ! ଏପରି ବିନୟ ବ୍ୟବହାର ! ମୋର ସାରା ଦେହ ଥରି ଉଠିଲା । ତେବେ କ’ଣ ଆଜି ?

 

ହଁ, ଆଜି । ମୋର କ’ଣ କ’ଣ ଦରକାର ତାହା ଜାଣିବା ପାଇଁ ଜେଲର ସ୍ୱୟଂ ଆସିଥିଲେ । ପଚାରିଲେ, “ଆପଣଙ୍କ ପ୍ରତି କେହି ଖରାପ ବ୍ୟବହାର କରି ନାହିଁ ତ ? କିପରି ଅଛନ୍ତି ? ରାତିରେ ଭଲ ନିଦ ହେଉଚି ତ ?” କଥା ପଦକେ ମହାଶୟ, ଆପଣ କହି ସେ ସମ୍ବୋଧନ କରୁଥିଲେ । ଆଜି, ଆଉ କୌଣସି ସନ୍ଦେହ ନାହିଁ । ତେବେ ଆଜି ହେଉଚି ସେଇ ସ୍ମରଣୀୟ ଦିନ, ଯେଉଁ ଦିନର କଥା ମୁହୂର୍ତ୍ତକ ପାଇଁ ବି ଭୁଲିଯାଇ ନାହିଁ !

 

ଜେଲର କିମ୍ୱା ତାଙ୍କର କର୍ମଚାରୀମାନେ, କିପରି ଭୁଲ କରିପାରନ୍ତେ ? ମୋ’ପ୍ରତି ଖରାପ ବ୍ୟବହାର କିପରି କରିପାରନ୍ତେ ? ହସିବାର କଥା । ସେମାନେ କେବଳ ତାଙ୍କର କର୍ତ୍ତବ୍ୟ ପୂରଣ କରିଯାଉଛନ୍ତି । ସାବଧାନ ସହିତ ମୋର ଯତ୍ନ ନେଉଛନ୍ତି । ମୋ’ପ୍ରତି କେହି ଖରାପ ଆଚରଣ କରୁ ନାହାନ୍ତି । ମତେ ସେଇଥିରେ ସନ୍ତୋଷ ଦେବାକୁ ହେବ ।

 

ଆଉ ଏଇ ଜେଲରେ–ସେ ଭାରି ଭଲ ମଣିଷ । ଭାରି ମିଠା ମିଠା କଥା, ମଧୁର ବ୍ୟବହାର…ହାଃ–ହାଃ-ହାଃ…..ଦୀର୍ଘ ବଳିଷ୍ଠ ବାହୁ ! କାରାଗାରର ସେମାନେ ଗୋଟିଏ ଗୋଟିଏ ପ୍ରତିମ୍ବିବ ! ମନେହେଉଛି ସେମାନେ ଯେପରି ଗୋଟିଏ ଗୋଟିଏ ଜୀବନ୍ତ ଜେଲଖାନା । ଏଠାରେ ପ୍ରତ୍ୟେକ ବସ୍ତୁ ଜେଲଖାନାର ଏକ ଏକ ରୂପାନ୍ତର । ପ୍ରହରୀ, ଲୁହାର ଜେଲ, ପଥରର କାନ୍ଥ–ସବୁ-। ଚାବି ଏବଂ ତାଲା ପର୍ଯ୍ୟନ୍ତ ଜୀବିତପରି ମନେହେଉଛନ୍ତି । ସମସ୍ତେ ଏକତ୍ର ମତେ ପ୍ରହରା ଦେଉଛନ୍ତି । ଆଉ ଏଇ କାରାଗାର–ନିଷ୍ଠୁର କାରାଗୃହ, ଅର୍ଦ୍ଧ ପଥର ଏବଂ ଅର୍ଦ୍ଧ ମାନବ ଦେହ ବିଶିଷ୍ଟ–ମତେ ନିବିଡ଼ ଭାବରେ ସେ ବାନ୍ଧି ରଖିଚି । ଲୁହାର ହୃଦୟ ନେଇ ମତେ ଆଲିଙ୍ଗନ କରିବା ପାଇଁ ଆସୁଚି । ଦରିଦ୍ର, ହତଭାଗ୍ୟ ମୁଁ । ମତେ କାହିଁକି ଥଟ୍ଟା କରୁଛ ?

 

-୧୧-

 

ହୃଦୟ ଶାନ୍ତ । ବର୍ତ୍ତମାନ କୌଣସି ଭାବନା ନାହିଁ । ଦ୍ଵନ୍ଦ୍ୱ ବି ନାହିଁ । ଜେଲର ଆସି ଦେଖିଗଲେ । ତାଙ୍କ ସହିତ ସାକ୍ଷାତ ହେବାପରେ ମୁଁ ବେଶ୍ ଭଲଅଛି । ପ୍ରଥମେ ମନରେ ଯେଉଁ ସବୁ ଆଶାଥିଲା, ତାହା ବର୍ତ୍ତମାନ ମୁଁ ଛାଡ଼ି ଦେଲିଣି । ଏହା କେବଳ ତାଙ୍କ ଯୋଗୁଁ ସମ୍ଭବ ହେଲା ।

 

ସାଢ଼େ ଛ’ କିମ୍ୱା ଛ’ଟା ପଇଁଚାଳିଶ ହେବ । ହଠାତ୍ ମୋ କୋଠରୀର ଦ୍ୱାର ଖୋଲିଗଲା । ଜଣେ ବୁଢ଼ା ଲୋକ ଯାହାଙ୍କର ସବୁ ବାଳ ପାଚି ଯାଇଛି, ମୋ ଘର ଭିତରକୁ ପଶିଆସିଲେ । ବଡ଼ କଳା କୋଟଟି ସେ ଖୋଲିଦେଇ ବସିଗଲେ ବେଶଭୂଷାରୁ ଜାଣିଲି ସେ ବୋଧହୁଏ ଜଣେ ପୁରୋହିତ ।

 

ମୋ ଆଗରେ ସେ ବସିଥାନ୍ତି । ମୁହଁ ବୁଲାଇ ସେ ଆକାଶକୁ ଚାହିଁଲେ । ସେହି ଚାହାଣିର ଅର୍ଥ ମୁଁ ବୁଝିପାରିଲି । ପଚାରିଲେ, “ତୁମେ କ’ଣ ବାପ ପ୍ରସ୍ତୁତ ହୋଇଯାଇଚ ?”

 

ଶାନ୍ତ ଭାବରେ ମୁଁ ଉତ୍ତର ଦେଲି, “ନାହିଁ, ପ୍ରସ୍ତୁତ ତ ହୋଇନାହିଁ…..ତଥାପି, ହଁ, ବର୍ତ୍ତମାନ ଯିବାପାଇଁ ପ୍ରସ୍ତୁତ ଅଛି ।”

 

ମୋ କପାଳରେ ଝାଳ ବିନ୍ଦୁ ବିନ୍ଦୁ ହୋଇ ଦେଖା ଦେଲା । ପ୍ରସ୍ତୁତ, ଏକଦମ ପ୍ରସ୍ତୁତ । କିନ୍ତୁ କାହିଁକି ? ମୋ ଛାତି କମ୍ପି ଉଠିଲା । ଛାତି ମଧ୍ୟରେ ଯେପରି ଗୋଟାଏ ଅଦ୍ଭୁତ ଶବ୍ଦ ହେବାକୁ ଲାଗିଲା ।

 

ପୁରୋହିତ କ’ଣ ସବୁ କହୁଥାନ୍ତି । ତାଙ୍କ ଓଠ ଥରୁଥାଏ । ହାତ, ପାଦ ଓ ବେକ ବି ତା’ ସଙ୍ଗେ ସଙ୍ଗେ କରୁଥାଏ । ସେ କ’ଣ କହୁଥାନ୍ତି ମୁଁ ଜାଣେ ନାହିଁ, କାରଣ କୌଣସି କଥା ମୁଁ ଶୁଣି ପାରିନାହିଁ ।

 

ପୁଣି ଦ୍ୱାର ଖୋଲିଲା । ସ୍ୱୟଂ ଜେଲ୍‍ର ଅଧ୍ୟକ୍ଷ । ଦେହରେ ଗୋଟିଏ ଲମ୍ୱା କଳା କୋଟ, ହାତରେ ଲଫାଫା । ମୁହଁରେ ସେ ଦୁଃଖର ଭାବ ଫୁଟାଇବା ପାଇଁ ଚେଷ୍ଟା କରୁଥାନ୍ତି ।

 

ଅଧ୍ୟକ୍ଷ କହିଲେ, “ଅଦାଲତରୁ ଖବର ଆସିଚି ।” ଯେପରି ଏକ ବିଜୁଳି ମୋର ସାରା ଶରୀରରେ ଖେଳିଗଲା ।

 

ମୁଁ ପଚାରିଲି, “କ’ଣ କହିଲେ ? ଅଦାଲତ ମୋର ମୁଣ୍ଡ ଏବେ ମାଗୁଛି ? ତାହା ତ ଗୌରବର କଥା । ମୋର ଏଇ ମୁଣ୍ଡଟା ପାଇଁ ସରକାରୀ ଓକିଲଙ୍କର ଖୁବ୍ ଲୋଭ ଅଛି–ଏକଥା ମୁଁ ଜାଣେ । ହଁ, ମୁଁ ତ ପ୍ରସ୍ତୁତ ଅଛି ।”

 

ସେ ଲଫାଫା ଖୋଲି ପଢ଼ିବାକୁ ଲାଗିଲେ । ସେଇ ଅଦାଲତର ଜଟିଳ ଭାଷା–ବିକଟ ଆଉ ଦୀର୍ଘ ଶବ୍ଦର ଝଙ୍କାର–ଯାହାର ଅର୍ଥ ସହଜରେ ବୁଝି ହୁଏନା । ଅଧଘଣ୍ଟାଏ ପର୍ଯ୍ୟନ୍ତ କାଗଜକୁ ଖସ ଖସ କରିବା ପରେ ତା’ର ଅର୍ଥ ମୁଁ ବୁଝିପାରିଲି । ମୋର ଅପିଲ ମଞ୍ଜୁର ହୋଇନାହିଁ । ଠିକ୍ କଥା ।

 

କାଗଜକୁ ସେହିପରି ଚାହିଁ ସେ କହିଲେ–

 

“ପ୍ଲେ ଦି ଗ୍ରେଭରେ ଫାଶୀ ଦିଆଯିବ । ସାଢ଼େ ସାତଟାରେ ଆମେ ସବୁ କାଁସିଆରଜାରୀ ଜେଲକୁ ଯିବୁ । ଦୟାକରି ଆପଣ ଆମ ସାଙ୍ଗେ ଚାଲନ୍ତୁ-।”

 

ଅଳ୍ପ ସମୟ ଯାଏ ମୁଁ ଚୁପ୍ ରହିଲି । କୌଣସି କଥା କହିଲି ନାହିଁ । ଜେଲ୍‍ର ଅଧ୍ୟକ୍ଷ ପୁରୋହିତଙ୍କ ସଙ୍ଗେ କ’ଣ ସବୁ କଥାବାର୍ତ୍ତା ହେଉଥାନ୍ତି । ଦେଶ ବିଦେଶର ଖବର ଚର୍ଚ୍ଚା ବି ଚାଲିଥାଏ । ସେମାନେ ସେ ଚର୍ଚ୍ଚାରେ ତନ୍ମୟ ହୋଇପଡ଼ିଥାନ୍ତି ।

 

ଠିକ୍ ଏଇ ସମୟରେ ଦ୍ୱାର ଖୋଲି ଚାରିଜଣ ସଶସ୍ତ୍ର ପ୍ରହରୀ ଘର ଭିତରକୁ ପଶିଆସିଲେ । ସେମାନେ ଦେଖିବାକୁ ସାକ୍ଷାତ ଯମଦୂତ । ସଲାମ ପକାଇ ସେମାନେ କହିଲେ, “ସମୟ ହୋଇ ଗଲାଣି ।”

 

ମୁଁ କହିଲି, “ମୁଁ ପ୍ରସ୍ତୁତ ଅଛି । ଚାଲନ୍ତୁ ।”

 

ସେମାନେ କହିଲେ, “ଅଧଘଣ୍ଟାଏ ଭିତରେ ବାହାରିବାକୁ ପଡ଼ିବ ।” କହି ସାରି ସେମାନେ ଚାଲିଗଲେ ।

 

ଥରେ ମାତ୍ର ଶେଷ ଚେଷ୍ଟା ! ଭଗବାନ, ସତରେ କ’ଣ ଆଉ କୌଣସି ଆଶା ନାହିଁ ।

 

ପଳେଇଯିବି ହଁ, ? ଯେମିତି ହେଲେ ପଳେଇଯିବାକୁ ହେବ । ଦ୍ଵାର, ଝରକା ଛାତ ସବୁ ଟପି ପଳେଇଯିବାକୁ ହେବ । ଯଦି ଦେହର ନିଃଶ୍ୱାସକୁ ବି ଛାଡ଼ିଦେଇ ଯିବାକୁ ହୁଏତ, ଛାଡ଼ିଯିବାକୁ ହେବ । କେବଳ ହାଡ଼ମାଳକୁ ଧରି ମୁଁ ପଳେଇ ଯିବି ।

 

ଯଦି କୌଣସି ଯନ୍ତ୍ର କିମ୍ୱା ଅସ୍ତ୍ର ମିଳିଯାଆନ୍ତା ! ରାକ୍ଷସପରି ମୁଁ ସମସ୍ତଙ୍କୁ ଶେଷ କରି ଯେପରି ହେଲେ ବି– । କିନ୍ତୁ ମୋ ହାତରେ ଛୋଟ କାଠ ଖଣ୍ଡେ ବି ନାହିଁ । ପଳେଇଯିବି ? ଆଶା ନାହିଁ ।

 

-୧୨-

 

ମୁଁ କାଁସିଆରଜାରୀ ଜେଲକୁ ଆସିଛି । ନିଜ ଇଚ୍ଛାରେ ନୁହେଁ, ସରକାରୀ ହୁକୁମରେ, ସରକାରୀ ଦୂତମାନଙ୍କ କଡ଼ା ପହରାରେ । ରାସ୍ତାର କଥା କହିବି ? ଶୁଣ ତେବେ ।

 

ସାଢ଼େ ସାତଟାରେ ପ୍ରହରୀ ଆସି ମତେ ସଲାମ ପକାଇ କହିଲା “ଆଜ୍ଞା ମୋ ସାଙ୍ଗରେ ଆସନ୍ତୁ ।”

 

ଆଦବକାଏଦାରେ କୌଣସି ତ୍ରୁଟି ନଥିଲା । ମୁଁ ତା’ ସାଥିରେ ଚାଲିଲି । ମୁଣ୍ଡ ଭାରି ଭାରି ଲାଗୁଥିଲା । ପାଦ ଏପରି ଦୁର୍ବଳ ଥିଲା ଯେ ଚାଲିବା ଅସମ୍ଭବ ମନେହେଉଥିଲା । ତଥାପି ମୁଁ ଚାଲିଲି । ବାହାର ପାଖରୁ ମୁଁ ଥରେ ନିଜ ନିର୍ଜନ କୋଠରୀକୁ ଦେଖି ନେଲି । ଏତେଦିନର ଆଶ୍ରୟସ୍ଥଳୀ । ମମତା ଲାଗି ଯାଇଥିଲା । ଆଜି ସେଇ କୋଠରୀକୁ ମୁଁ ଖାଲିକରି ଚାଲିଲି । ବେଶୀ ଡେରି ହେବ ନାହିଁ । ସନ୍ଧ୍ୟା ବେଳକୁ କେହି ନୂଆ ଅତିଥି ଏଇ କୋଠରୀକୁ ଆସିଯିବେ ! ବାଃ, ବିଧାତାର କି ବିଧାନ !

 

ଅଗଣା ଆଗରେ ପୁରୋହିତ ବସିଥିଲେ । ସେ ନିଜର ଖାଇବା କଥା ଭାବୁଥିଲେ । ଜେଲର ଅଧ୍ୟକ୍ଷ ଆସି ମୋ ହାତକୁ ଧରି ହଲାଇ ଦେଲେ । ଚାରିଜଣ ପ୍ରହରୀଙ୍କର ନଜରବନ୍ଦୀରେ ମୁଁ ଚାଲିଲି ।

 

ଡାକ୍ତରଖାନା ନିକଟରେ ଜଣେ ଲୋକ ମତେ ସଲାମ କଲା । ସେତେବେଳେ ଅଗଣା ମଝିରେ ମୁଁ ଠିଆ ହୋଇଥିଲି । ବେଶ୍ ଭଲ ଲାଗୁଥିଲା । କିନ୍ତୁ କେତେବେଳ ଯାଏ ?

 

ବାହାରେ ଗାଡ଼ି ଠିଆ ହୋଇଚି । ସେଇ ଗାଡ଼ରେ ବସି ମୁଁ ଏଠାକୁ ଆସିଥିଲି । ବେଶ୍ ଲମ୍ୱା ଗାଡ଼ି । ଲୁହା ରେଲିଂ ଦେଇ ଗାଡ଼ିକୁ ଦୁଇ ଭାଗରେ ବିଭକ୍ତ କରାହୋଇଥିଲା । ଜଣାଯାଉଚି ଯେପରି କିଏ ଲୁହାର ବୁଢ଼ିଆଣୀ ଜାଲ ବୁଣିଚି । ପ୍ରତ୍ୟେକ ଭାଗ ପାଇଁ ପୃଥକ ପୃଥକ ଦୁଆର । ଗୋଟିଏ ଆଗରେ, ଆଉ ଅନ୍ୟଟି ପଛରେ । ଗାଡ଼ି ଭିତର ଅନ୍ଧାରୁଆ ହୋଇଥିଲା । ଧୂଳି ଓ ମଇଳାରେ ଗାଡ଼ିଟି ମଧ୍ୟ ଭର୍ତ୍ତି ହୋଇଥିଲା । ଏହାଠାରୁ ଜେଲଖାନାର ସେଇ କୋଠରୀ ଯଥେଷ୍ଟ ଭଲ । ଏଇ କବରରେ ଭର୍ତ୍ତି ହେବା ଆଗରୁ ମୁଁ ଥରେ ଚତୁର୍ଦ୍ଦିଗ ଭଲଭାବରେ ଦେଖିନେଲି । ଏଇ ମୁକ୍ତ ଆକାଶର ସ୍ମୃତିକୁ ନେଇ ଅନ୍ଧକାରର ସମୁଦ୍ରରେ ମୁଁ ଝାସ ଦେବି । ଦୁଆର ଆଗରେ ଧାଡ଼ି ଧାଡ଼ି ହୋଇ ଲୋକ ଠିଆ ହୋଇଥାନ୍ତି । ଟପ୍ ଟପ୍ ହୋଇ ବର୍ଷା ପକାଉଥାଏ । ମନେହେଉଥାଏ, ଯେପରି ଏ ବର୍ଷା ଦିନ ତମାମ ଚାଲିବ । ରାସ୍ତା ଘାଟ କାଦୁଅରେ ପୂର୍ଣ୍ଣ । ଚତୁର୍ଦ୍ଦିଗରେ ଏକ ଉଦାସ ଭାବ ।

 

ଗାଡ଼ିରେ ଚଢ଼ିଲି । ଆଗ ପାଖେ ସଶସ୍ତ୍ର ପ୍ରହରୀମାନେ ଓ ପୁରୋହିତ ମହାଶୟ ଏବଂ ପଛ ପାଖେ ଏକାକୀ ମୁଁ ।

 

ଗାଡ଼ି ସଙ୍ଗେ ଚାରିଜଣ ସଶସ୍ତ୍ର ଘୋଡ଼ା ସବାର ଚାଲିଲେ । ଚତୁର୍ଦ୍ଦିଗରେ ଏଇପରି ସଶସ୍ତ୍ର ସିପାହୀ–ଯେପରି ମୁଁ ଜଣେ ବାଦସାହା !

 

ଗାଡ଼ି ଚାଲିଲା । ବର୍ଷାରେ ସଡ଼କ ଧୋଇ ହୋଇଯାଇ ପଥର ସବୁ ଦେଖା ଯାଉଥାଏ । ଘୋଡ଼ାମାନଙ୍କ ନାଲ ପଥରରେ ବାଜି ଖଟ୍ ଖଟ୍ ଶବ୍ଦ କରୁଥାଏ ।

 

ଜେଲ ଫାଟକ ସଶବ୍ଦରେ ବନ୍ଦ ହୋଇଗଲା । ସେ ଶବ୍ଦ ମୁଁ ବି ଶୁଣି ପାରିଲି । ସେତେବେଳେ ମୁଁ ଯେପରି ତନ୍ଦ୍ରାଚ୍ଛନ୍ନ ଥିଲି । କୌଣସି ଭୟ କିମ୍ୱା ଚିନ୍ତା ମତେ ସ୍ପର୍ଶ କରୁନଥିଲା–ମନେହେଉଥିଲା ଯେପରି ମତେ କିଏ କବରରେ ଜୀବନ୍ତ ସମାଧି ଦେଇଛି ! ଘୋଡ଼ାମାନଙ୍କ ବେକରେ ଘଣ୍ଟା ବନ୍ଧା ହୋଇଥାଏ । ଗାଡ଼ିର ଚକ ଓ ଘୋଡ଼ାମାନଙ୍କ ନାଲର ଶବ୍ଦ ମିଶି ଏକ ବିଚିତ୍ର ଶବ୍ଦ ଶୁଣା ଯାଉଥାଏ । ମନେହେଉଥାଏ ଯେପରି ଝଡ଼ର ପୃଷ୍ଠରେ ବସି ମୁଁ କେଉଁଆଡ଼େ ଯାଉଚି–କେଉଁ ଅଜଣା ଦେଶକୁ, କେଉଁ ସ୍ୱପ୍ନର ରାଜ୍ୟକୁ, ବୋଧହୁଏ କେଉଁ ଏକ ସୁକୁମାରୀ ରାଜକନ୍ୟାର ସନ୍ଧାନରେ ।

 

ଗାଡ଼ି ଭିତରର ଛିଦ୍ରଦେଇ ମୁଁ ବାହାରକୁ ଚାହିଁଥାଏ । ଗୋଟିଏ ସ୍ଥାନରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିଲା “ବୃଦ୍ଧମାନଙ୍କ ପାଇଁ ଡାକ୍ତରଖାନା ।” ଏଇ ସଂସାରରେ ଲୋକମାନଙ୍କୁ ବୁଢ଼ା ହେବାପାଇଁ ବି ସମୟ ମିଳୁଛି । ଆଶ୍ଚର୍ଯ୍ୟର କଥା । ମୋର ଏଇ ଯୌବନ । ଆଚ୍ଛା, ସେ କଥା ଛାଡ଼ ।

 

ଗାଡ଼ି ଘୂରିଲା । ଦୂରରୁ ନୋଟରଡାମର ଗମ୍ଭୁଜମାନ ଦେଖାଯାଉଚି । ପ୍ୟାରିସକୁ ଭେଦି ଗଗନସ୍ପର୍ଶୀ ଗମ୍ଭୁଜ ଉଠିଚି । ମୁଁ ଭାବିଲି, “ଚତୁର୍ଦ୍ଦିଗ ଥରେ ବାହାରୁ ଦେଖିନେଲେ ଭଲ ହେବ ।”

 

ପୁରୋହିତ କଥା କହିବାକୁ ଆରମ୍ଭ କଲେ । ସେ ଖୁବ୍ କହିବାରେ ଲାଗିଥାନ୍ତି । ତାଙ୍କୁ ବାଧା ଦେବାପାଇଁ ତ କେହି ନାହାନ୍ତି । ପୁରୋହିତଙ୍କ ସ୍ୱରଠାରୁ ଘୋଡ଼ାମାନଙ୍କ ନାଲର ଶବ୍ଦ ବେଶୀ ମଧୁରପରି ଜଣାପଡ଼ୁଥାଏ । ତାଙ୍କ କଥା ଶୁଣିବା ପାଇଁ ମୋର ସମୟ କାହିଁ ? ରାସ୍ତା ଉପରୁ କୋଳାହଳ ଶୁଣା ଯାଉଥାଏ ।

 

ସବୁ ଶବ୍ଦ ଶୁଣି ପାରୁଥାଏ । କିନ୍ତୁ ସ୍ୱତନ୍ତ୍ର ଭାବରେ ନୁହେଁ,–ଏକ ଅଦ୍ଭୁତ ମିଶ୍ର ରାଗିଣୀ, କିମ୍ୱା ଯେପରି ଝରଣାର ଝରଝର କଳକଳ ଶବ୍ଦ ।

 

ପୁରୋହିତଙ୍କ କଥା ହଠାତ୍ ଶୁଣି ପାରିଲି । ସେ କହୁଥାନ୍ତି–“କି କଦର୍ଯ୍ୟ ଏଇ ଗାଡ଼ି । ପଦେ କଥା ବି କୁହାଇ ଦେଉନାହିଁ ।”

 

ତାଙ୍କ କଥା ଠିକ୍, ଏକଦମ ଠିକ୍ ।

 

ପୁରୋହିତ କହିଲେ, “ତୁମେ ବୋଧହୁଏ ମୋ କଥା ଶୁଣି ପାରୁନାହଁ ? ହଁ, କ’ଣ କହୁଥିଲି ? ଆଜି ପ୍ୟାରିସରେ ଏତେ ଗୋଳମାଳ କାହିଁକି ହେଉଚି ଜାଣିଚ ?”

 

ମୁଁ ଚମକି ପଡ଼ିଲି । କ’ଣ କିଛି ନୂଆ ଖବର ଅଛି ? ବୋଧହୁଏ ମୋର ଫାଶୀ ହୁକୁମ ଶୁଣି ସେଠାରେ ଗୋଳମାଳ ଆରମ୍ଭ ହୋଇଯାଇଚି ।

 

ପୁରୋହିତ କହିବାରେ ଲାଗିଲେ, ସନ୍ଧ୍ୟା ଆଗରୁ ଖବରକାଗଜ ପଢ଼ିବାକୁ ଫୁରୁସତ ମିଳିବ ନାହିଁ । ପ୍ରତିଦିନ ସନ୍ଧ୍ୟାବେଳେ ମୁଁ ଖବରକାଗଜ ପଢ଼େ । ରାତିରେ ଶୋଇବା ପର୍ଯ୍ୟନ୍ତ ଖବର ମିଳିଯାଏ । ଗୋଟିଏ ସୁଦ୍ଧା ଖବର ମୁଁ ନ ପଢ଼ି ଛାଡ଼େ ନାହିଁ ।

 

ଏତେବେଳଯାଏ ପ୍ରଧାନ ପ୍ରହରୀ ଚୁପ୍‍ ହୋଇ ବସିଥିଲା । ସେ କହିଲା, “ଭାରି ମଜା କଥା । ଆପଣ ଏତେବେଳେଯାଏଁ ଶୁଣି ନାହାନ୍ତି ?”

 

ମୁଁ କହିଲି, “ମୁଁ ଜାଣେ ।”

 

ସେ କହିଲା, “ଆପଣ ଜାଣିଛନ୍ତି ? ଆଶ୍ଚର୍ଯ୍ୟର କଥା କହିଲେ ଦେଖି ।”

 

“ଶୁଣିବାକୁ ଚାହଁ ?”

 

“ନିଶ୍ଚୟ । ପ୍ରତ୍ୟେକ ଲୋକ ଦେଶ ବିଷୟରେ ଆଲୋଚନା କରିପାରେ । ସିଏ ଯିଏ ମନେ ସିଏ ହେଉ । ଆପଣ କଏଦୀ ହେଲେ କ’ଣ ହେଲା ? ମୁଁ, ସୈନ୍ୟ ବିଭାଗରେ ଥିଲି । ପିଲାଦିନେ ମୁଁ କାପ୍ଟେନ ହୋଇଥିଲି । ସେତେବେଳେ ବେଶ୍‍ ଖୁସିରେ ଥିଲି ।”

 

ମୁଁ ଛେପ ଢୋକି କହିଲି, “ସେ କଥା ନୁହେଁ । ମୁଁ ଆଉ ଗୋଟିଏ କଥା ଭାବୁଛି ।”

 

ସେ କହିଲା, “ଆଉ କି କଥା ? ଆପଣ କ’ଣ କହୁଛନ୍ତି । ଆପଣ କିପରି ଜାଣିଲେ ? କିଏ ଆପଣଙ୍କୁ କହିଲା ? ଖବର କ’ଣ, କହିଲେ ।”

 

ପୁରୋହିତ ପଚାରିଲେ, “ତୁମେ କ’ଣ ଭାବୁଚ ?”

 

ମୁଁ କହିଲି, “ସନ୍ଧ୍ୟା ହେବା ପରେ ମୋର ଆଉ କିଛି ଭାବିବାକୁ ନ ଥିବ । ଏହି କଥା ମୁଁ ଭାବୁଚି ।”

 

ପୁରୋହିତ ପୁଣି କହିଲେ, ‘‘ଓଃ ! କି ଦୁଃଖର ବିଷୟ ! ତୁମେ ଖୁବ୍ ବେଶୀ ଚିନ୍ତା କରୁଚ-! ହୃଦୟରେ ସାହସ ବାନ୍ଧ । ମନ ଦମ୍ଭ କର ।’’

 

ପ୍ରଧାନ ପ୍ରହରୀ କହିଲା, “ଆପଣ ଭାରି ଦୁଃଖ କରୁଛନ୍ତି ବୋଲି ଜଣାପଡ଼ିଚି । କାସ୍ତେଙ୍ଗାଙ୍କୁ ଯେତେବେଳେ ମୁଁ ଏଠାକୁ ଆଣିଥିଲି, ସେ ବାଟଯାକ ହସି ହସି ଆସିଥିଲେ ।”

 

ସେ ନିଜ ଅଙ୍ଗେ ଲିଭାଇଥିବା କଥା କହିବାରେ ଲାଗିଲା ।“ପାପାମା ବି ମୋ ସଙ୍ଗେ ଆସିଥିଲେ । ବାଟଯାକ ଖାଲି ଚୁରୁଟ ଟାଣି ଟାଣି ସେ ଆସିଥିଲେ । ରୁବେଲ୍‍ର ସେଇ ବିପ୍ଳବୀ ଟୋକା ଏମିତି ହସି ହସି ପାଟି କରି କରି ଆସିଥିଲା ଯେ ସେକଥା କହୁନ୍ତୁ ନାହିଁ–”

 

ପୁରୋହିତ କହିଲେ, “କଷ୍ଟ ସହିବା ଏବଂ ଦୁଃଖ କରିବା ଏକପ୍ରକାର ପାଗଳାମୀ । ନିର୍ବୁଦ୍ଧିଆମାନଙ୍କ କାମ । ତଥାପି ଆପଣ ଭାରି ଦୁଃଖିତ ଥିବାର ଜଣାଯାଉଛି । ଆପଣାଙ୍କର ଅତି ଅଳ୍ପ ବୟସ !”

 

ମୁଁ ଚିତ୍କାର କରିଉଠିଲେ, “ଅଳ୍ପ ବୟସ ? ଆପଣ କ’ଣ କହୁଛନ୍ତି ? ଆପଣଙ୍କଠାରୁ ମୋ ବୟସ ବେଶୀ । ମୋ ବୟସ ତ ପ୍ରତି ଘଣ୍ଟାରେ ଦଶବର୍ଷ କରି ବଢ଼ିବାରେ ଲାଗିଛି ।”

 

ପୁରୋହିତ ହସି ହସି କହିଲେ, “କାହିଁକି ଏତେ ଥଟ୍ଟା ନକଲ ? ମୋ ବୟସ ଆପଣଙ୍କ ଅଜାଙ୍କ ବୟସ ସଙ୍ଗେ ସମାନ ହେବ ।”

 

ମୁଁ ଗମ୍ଭୀର ହୋଇ କହିଲି, “ଆପଣ ଥଟ୍ଟା କରୁଛନ୍ତି, ମୁଁ ଠିକ୍ କହୁଚି ।”

 

ପୁରୋହିତ ନାସଦାନି ଖୋଲୁ ଖୋଲୁ ମୋ’ଆଡ଼େ ଅନେଇ କହିଲେ, “ବିରକ୍ତ ହେବନାହିଁ ଭାଇ–”

 

ମୁଁ କହିଲି, “ନା, ନା । ବିରକ୍ତ ହେବାର କାରଣ କ’ଣ ଅଛି ?’’

 

ଏଇ ସମୟରେ ଧକ୍କା ଲାଗି ତାଙ୍କର ନାସଦାନି ଓଲଟିପଡ଼ି ତଳେ ପଡ଼ିଗଲା । ନାସତକ ତଳେ ବିଞ୍ଚି ହୋଇଗଲା । ବ୍ୟସ୍ତ ହୋଇ ଖାଲି ଦାନି ତଳୁ ଗୋଟାଇ ପୁରୋହିତ କହିଲେ “ହେ ଭଗବାନ ! ସବୁ ନାସ ତ ଢାଳି ହୋଇଗଲା, ମୁଁ ଏବେ କ’ଣ କରିବି ?”

 

ମୁଁ କହିଲି, “କ’ଣ ଆଉ କରିବେ ? ଦୁଃଖ କ’ଣ ଆରାମ, ସୁଖ ସବୁ ତୁଚ୍ଛ । ମୋ’ଆଡ଼କୁ ଅନାନ୍ତୁ, ଆପଣ ଶାନ୍ତି ପାଇବେ ।”

 

ପୁରୋହିତ ଗର୍ଜ୍ଜି ଉଠିଲେ, “ରଖ ହୋ ତମର ଥଟ୍ଟା । ଭାରି ତୁଚ୍ଛ କରିବାବାଲା । ତୁମର ଦୁଃଖ କ’ଣ ? ମୁଁ ବୁଢ଼ା ମଣିଷ । ରହିଗଲିଣି । ନାସ ଟିକିଏ ନାହିଁ । ଏତେବାଟ କିପରି କଟିବ ?”

 

ଦେଖିଲ ତ ପୁରୋହିତଙ୍କ କଥା । ମୋ ଦୁଃଖଠାରୁ ତାଙ୍କ ଦୁଃଖ ବେଶୀ, କାରଣ ତାଙ୍କ ନାସ ଢାଳିଗଲା । କି ସ୍ୱାର୍ଥାନ୍ଧ ଏହି ପୁରୋହିତଗଣ !

 

ନାସ ଦୁଃଖରେ ପୁରୋହିତ ମହାଶୟ ଚୁପ୍ ହୋଇ ବସିଗଲେ । ସେ ଚୁପ୍ ହୋଇଗଲେ-। ଗାଡ଼ି ଭିତର ନୀରବ ହେଲା । ଘର୍‍ଘର୍ ଶବ୍ଦ କରି ଗାଡ଼ି ଆଗପରି ଚାଲିବାକୁ ଲାଗିଲା ।

 

ଶେଷରେ ଗାଡ଼ି ଆସି ମାହାସୁଲ ଘର ପାଖେ ଅଟକିଲା । କର୍ମଚାରୀମାନେ ଆସି ଗାଡ଼ି ଭିତର ପରୀକ୍ଷା କରି ଚାଲିଗଲେ । ଯଦି ମୁଁ ମେଣ୍ଢା କିମ୍ୱା ଛେଳି ହୋଇଥାନ୍ତି ତେବେ ସେମାନଙ୍କୁ ଦକ୍ଷିଣା ଦେବାକୁ ପଡ଼ିଥାନ୍ତା । କିନ୍ତୁ ବଡ଼ ଦୁଃଖର କଥା, ମୁଁ ମଣିଷ, ବିନା ମହାସୁଲରେ ଛାଡ଼ ପାଇଗଲି ।

 

ତା’ପରେ ଗାଡ଼ି କେତେ ଛୋଟ ବଡ଼ ଅଙ୍କା ବଙ୍କା ରାସ୍ତା ଉପରେ ଘୂରି ଘୂରି ପ୍ରଶସ୍ତ ରାଜପଥରେ ଆସି ପହଞ୍ଚିଲା । ଏହା ସିଧା କାଁସିଆରଜାରୀକୁ ପଡ଼ିଛି । ରାସ୍ତା ଉପରେ ଲୋକେ ଅବାକ୍ ହୋଇ ଗାଡ଼ିକୁ ଚାହିଁଥାନ୍ତି । ଖବରକାଗଜ ବିକାଳୀ ଏପଟ ସେପଟ ଦୌଡ଼ୁଥାନ୍ତି ।

 

ସାଢ଼େ ଆଠଟା ବେଳେ ମୁଁ କାଁସିଆରଜାରୀରେ ପହଞ୍ଚିଲି । ଆଗରେ ବିରାଟ ଜେଲଖାନା । ବିଶାଳ ଲୁହା ଫାଟକ ଦେଖି ମୋର ରକ୍ତ ଶୀତଳ ହୋଇଗଲା । ଗାଡ଼ି ଅଟକିଲା । ମନେହେଲା, ମୋର ହୃତ୍‍ସ୍ପନ୍ଦନ ଯେପରି ହଠାତ୍ ବନ୍ଦ ହୋଇଯାଇଚି ।

 

ସାହସ କରି କୌଣସିମତେ ମୁଁ ଓହ୍ଲାଇବା ପାଇଁ ସଜ ହେଲି । ଗାଡ଼ିର ଦୁଆର ବି ଏତିକିବେଳେ ଖୋଲିଗଲା । ଗାଡ଼ିର ଅନ୍ଧାରୀ କୋଠରୀ ଭିତରୁ ମୁଁ ତଳକୁ ଡେଇଁପଡ଼ିଲି । ଦୁଇଜଣ ପ୍ରହରୀ ମୋର ଦୁଇ ହାତ ଧରି ପକାଇଲେ । ଦୁଇ ଦଳ ସୈନ୍ୟ ଧାଡ଼ି ବାନ୍ଧି ଠିଆ ହୋଇଥାନ୍ତି । ସେମାନଙ୍କ ମଝିରେ ମୁଁ ଚାଲିବାକୁ ଆରମ୍ଭ କଲି । ମତେ ଦେଖିବା ପାଇଁ ବାହାରେ ଅସମ୍ଭବ ଭିଡ଼ ।

 

-୧୩-

 

ସେଇ ସୈନ୍ୟବାହିନୀ ମଧ୍ୟରେ ଚାଲିଲାବେଳେ ଖୁବ୍‍ ଭଲ ଲାଗୁଥାଏ । ମନେହେଉଥାଏ ମୁଁ ଯେପରି ସ୍ୱାଧୀନ, କଏଦୀ ନୁହେଁ । କିନ୍ତୁ ଯେତେବେଳେ ସିଡ଼ି ପାର ହୋଇ ସେଇ ଅନ୍ଧକାରାବୃତ୍ତ କୋଠରୀରେ ପହଞ୍ଚିଲି ସେତେବେଳେ ବିରକ୍ତ ଓ ଅବସାଦ ଆସି ମତେ ଆଚ୍ଛନ୍ନ କରିଦେଲା ।

 

ପ୍ରହରୀ ବରାବର ସାଙ୍ଗେ ସାଙ୍ଗେ ଆସୁଥାଏ । ପୁରୋହିତ ଆପଣେ ଦୁଇଘଣ୍ଟା ପରେ ଫେରିବେ ବୋଲି କହି ଦେଇ କେଉଁଆଡ଼େ ଚାଲିଗଲେ । କିଏ ଜାଣେ ତାଙ୍କର କି କି କାମ କରିବାକୁ ଅଛି ?

 

ମୁଁ ଜେଲରଙ୍କ କୋଠରୀକୁ ଆସିଲି । ତାଙ୍କ ହାତରେ ପ୍ରହରୀ ମତେ ସମର୍ପଣ କରିଦେଲା । ମୁଁ ହସିଲି । ମୋର କେତେବଡ଼ ପ୍ରିୟ ବନ୍ଧୁଙ୍କ ହାତରେ ସେ ମୋତେ ସମର୍ପି ନ ଦେଲା ।

 

ଜେଲର ମହାଶୟ ସେଇ ସମୟରେ ଭାରି ବ୍ୟସ୍ତ ରହିଥାନ୍ତି । ପ୍ରହରୀକୁ ସେ କହିଲେ “ଟିକିଏ ରହ, ମୁଁ ବର୍ତ୍ତମାନ ସବୁ ବୁଝି ନେଉଚି ।”

 

ଠିକ୍ କଥା । ଜମାଖର୍ଚ୍ଚ ଖାତାରେ ହିସାବ ନ ମିଳାଇ ସେ କେମିତି ଜଣେ ମଣିଷକୁ ଖାତାରେ ଜମା କରିପାରିବେ ? ସେତିକିବେଳେ ସେ କୌଣସି ଜଣେ ହତଭାଗ୍ୟ କଏଦୀର ଭାଗ୍ୟଲିପି ଉପରେ ଝୁଙ୍କି ପଡ଼ିଥାନ୍ତି ।

 

ପ୍ରହରୀ କହିଲା, “ଆଜ୍ଞା, ସେତେବେଳ ଯାଏ ମୁଁ ବି ଟିକିଏ କାଗଜ ଦେଖି ନିଏ ।”

 

କାଗଜର ଲଫାପାଟିଏ ବାହାର କରି ପ୍ରହରୀ ପଢ଼ିବାରେ ଲାଗିଗଲା । ମୁଁ ସେ ଘରର କୋଣରେ ଠିଆ ହୋଇରହିଲି । ମୋଟା ଲୁହା ରେଲିଂ ଦେଇ ଆକାଶ ଆଖିରେ ପଡ଼ୁଥାଏ– । ଆକାଶରେ କିଏ ଯେପରି ଏକ ରଙ୍ଗ ବୋଳି ଦେଇଛି । ଉଜ୍ଜ୍ୱଳ ନୀଳ ଆକାଶ ! ଆହା !

 

ଉପରକୁ ମୁଁ ଏକ ଲୟରେ ଚାହିଁଥାଏ । ଭାବୁଥାଏ, ମୁଁ ଏଠି ଠିଆ ହୋଇଚି, ଆଉ ମୋ ସ୍ତ୍ରୀ ଓ ଝିଅ ? ସେମାନେ ବି ଏଇ ଆକାଶର ତଳେ ରହିଛନ୍ତି । ଜାଣେନା ଏ ଜୀବନରେ ସେମାନଙ୍କ ସଙ୍ଗେ କେବେ ସାକ୍ଷାତ ହେବ କି ନାହିଁ !

 

ପ୍ରହରୀ ମତେ ନିକଟରେ ଥିବା ଗୋଟିଏ କୋଠରୀକୁ ନେଇଗଲା । କୋଠରୀଟି ଅନ୍ଧାରରେ ପୂର୍ଣ୍ଣ । ଝରକା ଦୁଇଟି ଲୁହା ଜାଲରେ ଘେରା । ଗୋଟିଏ ଝରକା ପାଖରେ ଆସି ମୁଁ ବସିଗଲି ।

 

କେତେବେଳ ଯାଏଁ ବସିଲି, ଠିକ୍ ମନେ ନାହିଁ । ହଠାତ୍ କାହାର ଅଟ୍ଟହାସ୍ୟ ମୋର ଧ୍ୟାନ ଭାଙ୍ଗିଦେଲା । ମୁଁ ମୁହଁ ବୁଲାଇ ପଛକୁ ଚାହିଁଲି । ଆଉ ଜଣେ ମଣିଷ । ବୟସ ନିଶ୍ଚୟ ପଚାଶରୁ ବେଶୀ । ପିଠି ଲଇଁ ଯାଇଛି । ବାଳ ପାଚି ଯାଇଛି । ଖୁବ୍ ବଳୁଆ ବୋଲି ଜଣା ଯାଉଥାଏ-। ଆଖି ଓ ମୁହଁରେ ବିକଟାଳ ଭାବ । ତାକୁ ଦେଖି ଭୟ ଲାଗିଲା ।

 

ମୁଁ ତାକୁ ପ୍ରଥମେ ଦେଖିପାରିନଥିଲି, ସେ ସେଇ କୋଠରୀରେ ବସିଥିଲା । ଆଶ୍ଚର୍ଯ୍ୟ ! ଇଏ କ’ଣ ମୃତ୍ୟୁ ? ଆଜି ଏପରି ବେଶରେ ମତେ ପ୍ରସ୍ତୁତ କରିବା ପାଇଁ ଆସିଚି ?

 

ସେ କହିଲା, “ଆରେ, କେଉଁ ଚିନ୍ତାରେ ତୁମେ ଏମିତି ମଜ୍ଜିଯାଇଚ ? କେତେବେଳୁ ବସିଲିଣି, ମତେ ଦେଖି ବି ପାରିଲ ନାହିଁ ? ତୁମ ନାଁ କ’ଣ ହୋ ?”

 

ମୁଁ କିଛି କହିଲି ନାହିଁ । କେବଳ ମୁଁ ତାକୁ ଦେଖିବାରେ ଲାଗିଲି ।

 

ସେ କହିଲା, “ମତେ ଆଉ କ’ଣ ଦେଖୁଚ ? ମୁଁ ଗୋଟାଏ ଲଗେଜ୍–ଷ୍ଟେସନ ମୋହର ମୋ ଉପରେ ବସି ସାରିଲାଣି । ଏବେ ରେଳ ଆସିବାଯାଏ ଯାହା ଡେରି ।”

 

ବେଶ୍ ରସିକ ଲୋକଟା । ମୁଁ ପଚାରିଲି, “ମାନେ ?”

 

ସେ ହୋ ହୋ ହୋଇ ହସିଉଠିଲା । ମୁଁ ଡରିଗଲି । ସେ କହିବାରେ ଲାଗିଲା, “ତା’ ଅର୍ଥ କ’ଣ ବୁଝିପାରିଲ ନାହିଁ ? ଅତି ସାଧାରଣ କଥା । ଆଉ ମାତ୍ର ଛ’ ସପ୍ତାହ ପରେ ମତେ ଏଇ ଦୁନିଆର ଆର ପାରକୁ ପଠାଇ ଦିଆଯିବ । ଏଥିପାଇଁ ଏବେ ମୋ ଉପରେ ଚାଲାନର ମୋହର ଲଗା ହୋଇ ସାରିଲାଣି । ଏହା କହିବାର ଅର୍ଥ ହେଉଛି–ଛ’ ଘଣ୍ଟା ପରେ ତୁମର ଯେଉଁ ଦଶା ହେବ, ଛ’ ସପ୍ତାହ ପରେ ମୋର ବି ସେଇ ଦଶା ହେବ । ଏବେ ବୁଝିପାରିଲ ତ ମୁଁ ତୁମର କେତେ ବଡ଼ ସାଙ୍ଗ ?”

 

ମୋର ଶିରାପ୍ରଶିରା ସଙ୍କୁଚିତ ହୋଇଗଲା ।

 

ସେ କହିବାରେ ଲାଗିଲା, “ମନେ ମନେ ଭାବିବାରେ କିଛି ଫଳ ନାହିଁ ଭାଇ । ମୋ କଥା ଶୁଣ । ମୁଁ ମୋ କଥା କହିବି ? ସମୟ ବି କଟିଯିବ । ଭାରି ମଜାଦାର କଥା ।”

 

ସେ କହିବାକୁ ଆରମ୍ଭ କଲା, “ଚୋରୀ, ଡକାଏତୀ ଆମର ପୁରୁଷ ପୁରୁଷ ଧରି ପେଷା-। ତଥାପି ମୁଁ ଏକୁଟିଆ ଫାଶୀରେ ଝୁଲିବି । ଭାଗ୍ୟର ଲେଖନ ।

 

“ମତେ ଯେତେବେଳେ ଛ’ବର୍ଷ, ସେତେବେଳେ ବାପ ମା’ ମତେ ଛାଡ଼ି ସେଇ ଅଜଣାଲୋକର ଯାତ୍ରୀ ହୋଇଗଲେ । ପକେଟ କାଟି, ବୋକା ଲୋକଙ୍କୁ ଆହୁରି ବୋକା ବନାଇ ମୁଁ ଆନନ୍ଦରେ ନିଜ ପେଟ ପୋଷିବାରେ ଲାଗିଲି । ଏହା ହିଁ ତ ପୂର୍ବପୁରୁଷମାନଙ୍କ ପେଷା ଥିଲା !

 

“ଶୀତ ଦିନେ, ଯେତେବେଳେ ରାସ୍ତାଘାଟ ବରଫରେ ଭର୍ତ୍ତି ହେଇଯାଏ, ସେତେବେଳେ ସେଇ ବରଫ ଉପରେ ମୁଁ ଖାଲି ପାଦରେ ଚାଲେ । ଷ୍ଟେସନ, ହୋଟେଲ, ଟ୍ରେନ, ବିଭିନ୍ନ ସ୍ଥାନରେ ସମୟ ବିତାଇ ଦିଏ ।

 

‘‘ପନ୍ଦର ବର୍ଷ ବେଳେ ମୁଁ ପ୍ରଥମେ ଧରାପଡ଼ିଲି । ପିଠିରେ କେତେଥର ବେତ ମାଡ଼ ହେଲା ଓ ଦି’ ଚାରିଦିନ ପାଇଁ ଜେଲ ବି ହୋଇଗଲା । ଯେତେବେଳେ ମୁଁ ଜେଲରୁ ଫେରିଲି ମୋର କୌଶଳ ବଢ଼ିଗଲା । ମୁଁ ଦଳର ମୁଖିଆ ହୋଇଗଲି ।’’

 

“ତା’ପରେ ବଡ଼ ବଡ଼ କାମରେ ହାତ ଦେଲି । ସହରର ନାମଜାଦା ବଣିଆ ଦୋକାନରେ ମୁଁ ମୋର ଦଳ ସହିତ ପହଞ୍ଚିଲି । ଦୋକାନ ଲୁଟପାଟ କଲି । ଦି’ଜଣ ଦରୁଆନଙ୍କୁ ପ୍ରାଣରେ ମାରିଦେଲି । ସାହାସ ବି ବଢ଼ିଗଲା । କିନ୍ତୁ ଶିଖି ମନାଇଙ୍କର ତ ଅଭାବ ନାହିଁ କେଉଁଠି । ଆମ ଦଳର ଜଣେ ବିଶ୍ୱାସଘାତକ ଆମକୁ ଧରାଇ ଦେଲା । ଜେଲର ପାଣି ପବନରେ ସାତ ବର୍ଷ ବିତିଗଲା । ପୁଣି ବାହାରକୁ ଆସିଲି । ସେମିତି କିଛି ପ୍ରମାଣ ନଥିଲା । ଥିଲେ ତ କେବେ ଜେଲ ବାହାରେ ପାଦ ପକାଇବାର ବିପଦ ଆସି ନଥାନ୍ତା । ସେଇ ହତଭାଗା ସ୍ଵାର୍ଥପର ବିଶ୍ୱାସଘାତକ ଉପରେ ଭାରି ରାଗ ଆସିଲା ।

 

“ଯେତେବେଳେ ମକଦ୍ଦମା ଶେଷ ହେଲା, ସେ ସମୟରେ ସେ ଅଦାଲତ ବାହାରେ ଠିଆ ହୋଇଥିଲା । ମୁଁ ତୀକ୍ଷ୍ଣ ଦୃଷ୍ଟିରେ ତାକୁ ଚାହିଁଲି । ସେ ଦୁଷ୍ଟିରେ ନିଆଁ ବର୍ଷୁଥିଲା । ତାହା ତାହାର ଶିରାପ୍ରଶିରାରେ ଭେଦିଗଲା । ଭୟରେ ତା’ ମୁହଁ ଶୁଖିଗଲା । ସାତ ବର୍ଷ ପରେ ମୁଁ ପୁଣି ବାହାରକୁ ବାହାରିଲି ।’’

 

“ଦୁଇ ଦିନ ଏପଟ ସେପଟ ହୋଇ କଟିଗଲା । ଗୋଟିଏ ସୁଦ୍ଧା ଦାନା ପେଟରେ ପଡ଼ିଲା ନାହିଁ । ପ୍ରତିହିଂସା ପାଇଁ ଭିତରେ ନିଆଁ ଜଳୁଥିଲା ।

 

“ରାତିରେ ଝରକା ଭାଙ୍ଗି ଗୋଟିଏ ହୋଟେଲରେ ପଶିଲି । ପେଟ ଭରି ଖାଇଲି, ଚୁପ୍‍ଚାପ୍ –ଯେପରି କେହି କିଛି ଜାଣି ନ ପାରନ୍ତି ।

 

‘‘ସାତ ଆଠ ଦିନ ପରେ ମୋ ଦଳର ଦୁଇ ଚାରିଜଣ ଲୋକଙ୍କ ସଙ୍ଗେ ଦେଖା ହେଲା । ସେମାନେ ଚୋରୀ ଛାଡ଼ି ଦେଇଥିଲେ । କେହି ଚାକିରି କରୁଥିଲା ତ ଆଉ କିଏ ପୂରାପୂରି ଚାଷୀ ପାଲଟି ଯାଇଥିଲା । ସମସ୍ତେ ଭଲ ଲୋକ ହୋଇସାରିଥିଲେ ।’’

 

”ନୂଆ ଦଳ ଗଢ଼ିଲି । ବାଛି ବାଛି ଯୁବକ ଏବଂ ବଳବାନ ଲୋକଙ୍କୁ ଭର୍ତ୍ତି କଲି ।

 

‘‘ତା’ପରେ ଖୁବ୍ ଆଡ଼ମ୍ୱରରେ କାମ ଚାଲିଲା । ପ୍ରତିଦିନ ଲୁଟ, ପ୍ରତିଦିନ ବିଜୟ । ପ୍ରତିଦିନ ନୂଆ ନୂଆ ମଜା । ଆନନ୍ଦର ଝରଣା ଛୁଟିବାରେ ଲାଗିଲା । କିନ୍ତୁ ଭାଗ୍ୟ ପୁଣି ଓଲଟିଲା । ଗୋଟି ଗୋଟି ହୋଇ ଦଳର ଲୋକେ ଧରା ହେଲେ । ଦଳ ଭାଙ୍ଗିଗଲା । କାମ ବନ୍ଦ ହୋଇଗଲା । ରାଗରେ ମୁଁ ପାଗଳପରି ହୋଇଗଲି ।

 

‘‘ତା’ପରେ ଦିନେ ସେଇ ପୁରୁଣା ବିଶ୍ୱାସଘାତକ ସଙ୍ଗେ ସଡ଼କ ଉପରେ ଦେଖା ହୋଇଗଲା । ମତେ ଦେଖି ସେ ଥରିବାକୁ ଲାଗିଲା । ମୁଁ ତା’ର ବାଳକୁ ଧରି ପକାଇ କହିଲି ‘କି ହୋ ଆଜି’ ?’’

 

“ସେ ବାଉଳି ହୋଇ କହିବାରେ ଲାଗିଲା, ‘କ୍ଷମା କରନ୍ତୁ ସର୍ଦ୍ଦାର’ !’’

 

‘‘ମୁଁ କହିଲି, ‘ବିଶ୍ୱାସଘାତକକୁ ମୁଁ କ୍ଷମା ଦେଇପାରିବି ନାହିଁ’ ।’’

 

‘‘ସେ କହିଲା, ‘ମୁଁ ପରା ଆପଣଙ୍କ ଚାକର’ ।’’

 

“ବିଶ୍ୱାସଘାତକ ଚାକରକୁ ମୁଁ ଏହିପରି ଶିକ୍ଷା ଦେଉଚି ।’’ କହି ମୁଁ ପିଠିକୁ ଗୋଇଠାଏ ପକାଇଲି । ସେ ପାଞ୍ଚହାତ ଦୂରକୁ ଛିଞ୍ଚାଡ଼ି ହୋଇ ପଡ଼ିଲା । ପାଟିରୁ ରକ୍ତ ବାହାରିଲା । ମୁଁ କହିଲି, ‘ଉଠ୍, ଚାଲ୍ ।’

 

‘‘ତାକୁ ମୁଁ ନେଇ ଚାଲିଲି । ସେତେବେଳେ ମୁଁ ଗୋଟିଏ ରାକ୍ଷସ ପାଲଟି ଯାଇଥିଲି । ମୋର ଏଡ଼େ ସୁନ୍ଦର ଦଳ, ପୁରୁଣା ସାଙ୍ଗମାନଙ୍କ ଦଳ–କେବଳ ଏଇ ବଦମାସ ଯୋଗୁଁ ଭାଙ୍ଗିଗଲା-। ସୈତାନ !’’

 

‘ମୁଁ ପକେଟରୁ ଛୁରୀ ବାହାର କଲି । ତା’ର ଦୁଇ କାନ କାଟି ଦେଲି । ସେ ବେହୋସ ହୋଇ ପଡ଼ିଗଲା । ମୋ ମୁଣ୍ଡ ଭିତରେ ନିଆଁ ଜଳୁଥିଲା । ମୁଁ ତାକୁ ଛାଡ଼ିଦେଇ ଠିଆ ହେଲି ।’

 

“ତା’ପରେ ପୁଲିସ ଆସି ତା’ଠାରୁ ସବୁକଥା ଲେଖିନେଲେ ଏବଂ କେତେଦିନ ପରେ ସେ ଡାକ୍ତରଖାନାରେ ମରିଗଲା । ମୁଁ ବି ଧରାପଡ଼ିଲି । ମତେ ଫାଶୀର ହୁକୁମ ମିଳିଲା । ଠିକ୍ ହୋଇଚି । କ’ଣ କହୁଚ ? ଏକ ପ୍ରକାର ମୁଁ ତ ତା’ର ଜୀବନ ନେଇଛି । ନିନ୍ଦା ଅପବାଦ ପାଇଁ ମୋତେ ଚିନ୍ତା ନାହିଁ । ଚୋରୀ କରି କରି ଭାରି ଖରାପ ଲାଗୁଥିଲା । ସାଧାରଣ ଚୋରୀରେ ମତେ କେବେ ଆନନ୍ଦ ମିଳିନଥାନ୍ତା । ଯଥେଷ୍ଟ ବୁଦ୍ଧି ଖଟାଇଥିଲି । ଏପରି ବୁଦ୍ଧିଆ ସାହାସୀ ସାଥି ବି ଏବେ କେଉଁଠୁ ମିଳିବେ ? ଏଇଥିପାଇଁ ଏଇ ଜୀବନରେ ଆଉ କୌଣସି ମୋହ ନାହିଁ । ମାୟା ନାହିଁ । ମରିବା ଆଗରୁ ବିଶ୍ୱାସଘାତକକୁ ନିଜ ହାତରେ ଦଣ୍ଡ ଦେଇ ସାରିଛି । ଏହା କ’ଣ କମ୍ ଖୁସିର କଥା ? ଆଉ ଦୁଇ ଚାରିଟା ଚୋରୀ ଗପ ତମକୁ ଶୁଣାଇବାକୁ ଇଚ୍ଛା ହେଉଛି । ଶୁଣିଲେ ବୁଝିପାରନ୍ତ ମୁଁ କିପରି ବୁଦ୍ଧିଆ ଥିଲି । ମୋର ଏଡ଼େ ସୁନ୍ଦର ବୁଦ୍ଧି ଫାଶୀରେ ଝୁଲିବ । ବଡ଼ ଦୁଃଖର କଥା । ଦେଶର ଦୁର୍ଭାଗ୍ୟ !”

 

ତା’ କଥା ଶୁଣି ମୋ ଦେହରେ ଶିହରଣ ଆସୁଥିଲା । ଜାଣେନା ଏଇ ରାକ୍ଷସ, ଏଇ ପିଶାଚ କେତେବେଳେ ମୋ ନିକଟରୁ ଚାଲିଯିବ ।

 

ସେ କହିଲା “ତୁମେ ବଡ଼ ସାଧାସିଧା ଲୋକପରି ଜଣାପଡ଼ୁଚ । ଫାଶୀରେ ଚଢ଼ିବାକୁ ଯାଉଚ, ଏବେ ପୁଣି ଅନୁତାପ କରୁଚ ? ଫାଶୀରେ ଚଢ଼ିବା ତ ମଜାର କଥା । ତୁମେ ଜାଣିନା ? ମଉଜ କର, ହସ ଖୁସିରେ ସମୟ କଟାଇଦିଅ । ଲୋକ ଜାଣିବେ ଫାଶୀକୁ ବି ଇଏ ଡରୁ ନାହିଁ । ମରଣ ତା’ପାଇଁ ଏକ ଖେଳ । ଏହା ଦେଖି ସମସ୍ତେ ଅବାକ୍ ହୋଇଯିବେ । ବାହାଦୁରି କଥା ବୋଲି କହିବେ । ମତେ ଦେଖୁଚ ତ ? କେମିତି ମଜାରେ ଅଛି ? ଖାଲି ଅନୁତାପ କଲେ କ’ଣ ମିଳିବ ?”

 

ମୁଁ କହିଲି, “ଆପଣ ନିଶ୍ଚୟ ଜଣେ ଭଦ୍ରଲୋକ ।”

 

ସେ ଜୋରରେ ହସିଉଠିଲା । ତା’ର ବିକଟାଳ ହସରେ କୋଠରୀଟି ଥରି ଉଠିଲା । ସେ କହିଲା, “ଓହୋ ‘ମହାଶୟ’ ! ଆପଣ ସଫାଲୁଗା ପିନ୍ଧିଛନ୍ତି, ଆପଣ ଭଦ୍ରଲୋକ । ମୁଁ ତ ଏ କଥା ଜାଣିନଥିଲି ? ତଥାପି ଭଦ୍ରଲୋକଙ୍କୁ ଫାଶୀ ଦିଆଯାଉଛି । ବଡ଼ ଆଶ୍ଚର୍ଯ୍ୟର କଥା !”

 

ତା’ କଥାରେ ବିଦ୍ରୂପ ଭରି ରହିଥିଲା । ମୁଁ ଚୁପ୍‍ ରହିଲି । ସେ କହିବାରେ ଲାଗିଲା, “କେବଳ ପୁରୋହିତ ଆସିବା ଯାଏ ଯାହା ଆପଣାଙ୍କର ଡେରି । ଆପଣ ତ ଜମିଦାର ଲୋକ । ଫାଶୀ ପାଇବାକୁ ଯାଉଛନ୍ତି । ଆପଣଙ୍କର ଏଇ ସୁନ୍ଦର କୋଟଟି କାହିଁକି ନଷ୍ଟ କରିବେ ? ମତେ ଦିଅନ୍ତୁ । ଶୀତରୁ ରକ୍ଷା ମିଳିବ । ନହେଲେ ତାକୁ ବିକି ଚୁରୁଟ ମଗାଇବାର ବାଟ କରିବି ।”

 

ମୁଁ କୋଟ ଖୋଲିଦେଲି । ମୁହୂର୍ତ୍ତକ ପାଇଁ ଦେହ କମ୍ପି ଉଠିଲା । ସେ କହିଲା, “ଆପଣ ଅମୀର । ଏଇ ଜାଡ଼ ସହିପାରିବେ ନାହିଁ । ନିଅନ୍ତୁ, କୋଟ ପିନ୍ଧି ପକାନ୍ତୁ ।

 

ସେ କୋଟକୁ ମୋ ହାତକୁ ବଢ଼ାଇ ଦେଲା । ମୁଁ କହିଲି, “ମୁଁ ଶୀତ ସହିପାରିବି । କୋଟଟା ଆପଣ ନିଅନ୍ତୁ ।”

 

ଝରକା ପାଖକୁ ଆସି ସେ କୋଟକୁ ଭଲଭାବରେ ଦେଖିବାରେ ଲାଗିଲା । ଓଲଟ ପାଲଟ କରି କିଛି ସମୟ ସେ ଦେଖିଲା । କହିଲା, “ଏହା ତ ଏକବାରେ ନୂଆପରି ଜଣାପଡ଼ୁଚି ହଉ, ଆପଣଙ୍କ ଦୟା ଯୋଗୁଁ ଛ’ହପ୍ତା ଚୁରୁଟ, ତମାଖୁର ଅଭାବ ହେବ ନାହିଁ । ଧନ୍ୟବାଦ । କିଛି ଖରାପ ମନେକରିବେ ନାହିଁ ମୁଁ ରହିଲି । ଗରିବ ଲୋକ, କଥା କହି ଆସେ ନାହିଁ ।”

 

ଏତିକିବେଳେ ଜେଲର ଭିତରକୁ ଆସିଲେ । ମତେ ଜଣେ ପ୍ରହରୀର ଜିମାରେ ଓ ତାକୁ ଦୁଇଜଣ ପ୍ରହରୀଙ୍କ ଜିମା ଦେଇ ସେ ବାହାରକୁ ଚାଲିଗଲେ ।

 

ଆମେ ବି ବାହାରକୁ ଆସିଲୁ । ବାହାରକୁ ଆସି ସେ କହିଲା, “ଭୁଲିବେ ନାହିଁ ଆଜ୍ଞା, ଏହା ଅମର ଶେଷ ଦେଖା ସାକ୍ଷାତ । ପୁଣି ଛ’ହପ୍ତା ପରେ ଦେଖା ହେବ । ସେଠି ଆପଣ ମତେ ଅପେକ୍ଷା କରିଥିବେ ।”

 

ତା’ କଥା ଶୁଣି ମୋ ଦେହ ଥରି ଉଠିଲା । ସେ କ’ଣ କହିଛି । ଲୋକଟା ପାଗଳ ନା ବୋକା ?

 

-୧୪-

 

ସେ ଥିଲା ଜଣେ ମଜାଦାର ଲୋକ । ମୋ କୋଟଟି ନେଇ ସିଧା ଚାଲିଗଲା ।

 

ମୁଁ କାହିଁକି ଦେଇଦେଲି ? ନା, ମୁଁ ତ ଦେଇ ନାହିଁ । ମୁଁ ଭାବିଲି ସେ ଥଟ୍ଟା କରୁଥିବ । କିନ୍ତୁ ମୁହଁ ଉପରୋଧରେ ଫେରାଇ ନେଇ ପାରିଲି ନାହିଁ ।

 

ପକ୍କା ପୁରୁଣା ଚୋର । ପାଦରେ ଯାହାକୁ ଦଳିଦେଇ ପାରିଥାନ୍ତି, ସେ ମତେ ବନ୍ଧୁ ବୋଲି ସମ୍ୱୋଧନ କରିଗଲା ?

 

ରାଗରେ ଦେହ ଥରି ଉଠିଲା । ମରଣ ମୁଣ୍ଡ ଉପରେ । ବର୍ତ୍ତମାନ ସେ ନିର୍ଦ୍ଦୟପରି ମତେ ପେଶି ଦେବ । ଏତେବେଳ ପର୍ଯ୍ୟନ୍ତ ଧନୀସମ୍ପ୍ରଦାୟର ଅହଙ୍କାର ମୋର ଶିରାପ୍ରଶିରାରେ ପୂର୍ଣ୍ଣ ହୋଇ ରହିଚି । ମୁଁ ମୂର୍ଖ । ବୋକା !

 

ଫାଶୀର ଦଉଡ଼ି ଧନୀ କିମ୍ୱା ନିର୍ଦ୍ଧନୀର ବିଚାର କରିବ ନାହିଁ । ଯେଉଁ ରାଜ୍ୟକୁ ଯାଉଚି, ସେଠାରେ ଧନୀ କିମ୍ୱା ନିର୍ଦ୍ଧନୀର ବିଚାର ହେବ ନାହିଁ ।

 

ଯେଉଁ ଦଉଡ଼ିରେ ତା’ର ବେକ ବନ୍ଧା ହେବ, ସେଇ ଦଉଡ଼ି ବି ମତେ ଆରପାଖେ ନେଇ ଲଗାଇ ଦେବ, ମୁକ୍ତି ଦେବ । ହଁ, ସେ ପରା ମୋର ବନ୍ଧୁ ! ପରମ ବନ୍ଧୁ !

 

-୧୫-

 

ବାୟୁହୀନ ରୁଦ୍ଧ ଏକ ଛୋଟ କୋଠରୀରେ ମୁଁ ପୁଣି ବନ୍ଦୀ ହୋଇଚି । ବନ୍ଦୀ ହୋଇଚି ବୋଲି କ’ଣ ଆଲୋକ ଓ ବାୟୁ ଉପରେ ମୋର କୌଣସି ଅଧିକାର ନାହିଁ ? ବିଚାର ନାମରେ ମନୁଷ୍ୟ ପ୍ରତି ଏହି ଅନ୍ୟାୟ କାହିଁକି ? ଯଦି ଦଣ୍ଡ ଦେବା ସେମାନଙ୍କର ଉଦ୍ଦେଶ୍ୟ, ଏହାଠାରୁ ସହଜ ଓ ସରଳ ଉପାୟର ତ ଅଭାବ ନାହିଁ । ସେଇ ପୁରୁଣା ଯୁଗରେ ଯାହା ହେଉଥିଲା, ଗୋଟିଏ ଥଳୀ ଭିତରେ ଭର୍ତ୍ତି କରି ନଦୀରେ ବୁଡ଼ାଇଦେବା–ତାହାଦ୍ୱାରା ତ ଶୀଘ୍ର କାମ ଶେଷ ହୋଇଯାଉଥାନ୍ତା ! ଏତେ ସାଜସଜ୍ଜାର ଦରକାର ନ ଥାନ୍ତା । କଡ଼ା ପ୍ରହରାର ଦରକାର ନ ଥାନ୍ତା । ଏତେ ପରିଶ୍ରମରୁ ବି ରକ୍ଷା ମିଳୁଥାନ୍ତା ।

 

ବିଛଣା ନ ଥିଲା । ମୁଁ ଚୌକିଦାରକୁ ଡାକି ବିଛଣା ଆଣିବାକୁ କହିଲି । ସେ ଆଶ୍ଚର୍ଯ୍ୟ ହୋଇ ମତେ ଚାହିଁଲା । ଯେଉଁ ଲୋକକୁ ମାତ୍ର ଛ’ ଘଣ୍ଟା ପରେ ଫାଶୀ ଦିଆଯିବ, ତା’ର ବିଛଣା କ’ଣ ହେବ ? ସେ ବୋଧହୁଏ ଏୟା ଭାବି ଆଶ୍ଚର୍ଯ୍ୟ ହେଉଥିଲା ।

 

ଯାହାହେଉ ଜେଲ୍‍ର ଅଧ୍ୟକ୍ଷ ବିଛଣା ମଗାଇ ଦେଲେ । ସେ ବଡ଼ ଦୟାଳୁ । ମରିବାବେଳେ ଯେମିତି ହେଲେ ତାଙ୍କ ଦୟା ବିଷୟରେ ଭାବି ଭାବି ମରିବି । ବାହାରେ, ଦୁଆର ପାଖରେ ଜଣେ ପ୍ରହରୀ ଜଗୁଆଳ ହୋଇ ରହିଚି । ମୁଁ ଯେପରି ବିଛଣା ଚାଦରରେ ନିଜକୁ ନିଜେ ଫାଶୀ ଦେଇ ନ ପକାଏ, ସରକାରୀ ଘାତକଙ୍କୁ ଯେପରି ଫାଙ୍କି ଦେଇ ନ ବସେ ! ଏଇଥିପାଇଁ ତ ପ୍ରହରା !

 

-୧୬-

 

ଠିକ୍ ଦଶଟା ବାଜିଚି ।

 

ମେରୀ ମନେପଡ଼ୁଚି । ଆଭାଗିନୀ ଝିଅ ମୋର । ଛ’ ଘଣ୍ଟା ପରେ ମୁଁ କେଉଁଠି ଥିବି ଏବଂ ଏଇ ପୃଥିବୀ କେଉଁଠି ଥିବ ? ଡାକ୍ତରଖାନାର ଟେବୁଲ ଉପରେ ମୋର ଜଡ଼ ଦେହ ପଡ଼ି ରହିବ । ଦେହକୁ ଚିରି, ଖଣ୍ଡ ଖଣ୍ଡ କରି ଏମାନେ ଯାଇ ଶାନ୍ତ ହେବେ । ମୋର ଦେହର ପ୍ରତି ଅଂଶ ଖଣ୍ଡ ଖଣ୍ଡ ହୋଇ କଟାଯିବ । ଓଃ, ମେରୀ ! ତୋ ବାପାର ଏଇ ପରିଣତି !

 

ତଥାପି ଆଜି ଏମାନଙ୍କ ବ୍ୟବହାର ଦେଖି କୁହାଯାଇ ପାରିବ ନାହିଁ ଯେ ଏମାନେ ମତେ ଘୃଣା କରୁଛନ୍ତି । ସମସ୍ତଙ୍କ ମନ ଅସମ୍ଭବ ଦୟାରେ ପୂର୍ଣ୍ଣ ହୋଇଯାଇଛି । ମୋର ସେବାରେ କୌଣସି ତ୍ରୁଟି ହେଉନାହିଁ । ତଥାପି ଏମାନେ ମତେ ବଞ୍ଚିବାକୁ ଦେବେ ନାହିଁ । କରୁଣା–କିନ୍ତୁ କି ନିର୍ମମ ସେ କରୁଣା ! ମତେ ନିଶ୍ଚୟ ଏମାନେ ହତ୍ୟା କରିବେ । କୌଣସି ପ୍ରକାରେ ତାହା ବନ୍ଦ କରିପାରିବିନାହିଁ ।

 

ବିଚାରୀ ମେରୀ ! ଅଭାଗିନୀ ଝିଅ ! ବାପର ଆଦରରେ ତୁ ବନ୍ଧା ହୋଇଥିଲୁ । ବାପର ଚୁମ୍ୱନରେ ତୁ ତୃପ୍ତି ପାଉଥିଲୁ । ଯେତେବେଳେ ତୋର ବେଣୀକୁ ଧରି ମୁଁ ଆଦରରେ ସାଉଁଳୁ ଥିଲି ତୋର ନରମ ଲାଲ ଓଠରୁ ହସର ଝରଣା ଫିଟି ପଡ଼ୁଥିଲା । ଆନନ୍ଦର ହସ ଚତୁର୍ଦ୍ଦିଗରେ ଏକ ସଙ୍ଗୀତର ମୂର୍ଚ୍ଛନା ଭରିଦେଉଥିଲା । ତା’ପରେ ରାତିରେ ଶୋଇବା ଆଗରୁ ମୋ ସହିତ ତୁ ହାତ ଯୋଡ଼ି ବସି ଯାଉଥିଲୁ । ତୋର ପ୍ରାର୍ଥନା ସାରା ଦିନର ପରିଶ୍ରମ ଏବଂ ଶ୍ରାନ୍ତିକୁ ହାଲୁକା କରିଦେଉଥିଲା । କି ଆବେଗ ଭରା ତୋର ସେ ପ୍ରାର୍ଥନା ! ଏହିପରି ଥିଲା ମୋର ସୁଖର ସାମ୍ରାଜ୍ୟ-! ହାୟ, ଆଜି ସେ ସବୁ ସ୍ୱପ୍ନରେ ପରିଣତ ହୋଇଗଲା । ଓଃ, ମୋର ଆଦରର ଝିଅ ! ଏହିପରି ତତେ ଛାତିରେ ଚାପିଧରି କିଏ ତୋ ମୁହଁକୁ ଅଜସ୍ର ଚୁମ୍ୱନରେ ଛାଇ ଦେବ ? ଏହିପରି କିଏ ତତେ ଆଦର କରିବ ? ଛୋଟ ଛୋଟ ପିଲାମାନେ ନିଜ ନିଜ ବାପାଙ୍କ ସ୍ନେହ ବୋଳା କୋଳରେ ବସି ମେଳା ଓ ଯାତ୍ରାକୁ ହସି ହସି ଦେଖିବାକୁ ଯିବେ । ସେଇ ସମୟରେ ତୋ ଆଖିରେ ବେଦନାର ଲୁହ ଢଳ ଢଳ ହେବ–ଏକ ଅବ୍ୟକ୍ତ ବେଦନାରେ ତୋର ସୁନ୍ଦର ମୁଖ ମ୍ଳାନ ହୋଇଯିବ-। ବ୍ୟଥିତ ଦୃଷ୍ଟିରେ, ଅର୍ଥହୀନ ଆଖିରେ ତୁ ଚାହିଁରହିଥିବୁ । ନୂଆ ବର୍ଷରେ ଓ ଜନ୍ମ ଦିନରେ ତୁ କୌଣସି ଉପହାର ପାଇବୁ ନାହିଁ, କାହାର ଆଦର ତୋ ହୃଦୟକୁ ସ୍ପର୍ଶ କରିବ ନାହିଁ । ଓଃ, ହତଭାଗୀ ଝିଅ, ତୋ ପ୍ରାଣକୁ କେହି ତୃପ୍ତ କରିବ ନାହିଁ । ପିତୃହୀନ, ଅନାଥିନୀ ମେରୀ !

 

ଯଦି ସେଇ ଜୁରୀମାନେ ଥରେ ମେରୀକୁ ଦେଖିଥାନ୍ତେ ତେବେ ବୋଧହୁଏ ଏଇ ମୃତ୍ୟୁଦଣ୍ଡ ଦେବା ଆଗରୁ ସେମାନଙ୍କର ତା’ କଥା ବି ମନେପଡ଼ିଥାନ୍ତା । ତା’ର ମ୍ଳାନ ନେତ୍ରକୁ ଦେଖି ସେମାନଙ୍କର କଠୋର ଚିତ୍ତ ନିଶ୍ଚୟ ଚଞ୍ଚଳ ହୋଇଯାଇଥାନ୍ତା, ଏଥିରେ କୌଣସି ସନ୍ଦେହ ନାହିଁ । ନା, କୌଣସି ସନ୍ଦେହ ନାହିଁ । ମେରୀ ପାଇଁ ମୁଁ ବୋଧହୁଏ ବଞ୍ଚି ଯାଇଥାନ୍ତି !

 

ମେରୀ ! ଯେତେବେଳେ ସେ ବଡ଼ ହେବ, ଯେତେବେଳେ ତା’ର ଜ୍ଞାନ ଆସିବ, ସବୁକଥା ବୁଝି ପାରିବ, ମୁଁ ସେତେବେଳେ କେଉଁଠି ଥିବି ? ସେ ସମୟରେ ତ ମୋ ନାଁ ପ୍ୟାରିସର କଳଙ୍କିତ ଇତିହାସରେ ଲେଖା ହୋଇ ରହିଥିବ । ମୋ ନାଁ ଶୁଣି ତା’ର ପ୍ରାଣ କ’ଣ କମ୍ପି ଉଠିବ ନାହିଁ ? ମୋ ନାଁ ଶୁଣି ଲଜ୍ଜାରେ ତା’ର ହୃଦୟ ବିଦୀର୍ଣ୍ଣ ହୋଇଯିବ । ଘୃଣାର ଅଗ୍ନିରେ ସେ ଭସ୍ମୀଭୂତ ହୋଇଯିବ । ମେରୀ ! ମୋ ପ୍ରାଣର ଝିଅ ମେରୀ ! ବାପର ନାଁ ଶୁଣି ସହାନୁଭୂତିର ଦୁଇ ବିନ୍ଦୁ ଲୁହ କ’ଣ ତୁ ଢାଳିବୁ ନାହିଁ ? ନା, ଘୃଣାର ଅଗ୍ନି ତୁ ମୋ ନାଁ ଉପରେ ଢାଳିଦେବୁ ? ନା, ନା, ମେରୀ, ତୁ ଦୁଇ ବିନ୍ଦୁ ଲୁହରେ ମୋର ତର୍ପଣ କରିବୁ । ମୁଁ ତୃପ୍ତ ହେବି । କେବଳ ଦୁଇ ବିନ୍ଦୁ ଲୁହ । ଓଃ, ଭଗବାନ ! ଏପରି କି ଅପରାଧ ମୁଁ କରିଚି, ଏପରି କି ମହାପାପ ମୁ କରିଚି ଯେ ସମାଜ ଏହିପରି ନିର୍ମମ ଓ ନିଷ୍ଠୁର ଭାବରେ ମୋତେ ବଳି ଦେବାକୁ ଚାହୁଁଚି ?

 

ଆଜିର ସୂର୍ଯ୍ୟ ଯେତେବେଳେ ଅସ୍ତ ହେବ, ସେତେବେଳେ ମୁଁ କେଉଁଠି ରହିବି ? ଏଇ ପୃଥିବୀର ସତ୍ତା ମୋ’ପାଇଁ ସେତେବେଳେ ଲୋପ ହୋଇଯିବ । ଆଜି ମୋ ଜୀବନର ଶେଷ ଦିନ । ଏହା କ’ଣ ସ୍ୱପ୍ନ ନା ସତ୍ୟ ?

 

ବାହାରେ କୋଳାହଳ କାହିଁକି ହେଉଚି ? ବୋଧହୁଏ ମୋର ମରଣ ଦେଖିବା ପାଇଁ ଲୋକେ ଦୌଡ଼ି ଆସିଚନ୍ତି । କୌତୂହଳୀ ଦର୍ଶକ, ସ୍ପର୍ଦ୍ଧିତ ପ୍ରହରୀ, ସଜ୍ଜିତ ପୁରୋହିତ, ମତେ ଦେଖିବା ପାଇଁ ସମସ୍ତଙ୍କର ହଠାତ୍ ଆଗ୍ରହ ଆସିଛି । ମୃତ୍ୟୁ ! ତୁମେ ସତେ ଆଜି ମତେ ଗ୍ରହଣ କରିବ ? ମତେ ? ଯେଉଁ ମୁଁ ଏଇ ସମୟରେ ବସିଚି, ନିଶ୍ୱାସ ପ୍ରଶ୍ୱାସ ନେଉଚି, କଥା ଶୁଣୁଚି ପବନର ସ୍ପର୍ଶ ଅନୁଭବ କରୁଛି, ସେଇ ମୁଁ, ମରିଯିବି ?

 

-୧୭-

 

ଏକଥା କ’ଣ ମୁଁ ଜାଣିନାହିଁ ? ହଁ, ଜାଣିଚି । ବହୁତ ଦିନ ତଳର କଥା । ପ୍ଲେ-ଦି-ଗ୍ରେଭ ପାଖରେ ମୁଁ ଯାଉଥିଲି । ଦିନ ଏଗାରଟା ହେବ । ହଠାତ୍ ମୋ ଗାଡ଼ି ରହିଗଲା ।

 

ରାସ୍ତା ଉପରେ ଅସମ୍ଭବ ଭିଡ଼ । ଗାଡ଼ି ଭିତରେ ମୁଁ ମୁଣ୍ଡ ଟେକି ଅନାଇଲି । ଚତୁର୍ଦ୍ଦିଗରୁ ଅସଂଖ୍ୟ ମୁଣ୍ଡ ଆଖିରେ ପଡ଼ୁଥିଲେ । ପାଚିରି ଉପରେ, ଛାତ ଉପରେ, ଗଛ ଡାଳରେ । କେଉଁଠି ଟିକିଏ ହେଲେ ସ୍ଥାନ ଖାଲି ନଥିଲା । ଦୂରରୁ ଫାଶୀର ତକ୍ତା ବି ଦେଖାଯାଉଥିଲା । ଫାଶୀର ପ୍ରତ୍ୟେକ ସରଞ୍ଜାମ ସଜଡ଼ା ହୋଇ ରଖାଯାଇଥିଲା ।

 

ଆଜି ବି ସେଇଦିନ ପରି ଜଣାପଡ଼ୁଚି । କିନ୍ତୁ ଆଜି ମୁଁ ଆଉ ଦର୍ଶକ ହୋଇ ନାହିଁ । ମତେ ଦେଖିବା ପାଇଁ ଆଜି ଏତେ ଭିଡ଼ !

 

କେବଳ ଗୋଟିଏ ଦଉଡ଼ିର ଆଶ୍ରୟ ନେବି । ମୁହୂର୍ତ୍ତକ ମଧ୍ୟରେ ଅତଳସ୍ପର୍ଶୀ ଅନ୍ଧକାରରେ ବୁଡ଼ିଯିବି । ଘନ ସାନ୍ଧ ଅନ୍ଧକାର: ତା’ପରେ ?

 

ଯଦି ପଥର ଖଣ୍ଡେ ମିଳନ୍ତା ତେବେ ଏବେ ଏଇଠି ଏଇ ମୁଣ୍ଡକୁ ଦୁଇଖଣ୍ଡ କରି ପକାନ୍ତି ।

 

କ୍ଷମା ! ଆରେ, ମତେ ଛାଡ଼ିଦିଅ । ମତେ କ୍ଷମା ଦିଅ । ବୋଧହୁଏ କ୍ଷମା ମିଳିଯିବ । ରାଜାଙ୍କର ଦୟା ହୁଏ ତ…ବୋଧହୁଏ କ୍ଷମାର ବାର୍ତ୍ତାନେଇ ଦୂତ ଆସିବ । ଆସ ଦୂତ । ଶୀଘ୍ର ଆସ-। ଏଇ ଅନ୍ଧାର ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବ । ଏକ ଉଜ୍ଜ୍ୱଳ ଦୀପ୍ତ ମୁକ୍ତ ଆଲୋକ ରାଜ୍ୟରେ ମୁଁ ପ୍ରବେଶ କରିବି । ବିଜୟ ଉଲ୍ଲାସରେ ମୋର ମନ ପ୍ରଫୁଲ୍ଲ ହୋଇଯିବ ।

 

ମତେ ଭିକ୍ଷା ଦିଅ । ପ୍ରାଣର ଭିକ୍ଷା । ସ୍ନେହ ଆଉ ମମତା ପୂର୍ଣ୍ଣ ଏଇ ସୁନ୍ଦର ପୃଥିବୀ । ମୁଁ ଏହାକୁ ଛାଡ଼ିବାକୁ ଚାହେଁ ନାହିଁ । ମତେ ରକ୍ଷାକର । ଗରମ ଲୁହାରେ ମୋ ଦେହରେ ଦାଗ ଦେଇଦିଅ । ମତେ କୌଣସି ଆଡ଼କୁ ଯିବା ପାଇଁ ଦିଅ ନାହିଁ । କୋଡ଼ିଏ ବର୍ଷ, ପଚିଶି ବର୍ଷାଯାଏ ମତେ ଜେଲରେ ବନ୍ଦ କରି ରଖ । କେବଳ ଏଇ ଆକାଶ ପବନ ଓ ସୂର୍ଯ୍ୟର ଆଲୁଅରୁ ମତେ ବଞ୍ଚିତ କର ନାହିଁ । କଏଦୀ ସେ ବି ଚାଲୁଚି, ଭାବୁଚି, କଥା କହୁଚି, ସେ ବି ସୁଖୀ । କେବଳ ଏଇ ପ୍ରାଣ ନିଅନାହିଁ । ଭିକ୍ଷା ଦିଅ । ମୁଁ ଆଉ କିଛି ଚାହେଁ ନାହିଁ ।

 

-୧୮-

 

ପୁରୋହିତ ଫେରି ଆସିଲେ । ଶୁକ୍ଳକେଶ, ଶାନ୍ତ ପ୍ରକୃତି ଏବଂ ମିଷ୍ଟାଭାଷୀ । ଦେଖିଲେ ଶ୍ରଦ୍ଧା ଆସେ ।

 

ଆଜି ସକାଳେ କଏଦୀମାନଙ୍କ ମଧ୍ୟରେ ସେ ଜ୍ଞାନ ବିତରଣ କରୁଥିଲେ । ତଥାପି ମୋର ସେଥିରେ କି ଲାଭ ? ତାଙ୍କ କଥା ଶୁଣିବାକୁ ଇଚ୍ଛା ହେଉନାହିଁ । ପାଣି ଯେପରି କାଚରୁ ଖସିଯାଏ, ତାଙ୍କ କଥାରୁ ମୋ ମନ ସେହିପରି ଖସି ଯାଉଚି ।

 

ତଥାପି ତାଙ୍କୁ ଦେଖି ମନରେ ଧୈର୍ଯ୍ୟ ଆସିଲା । ଚତୁର୍ଦ୍ଦିଗର ଏଇ ବିଭତ୍ସ ଦୃଶ୍ୟ ମଧ୍ୟରେ ସେ ଟିକିଏ କୋମଳପରି ଜଣା ଯାଉଥିଲେ ।

 

ଆମେ ଦୁହେଁ ବସିଗଲୁ–ସେ ଚୌକି ଉପରେ ଆଉ ମୁଁ ମୋ ଶେଯ ଉପରେ ।

 

ସେ କହିଲେ, “ଭାଇ ।”

 

ତାଙ୍କ ସମ୍ୱୋଧନ ମୋ ପ୍ରାଣକୁ ଶୀତଳ କରିଦେଲା ।

 

ସେ ପଚାରିଲେ, “ଈଶ୍ୱରଙ୍କୁ ତୁମେ ବିଶ୍ୱାସ କର ?”

 

ମୁଁ କହିଲି “ହଁ ।”

 

‘‘ଏଇ ଉଦାର କ୍ୟାଥଲିକ ଧର୍ମ–ଏହା ଉପରେ ତୁମର ଆସ୍ଥା ଅଛି ?”

 

ମୁଁ ଉତ୍ତର ଦେଲି, “ନିଶ୍ଚୟ !”

 

“ତେବେ ଶୁଣ”, ପୁରୋହିତ କହିବାରେ ଲାଗିଲେ ।

 

କ’ଣ କହିବାରେ ଲାଗିଲେ, ତାହା ମୋର ମନେ ନାହିଁ । କେତେବେଳଯାଏ କହିଲେ, ଜାଣିନାହିଁ । ହଠାତ୍ ସେ କହିଲେ “କ’ଣ ?” ମୁଁ ଅନ୍ୟଆଡ଼େ ଚାହିଁଥିଲି, ଚମକି ପଡ଼ିଲି । ଠିଆ ହୋଇ କହିଲି, “ଦୟାକରି ମତେ ଏକାକୀ ରହିବାକୁ ଦିଅନ୍ତୁ ।ମତେ କିଛି ଭଲ ଲାଗୁନାହିଁ ।”

 

“ତେବେ ମୁଁ ଯାଉଚି ?”

 

“ମୁଁ ଆପଣଙ୍କୁ ଡକାଇବି ।”

 

ସେ ଠିଆ ହେଲେ । ଧୀରେ ଧୀରେ ସେ କହିଲେ, ‘‘ନାସ୍ତିକ ।”

 

ନାସ୍ତିକ ! ନା, ମୁଁ ଯେତେ ହୀନ ହୁଏନା କାହିଁକି, ମୁଁ ନାସ୍ତିକ ନୁହେଁ । ଭଗବାନ ଜାଣନ୍ତି ତାଙ୍କ ପ୍ରତି ମୋର ବିଶ୍ୱାସ କେତେ ଗଭୀର । କିନ୍ତୁ ଏଇ ପୁରୋହିତ ନୂଆ କଥା କ’ଣ ଶୁଣାଇବେ ? ମୋର ଦୁଃଖୀ ଆତ୍ମାକୁ ତୃପ୍ତ କରିବାକୁ କ୍ଷମତା ତାଙ୍କର କାହିଁ ? ତାଙ୍କର ସାମର୍ଥ୍ୟ ବା କେତେ ? ବେତନଭୋଗୀ କର୍ମଚାରୀର ଦୁଇପଦ ମୁଖସ୍ଥ କଥାରେ, କେଉଁଠି କାହାକୁ ଶାନ୍ତି ମିଳିଲାଣି ?

 

ନରହନ୍ତା ଏବଂ ଡକାୟତମାନଙ୍କ ପାଖରେ କେତୋଟି ଘୋଷା ଉପଦେଶ ଉଚ୍ଚାରଣ କରିବା ଯାହାର ପେଷା, ଅଶାନ୍ତ ଆତ୍ମାକୁ ଶାନ୍ତ କରିବାକୁ ଚେଷ୍ଟା କରିବା ତା’ପକ୍ଷରେ ଧୃଷ୍ଟତା ନୁହେଁ ତ ଆଉ କ’ଣ ? ଭଗବାନଙ୍କ ନାମରେ କି ଧପ୍ପାବାଜି ! ବିଧାତାଙ୍କ ନାମରେ ଏ କି ପରିହାସ-? ତଥାପି ରାଜଧର୍ମଦ୍ୱାରା ଅନୁମୋଦିତ ହୋଇ ଏଇ ପ୍ରଥା କେଉଁ ଯୁଗରୁ ଚଳି ଆସୁଚି ।

 

ତଥାପି ପୁରୋହିତଙ୍କର ଦୋଷ କ’ଣ ? ତାଙ୍କର ଶିକ୍ଷା ବା କେତେ ? ଜ୍ଞାନ ବି କେତେ-? ସାମାନ୍ୟ କେତୋଟି ଟଙ୍କାର ଲୋଭରେ ସେ ଏଇ କାମ କରୁଛନ୍ତି । ଏହାହିଁ ତାଙ୍କର ଜୀବିକା । ଏହା ନକଲେ ସେ ବଞ୍ଚିବେ କିପରି ? ମୋର ତାଙ୍କ ପ୍ରତି ଅଶ୍ରଦ୍ଧା ଦେଖାଇବା ଉଚିତ ନୁହେଁ-। ତଥାପି ଉପାୟ କ’ଣ ? ମୋ ନିଶ୍ଵାସର ସ୍ପର୍ଶରେ ଚତୁର୍ଦ୍ଦିଗ ଜଳି ଯାଉଚି । ମୋର ମୁଖରୁ ବିଷ ଉଦ୍‍ଗୀରଣ ହେଉଛି । ମୁଁ କ’ଣ କରିବି ? କଠିନ କର୍ତ୍ତବ୍ୟ ।

 

ପ୍ରହରୀ ମୋ’ପାଇଁ ନାନା ପ୍ରକାରର ଖାଦ୍ୟ ନେଇ ଆସିଲା ।ଏହା ହିଁ ମୋର ଏଇ ଜୀବନର ଶେଷ ଭୋଜନ ।

 

ବହୁତ ଗୁଡ଼ାଏ ଖାଇ ପକାଇଲି । ଏହିପରି ତୁଚ୍ଛ ଘୃଣା, ଏହିପ୍ରକାର ହୀନଭାବ । ନା, ଏହା ମୋର ଗଳାର ତଳକୁ ଚାଲିଯିବ ନାହିଁ ।

 

-୧୯-

 

ହଠାତ୍ ଜଣେ ଲୋକ ଆସି ଠିଆ ହୋଇଗଲା । ମୁଣ୍ଡରେ ଟୋପି । ଖୁବ୍ ବ୍ୟସ୍ତପରି ଜଣା ପଡ଼ୁଥାଏ । କାହା ପ୍ରତି ଲକ୍ଷ୍ୟ ନାହିଁ । ହାତରେ ଗଜ ଫିତା । କାଖରେ କାଗଜ ବଣ୍ଡିଲ । ଆସିବା ମାତ୍ରେ ସେ କାନ୍ଥ ମାପିବାରେ ଲାଗିଗଲା । “ପାଞ୍ଚ ଫୁଟ ! ଏହା ବଦଳାଇବାକୁ ପଡ଼ିବ ।’’ ଏହିପରି କେତେ କ’ଣ ଜଣେ ପ୍ରହରୀ ସଙ୍ଗେ କଥାବାର୍ତ୍ତା ହେବାରେ ଲାଗିଲା ।

 

ପ୍ରହରୀକୁ ପଚାରି ବୁଝିଲି ସେ ଜଣେ କଣ୍ଟ୍ରାକ୍ଟର । ଜେଲଖାନାର ସଂସ୍କାର ହେବ । ସେ ମାପ ନେଉଚି ।

 

କାମ ଶେଷ କରିସାରି ସେ ମୋତେ ପଚାରିଲା, “ଆପଣଙ୍କର କ’ଣ ଆଜି ଫାଶୀ ହେବ-?”

 

ମୁଁ ଚୁପ୍ ରହିଲି । ସେ ମତେ ଏକାଲୟରେ ଚାହିଁରହିଲା ।

 

ସେ କହିଲା, “ଛ’ମାସ ପରେ ଏଇ ଜେଲଖାନାକୁ ଚିହ୍ନିବା ମୁସ୍କିଲ ହେବ । ସବୁ ଅଦଳବଦଳ ହୋଇଯାଇଥିବ । ସେତେବେଳେ ଏଇ ଜେଲ୍ ଖୁବ୍ ସୁନ୍ଦର ଦେଖାଯିବ ।”

 

ଅର୍ଥାତ୍ ତା’ କଥାର ସାରାଂଶ ହେଉଚି–ମୁଁ ବଡ଼ ହତଭାଗ୍ୟ । କାରଣ ନୂଆ ଜେଲ୍ ଦେଖିବା ମୋ ଭାଗ୍ୟରେ ନାହିଁ ।

 

ଓଠରେ ଏକ କ୍ଷୀଣ ହସ ଖେଳିଗଲା ।

 

ପ୍ରହରୀ ତାକୁ କହିଲା, “ଏଠି ଠିଆ ହେବା ପାଇଁ ହୁକୁମ ନାହିଁ । ଆପଣଙ୍କ କାମ ଶେଷ ହୋଇଗଲାଣି ଯଦି ବାହାରକୁ ଯାଆନ୍ତୁ ।”

 

ସେ ଚାଲିଗଲା । ମୁଁ ସେ ମାପୁଥିବା କାନ୍ଥପରି ନିଶ୍ଚଳ ହୋଇ ବସିରହିଲି ।

 

ଏଇ ସମୟରେ ଗୋଟିଏ ମଜା କଥା ଘଟିଲା ।

 

ପ୍ରହରୀ ବଦଳିଲେ । ନୂଆ ପ୍ରହରୀ ଆସିଲା । ତା’ର ଚେହେରା ସେପରି ଭୟଙ୍କର, ସ୍ୱର ବି ସେହିପରି କର୍କଶ । ସାକ୍ଷାତ ଯମଦୂତ ।

 

ପ୍ରହରୀ କହିଲା, “ଆଚ୍ଛା ତୁମ ମନରେ କ’ଣ ଦୟାମାୟା ନାହିଁ ?”

 

ମୁଁ କହିଲି, “ନା ।”

 

ମୋ ତୀକ୍ଷ୍ଣ କଥା ଶୁଣି ବି ସେ ଚୁପ୍ ହେଲା ନାହିଁ । ସେ କହିଲା, “ପଦେ କଥା କହୁଚି, ଶୁଣ ।’’

 

ମୁଁ କହିଲି, “ମତେ ରସିକତା ଭଲ ଲାଗେ ନାହିଁ ।”

 

ସେ କହିଲା, “ମୁଁ ଭାରି ଦୁଃଖୀ ମଣିଷ ଭାଇ । ଭାରି ହୀନ କପାଳିଆ । ଯଦି ତମେ ଦୟା କରନ୍ତ ତେବେ ମୁଁ ଜୀବନସାରା, ସବୁଦିନ ପାଇଁ ତୁମ ପାଖେ କୃତଜ୍ଞ ରହନ୍ତି ।”

 

“ସବୁଦିନ ପାଇଁ ? ‘ସବୁ’ ତ ସଞ୍ଜ ଆଗରୁ ଶେଷ ହୋଇଯିବ । ତୁମେ କ’ଣ ପାଗଳ ? ମୁଁ ମରିବାକୁ ବସିଲିଣି । ଏତେବେଳେ ମୁଁ କାହାର କି ଉପକାର କରିପାରିବି ?”

 

ତଥାପି ସେ ଛାଡ଼ିଲା ନାହିଁ । କହିଲା, “ଟିକିଏ ଶୁଣ ଭାଇ ।” ଚାରିଆଡ଼େ ଥରେ ଆଖି ବୁଲାଇ ନେଇ ସେ ଧୀରେ ଧୀରେ କହିଲା, “ଦେଖ ଭାଇ, ମୋ କପାଳ ତୁମ ହାତରେ । ବଡ଼ ଗରିବ ମୁଁ । ଏଇ କାମ ଭାରି ଭିଡ଼ । ଦରମା ବି ଖୁବ୍ କମ୍‍ । ଏହାଛଡ଼ା ନିଜ ପାଖେ ଘୋଡ଼ାଟିଏ ବି ରଖିବାକୁ ପଡ଼େ । ଚାକିରି ସୁଖ ତ ଏଇପରି ! ଏଇଥିପାଇଁ କେତେବେଳେ କେମିତି ମୁଁ ଲଟେରି ଟିକେଟ କିଣେ । ଶେଷ ଜୀବନରେ ତ କ’ଣ ଗୋଟାଏ କରିବାକୁ ହେବ । ସାତ ଆଠ ବର୍ଷ ମୁଁ ଲଟେରି ଚିକେଟ କିଣିବାରେ ଏତେ ଟଙ୍କା ଖର୍ଚ୍ଚ କରି ଦେଲିଣି; ତଥାପି ପଇସାଟିଏ ବି ଲାଭ ହେଲା ନାହିଁ । ଯଦି ୩୬ ନମ୍ୱର ଟିକେଟ କିଣେ ତ ୩୩ ନମ୍ୱରବାଲା ଜିଣିଯାଏ । ଆଉ ଯଦି ମୁଁ ୩୩ ନମ୍ୱର ଟିକେଟ କିଣେ ୩୬ ବା ୩୮ ନମ୍ୱର ବାଲାର ଭାଗ୍ୟ ଖୋଲିଯାଏ । ମୁଁ ଏବେ କ’ଣ ଭାବୁଚି ବୁଝିପାରୁଛ ତ ?” ଏହା କହି ସେ ମୋ’ଆଡ଼େ ଚାହିଁଲା ।

 

ମୁଁ ପଚାରିଲି, “କ’ଣ ଭାବୁଚ ?”

 

ସେ କହିଲା, “ତୁମେ ବୋଧହୁଏ ମୋର କିଛି ସୁବିଧା କରିପାରିବ ।”

 

ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି, “ମୋ’ଦ୍ୱାରା ତମର କି ସୁବିଧା ହେବ ?”

 

ସେ କହିଲା, “ସବୁ ତୁମରି ହାତରେ । ଶୁଣ, କହୁଚି । ମରିଯିବା ପରେ ମଣିଷ ଭୂତ, ଭବିଷ୍ୟତ, ବର୍ତ୍ତମାନ ସବୁ ଦେଖିପାରେ । ତୁମେ ତ ଆଉ କେତେ ସମୟ ବାଦେ ମରିବ । ଏଇଥିପାଇଁ ପରା କହୁଥିଲି–ବୁଝିପାରିଲ ତ ? ମଲା ପରେ ତୁମେ ଯଦି ମତେ ଠିକ୍ ଟିକେଟ ନମ୍ୱରଟା ବତେଇ ଦିଅନ୍ତି ମୁଁ ସେଇ ନମ୍ୱରର ଟିକେଟଟା କିଣିପକାନ୍ତି । ଆଉ ରାତାରାତି ବଡ଼ଲୋକ ହୋଇଯାନ୍ତି । ଏଇ ଚାକିରିଟା ଛାଡ଼ି ଦିଅନ୍ତି । ଖୁବ୍ ଆନନ୍ଦରେ ରୁହନ୍ତି । ଶୁଣ, ଭୂତକୁ ମୁଁ ଡରେ ନାହିଁ । ବୁଝିଲ ତ ? କିଛି ଅସୁବିଧା ହେବ ନାହିଁ । ମୋ ନାଁ କାସେଁ । ବି ନମ୍ୱର ବାରାକ, ୨୬ ନମ୍ୱର ଖଟ । ମନେ ରହିବ ତ ? ଆଜି ରାତିରେ ଆସି କହିଦିଅ । ହଁ ଭାଇ, ତୁମକୁ ଏଇ ଉପକାର କରିବାକୁ ହେବ ।”

 

ମୁଁ ନୀରବ ରହିଲି । ଉତ୍ତର ଦେବାପାଇଁ ଇଚ୍ଛା ହେଲା ନାହିଁ । ତଥାପି ଗୋଟିଏ ଉଚ୍ଚ ଆଶା ମନର ଅଭ୍ୟନ୍ତରରେ ଖେଳି ଉଠିଲା । ଥରେ ମାତ୍ର ଶେଷ ଚେଷ୍ଟା ।

 

ମୁଁ କହିଲି, “ତମର ଧନ ଦରକାର, ନୁହେଁ ?”

 

“ହଁ, ହଁ ।”

 

ମୁଁ କହିଲି, “ଭଲ କଥା । ମୁଁ ତୁମକୁ ବହୁତ ଧନ ଦେବି । ଯଦି ଗୋଟିଏ କାମ କରିପାରନ୍ତ….”

 

ସେ ଚମକି ପଡ଼ିଲା । କହିଲା, “କ’ଣ କହ, ଏବେ କରିବି । ଯେତେ ଭିଡ଼ କାମ ହେଉ ପଛେ, ପଛକୁ ହଟିବାବାଲା, ମୁଁ ନୁହେଁ ।”

 

ମୁଁ କହିଲି, “କେବଳ ଆମେ ଦୁହେଁ ନିଜ ଭିତରେ ପୋଷାକ ବଦଳାଇବା–ଏତିକି ମାତ୍ର କାମ ।”

 

“ଏଇ କାମ ତ ?” କହୁ କହୁ ସେ ନିଜ ବୋତାମ ଫିଟାଇବାକୁ ଆରମ୍ଭ କଲା ।

 

ମୁଁ ଉଠି ଠିଆ ହେଲି । ଛାତି ଥରିବାକୁ ଲାଗିଲା । ମିନିଟିଏ ସୁଦ୍ଧା ବିଳମ୍ୱ କରିବା ଉଚିତ ନୁହେଁ । ମୁହୂର୍ତ୍ତେ ବିଳମ୍ୱ ହେଲେ ସବୁ ମାଟି ହୋଇଯିବ । ଓଃ ଭଗବାନ ! ଧନ୍ୟ ତୁମେ ! ମୁଁ ସ୍ପଷ୍ଟ ଦେଖିପାରିଲି, ମୋ ଆଗରେ ସବୁ ଦ୍ୱାର ଖୋଲିଗଲା । କୌଣସି ପ୍ରକାର ବନ୍ଧନ ନାହିଁ । ମୁକ୍ତ ଆକାଶ ତଳେ ମୁଁ ଠିଆ ହୋଇଚି । ମୁଣ୍ଡ ଉପରେ ପକ୍ଷୀମାନେ ଗୀତ ଗାଇଗାଇ ଉଡ଼ିଯାଉଛନ୍ତି । ସ୍ନିଗ୍ଧ ଶୀତଳ ବାୟୁର ସ୍ପର୍ଶ ବି ମୁଁ ଅନୁଭବ କଲି । ବାଃ–ଏଇ ଜୀବନ ହିଁ ସମ୍ପୂର୍ଣ୍ଣ ନୂତନ ଜୀବନ !

 

ହଠାତ୍ ପ୍ରହରୀ ରହିଗଲା । କହିଲା, “ଓହୋ, ବୁଝିଲି ତୁମ ମତଲବ । ପଳାଇ ଯିବାକୁ ଚାହୁଁଛ ?”

 

ଗଳା ସଫା କରି କହିଲି, “ତା’ ନହେଲେ ଟଙ୍କା ମୁଁ ତୁମକୁ କାହିଁକି ଦେବି ?”

 

ସେ ପୁଣି ନିଜ ବୋତାମ ଲଗାଇବାରେ ଲାଗିଲା । ମୋ ଦେହରେ ବିଜୁଳି ଖେଳିଗଲା-। ମୁଣ୍ଡର ରକ୍ତ ଗରମ ହୋଇଗଲା ।

 

ସେ କହିଲା, “ନା, ଏହା କିପରି ହୋଇପାରେ ? ମୁଁ ଏ କାମ କରିପାରିବି ନାହିଁ । ଅଡ଼ୁଆ କଥା । ମରିସାରି ତୁମେ ନମ୍ୱର କହିଦେବ । ଏଇପରି ପଳାଇଯାଇ, ଆରେ ବାପରେ !”

 

ମୁଁ ବସିଗଲି । ପାଦ ଥରୁଥିଲା । ଆଶା ନାହିଁ–କୌଣସି ଆଶା ନାହିଁ । ନିରାଶାର ବେଦନାରେ ନିଃଶ୍ୱାସ ବନ୍ଦ ହୋଇଯିବ ଯେପରି !

 

-୨୦-

 

ଦୁଇ ହାତରେ ମୁହଁ ଢାଙ୍କି ମୁଁ ବସଥିଲି । ଅତୀତର କଥା ସବୁ ମନେପଡ଼ୁଥିଲା । ସ୍ୱପ୍ନପରି ବିଚିତ୍ର ଓ ମଧୁର କିଶୋର ଅବସ୍ଥାର କଥା ! ଦୁର୍ଭାବନା ଏବଂ ଦୁଶ୍ଚିନ୍ତା ମଧ୍ୟରେ ଏଇ ସ୍ମୃତି–ଯେପରି ଶୁଭ୍ର ସୁନ୍ଦର ପୁଷ୍ପର ଏକ ତୋଡ଼ା !

 

ପ୍ରଫୁଲ୍ଲ ମୁଖ, ନିଶ୍ଚିନ୍ତ ଜୀବନ–କି ମଧୁର ! ବଗିଚାରେ ଦୌଡ଼, ବନ୍ଧୁମାନଙ୍କ ନିର୍ମଳ ସ୍ନେହ–କି ସୁଖର ସାମ୍ରାଜ୍ୟ ! ତା’ପରେ ସେଇ ସ୍ୱପ୍ନରାଜ୍ୟର ନବୀନ ଆଲୋକର ଉନ୍ମେଷ ! ନିରୋଳା କାନନର ସେଇ ତରୁଣୀ ବାଳା ।

 

ବଡ଼ ବଡ଼ ଆଖି, ଦୀର୍ଘ କେଶ, ଗୌରବର୍ଣ୍ଣ, ଗୋଲାପୀ ଅଧର–ଅପୂର୍ବ ରୂପଶ୍ରୀ । ବଗିଚାରେ ଆମେ ଦୁହେଁ ଖେଳୁଥିଲୁ–ହସ, ଗୀତ, ମଧୁଗୁଞ୍ଜନ ।

 

କଳହ ବି କମ୍‍ ହେଉନଥିଲା । ତା’ର ସ୍ୱଭାବ ଥିଲା ଶାନ୍ତ ଆଉ ମଧୁର । ପକ୍ଷୀ ବସାରୁ ପକ୍ଷୀ ଚୋରାଇ ଯେତେବେଳେ ମୁଁ ଧୀରେ ଧୀରେ ଗଛ ଉପରୁ ଓହ୍ଲାଇଥିଲି, ସେତେବେଳେ ଉଦାସ ଆଖିରେ ସେ ମତେ ଚାହିଁଥିଲା । ସେଦିନ ସେ ବିକଳ ହୋଇ କହିଲା, “ତୁମେ କାହିଁକି ଛୋଟ ଛୋଟ ଚଢ଼େଇ ବସାରୁ ଚୋରାଇ ଆଣୁଚ ? ଓଃ, ତୁମେ ଭାରି ନିଷ୍ଠୁର !”

 

ମୋ ବୀରତ୍ୱର ଏଇ ପ୍ରଶଂସା ? ରାଗରେ ସେ ଚଢ଼େଇଟି ତା’ ମୁହଁ ଉପରକୁ ଫୋପାଡ଼ି ଦେଲି । ଘରକୁ ଫେରିବା ପରେ ଯେତେବେଳେ ମା’ ତାକୁ ପଚାରିଲେ, “ତୋ ମୁହଁ ଖଣ୍ଡିଆ ହେଲା କେମିତି ?” ସାଙ୍ଗେ ସାଙ୍ଗେ ସେ ଉତ୍ତର ଦେଲା, “ପଡ଼ି ଯାଇଥିଲି ।”

 

ତା’ପରେ କେତେଦିନ ସେ ମୋ ସାଙ୍ଗେ ନଦୀ କୂଳରେ ବୁଲିଚି । କେତେବେଳେ ଧୀରେ ଧୀରେ ତ ଆଉ କେତେବେଳେ ଚଞ୍ଚଳ ଭାବରେ । କୂଳରେ ନଦୀର ଲହରୀକୁ ଦେଖୁଥିଲୁ–ସନ୍ଧ୍ୟା ହୋଇ ଯାଇଥିଲା, ଚତୁର୍ଦ୍ଦିଗ ଧୀରେ ଧୀରେ ଅନ୍ଧକାରରେ ଅସ୍ପଷ୍ଟ ହୋଇ ଆସୁଥିଲା । ମୃଦୁ ସଙ୍ଗୀତପରି ନଦୀର ଜଳ କୂଳରେ ଆସି ମୁଣ୍ଡ ପିଟୁଥିଲା । ମୁଁ ବି ଖୁବ୍ ଧୀରେ ଧୀରେ କଥା କହୁଥିଲି । କେତେ କଥା–ଦେଶର, ବିଦେଶର ପ୍ରେମର, ପ୍ରଣୟର । ବେଳେବେଳେ ତା’ର ମୁହଁ ଲଜ୍ଜାରେ ଲାଲ ହୋଇ ଉଠୁଥିଲା । ନା ଲାଲ ନୁହେଁ, ଗୋଲାପୀ ।

 

ଖରାଦିନର ସନ୍ଧ୍ୟା । ଆମେ ବଗିଚାର ବାଦାମ ଗଛ ତଳେ ବସିଥିଲୁ ।

 

ହଠାତ୍ ତା’ ହାତରୁ ରୁମାଲ ଖସିପଡ଼ିଲା । ମୁଁ ତଳୁ ଗୋଟାଇ ତା’ ହାତରେ ଦେଲି । ସ୍ପର୍ଶରେ ମୋ ଦେହ ଥରିଉଠିଲା ।

 

ସେ କହିଲା, “ଦୌଡ଼ିବା ଆସ ।” କେଶଗୁଚ୍ଛ ଝାଲେରୀପରି ଝୁଲୁଥିଲା, ନାଚୁଥିଲା । ରକ୍ତିମ ଗ୍ରୀବା, ଯେପରି ରକ୍ତ ରଙ୍ଗର ମେଘ ଉପରେ ବିଜୁଳିର ଏକ ରେଖା !

 

ସେ ବସି ପଡ଼ିଲା । କପାଳରେ ମୋତିପରି ଝାଳର ବିନ୍ଦୁ । ମୁଁ ତା’ ପାଖରେ ଆସି ବସିଲି । ସେ ଅଣନିଃଶ୍ୱାସୀ ହୋଇ ଯାଇଥିଲା । ମୁଁ ତାକୁ ଚାହିଁଲି ।

 

ସେ କହିଲା, “ପଢ଼ । ଏବେ ତ ଆଲୁଅ ଅଛି । ତୁମ ପାଖରେ ଯଦି ବହି ଅଛି ବାହାର କର । ପକେଟରେ ଅଛି ତ ?”

 

ମୋ ପକେଟରେ ଉପନ୍ୟାସଟିଏ ଥିଲା । ମୁଁ ତାହା ବାହାର କଲି । ମୋ କାନ୍ଧ ଉପରେ ମୁହଁ ରଖି ସେ ପଢ଼ିବାରେ ଲାଗିଲା । ଭଲ ଲେଖାପଢ଼ା ସେ ଜାଣିଥିଲା । ତୀକ୍ଷ୍ଣ ବୁଦ୍ଧି ବି ତା’ର ଥିଲା-

 

କିଛି ସମୟ ପଢ଼ିବା ପରେ ସେ ମତେ ଚାହିଁ ପଚାରିଲା, “ତୁମେ ଶୁଣୁଚ ତ ?” ସତ କହିବାକୁ ଗଲେ ମୁଁ କେବଳ ତାକୁ ଦେଖୁଥିଲି । ଶୁଣିବାକୁ ସମୟ କାହିଁ ?

 

ସେ ମୁହଁ ଟେକି ଚାହିଁବାବେଳେ ଆମ ଦୁହିଁଙ୍କ କେଶ ମିଶିଗଲା । ତା’ ନିଃଶ୍ୱାସର ସ୍ପର୍ଶ ମୁଁ ମୋର ଚିବୁକରେ ଅନୁଭବ କଲି । ତା’ପରେ ଆମ ଦୁହିଁଙ୍କ ଓଠ ବି ମିଶିଗଲା ।

 

ପୁଣି ଯେତେବେଳେ ବହି ଖୋଲେ ସେତେବେଳେ ଆକାଶର ତାରାମାନେ ଆମକୁ ଦେଖି ହସୁଥିଲେ ।

 

ଘରକୁ ଫେରି ସେ ମା’ଙ୍କୁ କହିଲା, “ଆଜି ଆମେ ଦୁହେଁ ଖୁବ୍ ଦୌଡ଼ିଛୁ ।” ମୁଁ ନୀରବ ରହିଥାଏ । ମା’ ପଚାରିଲେ, “ତୁମେ ଚୁପ୍‍ ରହିଚ କାହିଁକି ?”

 

ନୀରବ କାହିଁକି ? ଆନନ୍ଦ ଓ ହର୍ଷର ସ୍ରୋତ ମୋ ହୃଦୟରେ ବହୁଥିଲା । ସେଇ ସ୍ନିଗ୍ଧ ସୁନ୍ଦର ସନ୍ଧ୍ୟାର କଥା ଏ ଜୀବନରେ କେବେ ଭୁଲିପାରିବି ନାହିଁ ।

 

ଏ ଜୀବନ, ଓଃ ଆଉ କତେ ବାକି ?

 

-୨୧-

 

କେତେ ସମୟ ହେଲାଣି ଜାଣେ ନାହିଁ । ଶିର ମଧ୍ୟରେ ଚିନ୍ତା ରାଶି କୋଳାହଳ କରୁଛନ୍ତି-

 

ଅପରାଧ କଥା ଭାବିବା ମାତ୍ରେ ଦେହ କମ୍ପି ଉଠୁଚି । କିନ୍ତୁ ଏଇ ଅନୁତାପ କରି ଆଉ କି ଲାଭ ?

 

ଦଣ୍ଡ ମିଳିବା ପୂର୍ବରୁ ଅନୁତାପର ଯେଉଁ ବୀଜ ହୃଦୟକୁ ଭାରି କରି ରଖିଥିଲା, କାହିଁ ତାହା ? ମୃତ୍ୟୁ ବ୍ୟତୀତ ଅନ୍ୟ କଥା ଭାବିବା ପାଇଁ ସମୟ କାହିଁ ? ଅତୀତ କଥା ଭାବିଲେ ମଧ୍ୟ ସେଇ ଫାଶୀର ଦଉଡ଼ି ଆଖି ଆଗରେ ନାଚୁଛି । କି ସୁନ୍ଦର ଶୈଶବ, କି ମଧୁର କୈଶୋର । ଓଃ, ଆଜି ଏପରି ଭାବରେ ତାହା ଫାଶୀର ତକ୍ତା ଉପରେ ଲୋଟିଯିବ ? ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏକ ଲୋହିତ ସାଗରର ତଫାତ୍ ରହିଗଲା ।

 

ଯେଉଁମାନେ ମୋର ଜୀବନୀ ପଢ଼ିବେ, ବୋଧହୁଏ ସେମାନେ ମତେ ଘୃଣା କରିବେ । ସତେ କ’ଣ ମୁଁ ଏତେ ଖରାପ ? ନା, ମୋଟେ ନୁହେଁ ।

 

ଅଳ୍ପ ସମୟ ପରେ ସବୁ ଚିନ୍ତା, ସବୁ ଭାବନା ଶେଷ ହୋଇଯିବ । ପୁଣି ବେଶୀ ଦିନର କଥା ନୁହେଁ । ଦିନେ ନଦୀ କୂଳରେ ବୃକ୍ଷର ଛାୟାରେ ଝରାପତ୍ର ଉପରେ ମୁଁ ସ୍ୱଚ୍ଛନ୍ଦରେ ବୁଲୁଥିଲି ।

 

ମୋର ଏଇ ରୁଦ୍ଧ କୋଠରୀ ନିକଟରେ ଅନେକ ଗୃହ ବର୍ତ୍ତମାନ ତରୁଣ ତରୁଣୀମାନଙ୍କ ମୁଖଗୁଞ୍ଜନ ଓ ଶିଶୁମାନଙ୍କ ଉଚ୍ଛ୍ୱାସରେ ପୂରିଯିବ । ଆଶା ନିରାଶା, ଓ ସୁଖ ଦୁଃଖର ଭାର ବହି ବର୍ତ୍ତମାନ ନରନାରୀ ଚାଲିବେ । ପୁଣି ଫେରିବାଲାମାନେ ଡାକି ଡାକି ସେମାନଙ୍କ ଜିନିଷ ବିକ୍ରି କରିବେ । କେଉଁ କୁଞ୍ଜରେ ଯୁବକ ନିଜର ପ୍ରିୟତମାକୁ ପ୍ରଗାଢ଼ ଆଲିଙ୍ଗନରେ ବନ୍ଦୀ କରି ନିବିଡ଼ ଚୁମ୍ୱନ ଦେବ । ଜୀବନର ନିର୍ଝର ଚତୁର୍ଦ୍ଦିଗରେ ବହିଯିବ । ଆଉ ମୁଁ ?

 

ଅତୀତର କଥା ମନେପଡ଼ୁଚି । ନୋଟରଡାମର ଘଣ୍ଟା ଦେଖିବାକୁ ଯାଇଥିଲି । ସେତେବେଳେ ମୁଁ ପିଲା । ଅନ୍ଧାରରେ ଅଙ୍କାବଙ୍କା ଅସଂଖ୍ୟ ପାହାଚ ପାର ହେଉହେଉ ମୋ ମୁଣ୍ଡ ବୁଲାଇ ଦେଲା । ଉପରକୁ ଯାଇ ଦେଖିଲି ସାରା ପ୍ୟାରିସ ସହରକୁ କିଏ ଯେପରି ଗାଲିଚା କରି ପାଦତଳେ ବିଛାଇ ଦେଇଛି !

 

ଘଣ୍ଟା ଦେଖିଲି । କି ପ୍ରକାଣ୍ଡ ଭାରୀ ଘଣ୍ଟା ! ମୁଁ ସହରକୁ ଏକ ଲୟରେ ଦେଖୁଥିଲି । ସେଇ ଉଚ୍ଚ ମିନାର ଉପରୁ ରାସ୍ତା ଉପରେ ଚାଲୁଥିବା ମଣିଷମାନେ ଛୋଟ ଛୋଟ ଖେଳଣାପରି ଦେଖାଯାଉଥିଲେ । ଭୀଷଣ ଶବ୍ଦ କରି ଘଣ୍ଟା ବାଜି ଉଠିଲା ଘଣ୍ଟା ଶବ୍ଦରେ ଗମ୍ବୁଜ ଥରି ଉଠିଲା । ମୋ ହାତ ବି ଥରିଗଲା ମୁଁ ତଳେ ବସିପଡ଼ିଲି । ଘଣ୍ଟା ଶବ୍ଦ ବନ୍ଦ ହେବା ପରେ ମଧ୍ୟ ପ୍ରତିଧ୍ୱନି ଅନେକ ବେଳଯାଏ ଶୁଣାଯାଉଥିଲା ।

 

ଆଜି ମଧ୍ୟ ସେହିପରି ଜଣାପଡ଼ୁଛି । ଘଣ୍ଟା ଶବ୍ଦ ନାହିଁ । କିନ୍ତୁ ଚତୁର୍ଦ୍ଦିଗରେ କୋଳାହଳ ଲାଗି ରହିଚି । ଗୋଟିଏ କ୍ଷୀଣ ଶବ୍ଦର ଝଙ୍କାର କାନପାଖେ ଶୁଣାଯାଉଚି । କପାଳର ଶିରାପ୍ରଶିରା ଧକ୍ ଧକ୍ କରିବାରେ ଲାଗିଛନ୍ତି । ନିଜର ଚତୁର୍ଦ୍ଦିଗ ଛାୟାପରି ମୁଁ ଦେଖୁଛି । ଅସଂଖ୍ୟ ନରନାରୀ ହସି ହସି ପାଟି କରି କରି ଯିବା ଆସିବା କରୁଛନ୍ତି । ଏହା କ’ଣ ସେମାନଙ୍କର ଆନନ୍ଦର ପ୍ରତିଧ୍ୱନି-?

 

ମୀଲା ହୋଟେଲର ଉଚ୍ଚ ଗମ୍ବୁଜର ଘଣ୍ଟା ମଧ୍ୟ ଦେଖାଯାଉଥିଲା । ପ୍ଲେ-ଦି-ଗ୍ରେଭ୍‍ର ନିଷ୍ଠୁର ପଥରର କାନ୍ଥ ନିକଟରେ ସେ ଘଣ୍ଟା । କେତେ ପୁରାତନ ସେ କାନ୍ଥ । ସେଇ ପୁରାତନ ଘଣ୍ଟା ଯେପରି ତା’ର ପୁରାତନ ସଖୀ ।

 

ଯେଉଁଦିନ ଫାଶୀର ଦଉଡ଼ି ଧରି ଜଣେ କେଉଁ ଏକ ଅଜ୍ଞାତପୁରୀର ଘନ ଅନ୍ଧକାର ଭିତରକୁ ଝୁଲିପଡ଼େ ସେଇଦିନ ପ୍ଲେ-ଦି-ଗ୍ରେଭ୍‍ର ପ୍ରତ୍ୟେକ ଦ୍ୱାରରେ ଅସଂଖ୍ୟ କୌତୂହଳୀ ପ୍ରହରୀଙ୍କର ଦୃଷ୍ଟି ପଡ଼େ । ହତଭାଗ୍ୟ ମୃତ୍ୟୁ ପଥର ଯାତ୍ରୀହିଁ ଏଇ ବ୍ୟଗ୍ର ଦୃଷ୍ଟିର ଲକ୍ଷ୍ୟ । ଏଇ ଦୃଷ୍ଟିର ସମ୍ମୁଖରେ ଆପଣାର ସମସ୍ତ କାହାଣୀ ଶେଷ କରିଦେବାକୁ ହେବ । ସନ୍ଧ୍ୟାବେଳେ ହୋଟେଲର ସେଇ ଜ୍ୱଳନ୍ତ ଘଣ୍ଟା ଚନ୍ଦ୍ରପରି ହସିବ ।

 

ଗୋଟାଏ ବାଜି ପନ୍ଦର ମିନିଟ୍ !

 

ଏଇ ସମୟରେ ମୋର ଅବସ୍ଥା ! ଅସହନୀୟ ଯନ୍ତ୍ରଣା ! ମସ୍ତିଷ୍କ ମଧ୍ୟରେ କିଏ ଯେପରି ନିଆଁ ଲଗାଇ ଦେଇଛି ! ଯେତେବେଳେ ମୁଁ ବସି ପଡ଼େ କିମ୍ୱା ଠିଆ ହୁଏ, ମନେହୁଏ ମସ୍ତିଷ୍କ ମଧ୍ୟରେ ଏକ ରୁଦ୍ଧ ନଦୀର ସ୍ରୋତ ଯେପରି କଳ କଳ ନାଦରେ ବହିଯାଉଛି । ଯେପରି ମସ୍ତିଷ୍କର ବନ୍ଧ ଭାଙ୍ଗି ଏବେ ବାହାରକୁ ବାହାରି ପଡ଼ିବ !

 

କେଉଁ ଏକ ଆତଙ୍କ ଦେହରେ ରୋମାଞ୍ଚ ଅଣୁଚି ! ଅଙ୍ଗୁଳିରୁ କଲମ ପଡ଼ିଯିବାକୁ ଚାହୁଁଚି-! ହାତରେ ବିଜୁଳିର ତରଙ୍ଗ । ଆଖିରେ ଅଶ୍ରୁ ଢଳ ଢଳ ହେଉଛି । ମନେହେଉଚି ମୁଁ ଯେପରି ଏକ ଧୁମ୍ରାଚ୍ଛନ୍ନ କୋଠରୀରେ ବସି ରହିଚି । ଦେହର ପ୍ରତି ଅଂଶରେ ପୀଡ଼ା । ଏବେ ଆଉ ଦୁଇ ଘଣ୍ଟା ପାଇଁ ଚାଳିଶ ମିନିଟ୍‍ ବାକି । ତା’ପରେ ଚିରଦିନ ପାଇଁ ଶାନ୍ତି ମିଳିବ ।

 

ଲୋକେ କହନ୍ତି, ଯନ୍ତ୍ରଣା ! ତାହା କିଛି ନୁହେଁ । ବିଜ୍ଞାନରେ ଏପରି କୌଶଳ ଅଛି ଯେ ମରଣ ବେଳେ ମୋଟେ କଷ୍ଟ ହେବନାହିଁ । ଏହା କ’ଣ ସତ୍ୟ ?

 

ଛଅଟାର ସେଇ କଷ୍ଟ ! ଏହାଠାରୁ କ’ଣ ମୃତ୍ୟୁର ଯନ୍ତ୍ରଣା ବେଶୀ ହେବ ? ଏଇ ଯେଉଁ ମୁହୂର୍ତ୍ତ ମୁହୂର୍ତ୍ତ ବିତି ଯାଉଛି, ଜଣା ଯାଉଛି ଯେପରି ମୁଁ ବେଦନାର ଅସଂଖ୍ୟ ପାହାଚ ଅତିକ୍ରମ କରି ମୃତ୍ୟୁ ଦିଗରେ ଧାଇଁବାରେ ଲାଗିଚି । ଏହିପରି ଯନ୍ତ୍ରଣା, ଏହିପରି ବେଦନା–ଅସହନୀୟ !

 

ତଥାପି ତାହା କିଛି ନୁହେଁ ।

 

ଶିରାପ୍ରଶିରାରୁ ଯେପରି ରକ୍ତ ଟପ୍ ଟପ୍ ହୋଇ ପଡ଼ୁଚି । ଛାତି ଉପରେ ଗୋଟାଏ ଭାରି ପଥର କିଏ ଯେପରି ଲଦି ଦେଇଛି ! ଓଃ, ନିଃଶ୍ୱାସ ବନ୍ଦ ହୋଇ ଆସୁଚି ।

 

କି ଯନ୍ତ୍ରଣା ! କିଏ ବୁଝିବ ? ବୁଝିବ ବା କିଏ ? ଫାଶୀ ପାଇବା ପରେ ଦେହହୀନ ମୁଣ୍ଡ ଯଦି ସେଇ ବେଦନାକୁ ବୁଝିପାରନ୍ତା, ତାହାହେଲେ ବିଜ୍ଞାନର ପ୍ରଶଂସା ବିଜ୍ଞାନର ଟେବଲ ଉପରେ ରଖାଯାଇ ପାରନ୍ତା ।

 

ମୂହୁର୍ତ୍ତକ ମଧ୍ୟରେ ସବୁ ଶେଷ ହୋଇଯିବ । ଏତେବଡ଼ ଜୀବନ ସବୁ ଶେଷ ହୋଇଯିବ-। ଏଇ ଦର୍ଶକମାନେ, ଅସଂଖ୍ୟ ରାଜସୈନିକଗଣ ଏଇ ଯନ୍ତ୍ରାଣକୁ ବୁଝିପାରିବେ ? ସେଇ ଭୟଙ୍କର ଡୋର ଏକ ମିନିଟ୍ ମଧ୍ୟରେ ବେକକୁ ଚିପି ଦେବ । ତା’ପରେ ଦେହରେ ସମସ୍ତ ରକ୍ତ ନିସ୍ତବ୍ଧ ହୋଇଯିବ । ସମୁଦ୍ରର ଗତି ରୁଦ୍ଧ ହେବା ପରେ ରାଗରେ ସେ ଯେପରି ଫୁଲିବାକୁ ଲାଗେ, ବାଧାପାଇ ସାରା ଅନ୍ତର ବାହାରକୁ ଆସିବା ପାଇଁ ବଡ଼ ଦ୍ୱନ୍ଦ୍ୱ ଲଗାଇବ । ହାୟ ହତଭାଗ୍ୟ-! ଏଇ ଭୀଷଣ ଦ୍ୱନ୍ଦ୍ୱରେହି ସବୁ ଖେଳ ଶେଷ ହୋଇଯିବ । ଭିତର ସହିତ ବାହାରର ପ୍ରବଳ ସଂଗ୍ରାମ, ଓଃ କି ଭୟଙ୍କର ହେବ ?

 

ରାଜାଙ୍କ କଥା ମଧ୍ୟ ବାରମ୍ୱାର ମନେପଡ଼ୁଚି । ମନରୁ ଏଇଚିନ୍ତା କୌଣସି ପ୍ରକାର ଦୂର ହେଉନାହିଁ । କାନେ କାନେ ଯେପରି କିଏ କହୁଚି, “ରାଜା ? ସେତ ଏବେ ଏଇ ସହରର ଗୋଟିଏ ବିରାଟ ପ୍ରାସାଦର ସଜ୍ଜିତ କୋଠରୀ ମଧ୍ୟରେ ବସିଛନ୍ତି । ମୋର ଚତୁର୍ଦ୍ଦିଗରେ ଯେପରି ପ୍ରହରୀମାନେ ଅଛନ୍ତି, ତାଙ୍କ ପାଖେ ମଧ୍ୟ ସେହିପରି ପ୍ରହରୀମାନେ ଅଛନ୍ତି । ତେବେ ମୋ ତାଙ୍କ ମଧ୍ୟରେ ପ୍ରଭେଦ କ’ଣ ? ସେ ସାମାଜିକ ପ୍ରତିଷ୍ଠାର ଉଚ୍ଚ ଆସନ ଉପରେ ଏବଂ ମୁଁ ଏକାଥରେ ସମସ୍ତଙ୍କ ତଳେ । ଏହାହିଁ ହେଉଚି ପ୍ରଭେଦ । ତାଙ୍କ ଜୀବନର ପ୍ରତି ମୁହୂର୍ତ୍ତ ଗାରିମାପୂର୍ଣ୍ଣ, ମହିମା ମଣ୍ଡିତ, ଯଶ ଏବଂ ଉଲ୍ଲାସରେ ପୂର୍ଣ୍ଣ । ଚତୁର୍ଦ୍ଦିଗରେ ପ୍ରେମ ଭକ୍ତି ଓ ଶ୍ରଦ୍ଧାର ନିର୍ଝର ଝରୁଚି । ତାଙ୍କ ନିକଟରେ ଉଚ୍ଚ ସ୍ୱର ଶାନ୍ତ ହୋଇଯାଏ । ଦର୍ପିତ ଶିର ନତ ହୋଇଯାଏ । ତାଙ୍କ ନିକଟରେ ସ୍ୱର୍ଣ୍ଣ ରୌପ୍ୟର ସାମଗ୍ରୀ ଲଗାଲଗି ହୋଇ ରଖାଯାଏ । ସଭାସଦ ବେଷ୍ଟିତ ରାଜସିଂହାସନ ଉପରେ ବସି ସେ ଆଜ୍ଞା ଦିଅନ୍ତି । ସମ୍ଭ୍ରମ ସହ ଲୋକେ ତାହା ପାଳନ କରନ୍ତି । କେତେବେଳେ ଶିକାର କେତେବେଳେ ବିଳାସ ବ୍ୟସନ, କେତେବେଳେ ଗୀତ ତ କେତେବେଳେ ନୃତ୍ୟ । କେବଳ ଶ୍ରୀମୁଖରୁ ଆଜ୍ଞା ବାହାରିବା ସଙ୍ଗେ ସଙ୍ଗେ ଅସଂଖ୍ୟ ମଣିଷ ବିଳାସର ସାମଗ୍ରୀ ଏକତ୍ର କରିବାକୁ ବ୍ୟସ୍ତ ହୋଉ ଉଠନ୍ତି !

 

ରାଜା ! ସେତ ମୋ’ପରି ରକ୍ତ ଓ ନିଃଶ୍ୱାସରେ ତିଆରୀ ଏକ ଜୀବ–କ୍ଷୁଦ୍ର ମଣିଷ, ସେଇ ରାଜା ! ତଥାପି ସେ ତାଙ୍କ ଲେଖନୀର ଗୋଟିଏ ଗାରରେ ମୋର ଫାଶୀ ବନ୍ଦ କରିଦେଇ ପାରନ୍ତି ! ଜୀବନ, ସ୍ୱାଧୀନତା, ଐଶ୍ୱର୍ଯ୍ୟ, ସଂସାରର, ସମସ୍ତ ସୁଖକୁ ମୁହୂର୍ତ୍ତକ ମଧ୍ୟରେ ଏକତ୍ର କରିପାରନ୍ତି । ଶୁଣିଚି, ଆମ ରାଜା ବଡ଼ ଦୟାଳୁ । ତଥାପି ମତେ ବଞ୍ଚାଇବା ତାଙ୍କ ଦୟାର ଅସତ୍ ବ୍ୟବହାର ହେବ-। ହାୟରେ ଦୟାର ଅବତାର ।

 

-୨୨-

 

ତେବେ ଆସ ସାହାସ ! ମୃତ୍ୟୁର ଭୟକୁ ବିତାଡ଼ିତ କର କାହିଁକି ଭୟ ? କାହିଁକି ଆତଙ୍କ-? ଆସ ମୃତ୍ୟୁ ! ମୁଁ ହସି ହସି ତୁମକୁ ସ୍ୱାଗତ କରିବି । ଆନନ୍ଦରେ ତୁମକୁ ଆଲିଙ୍ଗନ କରିବି-। ଆସ, ବନ୍ଧୁ ହୁଅ ବା ଶତ୍ରୁ ହୁଅ, ଆସ !

 

ଆଖି ବନ୍ଦ କରୁ କରୁ ଦେଖିବି, ଉଜ୍ଜ୍ୱଳ ଆଲୋକ ଚତୁର୍ଦ୍ଦିଗରେ ଖେଳୁଚି । ମୋର ଆତ୍ମା ସେଇ ଆଲୋକର ପ୍ଳାବନରେ ସ୍ନାନ କରିବା ପାଇଁ ଚାଲିଚି । ଉଲ୍ଲସିତ ଅନନ୍ତ ଆକାଶରେ ଏଇ ଶୁଭ୍ର ଆଲୋକ ଯେପରି ଶରୀର ଉପରେ ଏକ କୃଷ୍ଣ ତିଳ ଚିହ୍ନ ! ମଖମଲପରି କୋମଳ ଆକାଶ ଉପରେ ଯେପରି ହୀରା ବିଛାଇ ଦିଆଯାଇଛି ! ସେ ସମୟରେ ତାହା ଏପରି ହୋଇ ରହିବ ନାହିଁ ।

 

ବୋଧହୁଏ ହତଭାଗା ମୁଁ ଦେଖିବି ସେଇ ଘନ ଅନ୍ଧକାରରେ ମୋର ଶିର ଶୂନ୍ୟ ଦେହ ପଡ଼ିରହିଚି ଏବଂ କବରର ଚତୁର୍ଦ୍ଦିଗରେ ଭୂତ ପ୍ରେତମାନଙ୍କ ଉପଦ୍ରବ ଲାଗି ରହିଚି । ସେଇ ଫାଶୀର ପବନରେ ସଂସାର ପର୍ଦ୍ଦାର ଗୋଟିଏ ଅଂଶ ଫାଟି ଯାଇଚି । ରାକ୍ଷସ ଦଳ ଖୁବ୍ ଆଡ଼ମ୍ୱରରେ ତାହା ଭିତରେ ପଶୁଛନ୍ତି । ଚତୁର୍ଦ୍ଦିଗରେ କଙ୍କାଳର ପାହାଡ଼ ତଳେ ରକ୍ତର ନଦୀ ବହିଯାଉଚି । ଉପରେ ଆକାଶ କି ଅନ୍ଧାର । ଖଦ୍ୟୋତପରି ତାରାବୃନ୍ଦ ଦଳ ଦଳ ହୋଇ ଉଡ଼ି ବୁଲୁଚନ୍ତି ।

 

ମୋ ପୂର୍ବରୁ ଯିଏ ଫାଶୀର ତକ୍ତା ଉପରେ ଜୀବନ ଦେଇଚି ସେ ମୋର ଖବର ଅନ୍ତର ବୁଝୁଚି ! ତା’ର ଛାୟା ମୁଁ ଏବେ ଦେଖିପାରୁଚି । ରକ୍ତହୀନ ଶୀର୍ଣ୍ଣ ଦେହ, କୋଟରଗତ ଚକ୍ଷୁ, ମ୍ଳାନ ମୁଖ କି ଭୟଙ୍କର ! ଆଲୋକ ଏବଂ ଅନ୍ଧକାରର ମଧ୍ୟରେ ଠିଆ ହୋଇ ସେ ଧୀରେ ଧୀରେ କ’ଣ କହୁଚି । ମୁହଁରେ ହସର ଚିହ୍ନ ସୁଦ୍ଧା ନାହିଁ । ଅଛି କେବଳ ଏକ ଆତଙ୍କ–ଏକ ଅଧୀର ଉଦ୍ବେଗ ! କାହିଁ, କିଛି ଦେଖାଯାଉ ନାହିଁତ ! ମୀଲା ହୋଟେଲର ସେଇ ନିର୍ମମ ଘଣ୍ଟା ମତେ ଦେଖି ଯେପରି ଅଟ୍ଟହାସ କରୁଚି, ମୋର ଅନ୍ତିମ ମୁହୂର୍ତ୍ତର କଥା ମନେପକାଇ ଦେଉଛି । ଏ ସଂସାରରେ କିଛି ନାହିଁ, ବିନ୍ଦୁଏ ସୁଦ୍ଧା କରୁଣା ନାହିଁ ।

 

ଏହିପରି ଭାବରେ ହୃଦୟ ମଧ୍ୟରେ ଦ୍ୱନ୍ଦ୍ୱ ଚାଲିଚି । ମୁହୂର୍ତ୍ତେ ସୁଦ୍ଧା ନିସ୍ତାର ନାହିଁ ।

 

ଓଃ, ଏହା କ’ଣ ମୃତ୍ୟୁ ? କ’ଣ ଏହା ? ଆତ୍ମାର ସହିତ ତା’ର ଏପରି ବିରୋଧ କାହିଁକି-? ଏକ ଆଘାତରେ ସେ ଯେତେବେଳେ ଦେହକୁ ଧୂଳିରେ ଲୋଟାଇ ଦେବ, ସେତେବେଳେ ମନର ଏଇ ବେଦନା, ଏଇ ଅନୁଭୂତି, ଏଇ ପ୍ରେମ, ସ୍ନେହ, ଦୟା, ଏସବୁକୁ କ’ଣ ତାହା ଲୋପ କରିଦେବ-? ପୃଥିବୀ, ନିର୍ମମ ପୃଥିବୀରେ କ’ଣ ସାମାନ୍ୟ ସୁଦ୍ଧା ମମତା ନାହିଁ ? ମୃତ୍ୟୁକୁ ଜିଣି ଆପେ ତିଆରି କରିଥିବା ଜୀବକୁ ରକ୍ଷା କରିପାରିବାର ଶକ୍ତି କ’ଣ ନାହିଁ ? ହେ ଭଗବାନ, ତୁମର ଏଇ ସୃଷ୍ଟିର ଲୀଳା କି ବିଚିତ୍ର ! କି ନିଷ୍ଠୁର ଏଇ ରହସ୍ୟ ! କି ନିର୍ମମ ଏଇ ଖେଳ-!

 

-୨୩-

 

ଥରେ ନିଦ୍ରାଦେବୀଙ୍କ ଆରାଧନା କରିବାପାଇଁ ଶଯ୍ୟା ଉପରେ ଲୋଟି ଯାଇଥିଲି । ଦେହର ସମସ୍ତ ରକ୍ତ ଯେପରି ମୁଣ୍ଡରେ ଆସି ଜମା ହୋଇଗଲା । ଜୀବନରେ ଏହା ବୋଧହୁଏ ଶେଷ ନିଦ୍ରା !

 

ସ୍ୱପ୍ନ ଦେଖିଲି ।

 

ନିସ୍ତବ୍ଧ ଗମ୍ଭୀର ରାତ୍ରୀ । ଦୁଇଜଣବନ୍ଧୁଙ୍କ ସଙ୍ଗେ କଥାବାର୍ତ୍ତା କରୁଥିଲି । ପାଖ କୋଠରୀରେ ମୋ ସ୍ତ୍ରୀ ଶୋଇଛି । ମେରୀ ତା’ ଛାତି ଉପରେ ଶୋଇଛି ।

 

ଖୁବ୍ ଧୀରେ ଧୀରେ କଥାବାର୍ତ୍ତା ହେଉଥିଲୁ–କାହାର ନିଦ ଯେପରି ନ ଭାଙ୍ଗେ, କିଏ ଯେପରି ଡରି ନଯାଏ । ହଠାତ୍ କ’ଣ ଗୋଟାଏ ଶବ୍ଦ ହେଲା । ମୁଁ ଚମକି ପଡ଼ିଲି । ନିଶ୍ଚୟ ଚୋର ହେବେ ।

 

ଚାରିପଟ ଖୋଜିଲୁ । କେହି ନାହିଁ । କୌଣସି ଲୋକର ଚିହ୍ନ ବର୍ଣ୍ଣ ସୁଦ୍ଧା ନାହିଁ ।

 

ଚିମିଣି ପାଖରେ ଇଏ କ’ଣ ? କିଏ ସେ ?

 

ନାରୀ । ରୁକ୍ଷ କେଶ ମୁଖର ଚତୁର୍ଦ୍ଦିଗରେ ବିଞ୍ଚି ହୋଇ ପଡ଼ିଚି । ମୁହଁରେ କଠୋର ଭାବ-। ମୁଦ୍ରିତ ଚକ୍ଷୁ ।

 

ମୁଁ ପଚାରିଲି, “ତୁମେ କିଏ ?”

 

କୌଣସି ଉତ୍ତର ନାହିଁ ।

 

ଆମେ ପଚାରିଲୁ, “ଶୀଘ୍ର କହ, କିଏ ତୁମେ ?”

 

ତଥାପି କୌଣସି ଉତ୍ତର ନାହିଁ । ଆଖି ଦୁଇଟି ପୂର୍ବପରି ବନ୍ଦ ।

 

ବନ୍ଧୁ କହିଲେ, “ତା’ ମୁହଁ ଉପରକୁ ଆଲୁଅ ପକାଅ ।”

 

ମୁଁ ଆଲୁଅ ଟେକି ତା’ ମୁହଁ ଆଡ଼କୁ ଦେଖାଇଲି । ତଥାପି କୌଣସି ଉତ୍ତର ନାହିଁ । ମୁଁ ପଚାରିଲି, “କଥା କାହିଁକି କହୁ ନାହିଁ ?”

 

ତଥାପି ସେ ନିର୍ବାକ । ଆମେ ବ୍ୟସ୍ତ ହୋଇ ପଡ଼ିଲୁ । କି ବିପଦ !

 

ବନ୍ଧୁ ଜଣକ କହିଲେ, “ଆଲୁଅ ଆହୁରି ପାଖକୁ ନିଅ ।”

 

ମୁଁ ଆଲୁଅକୁ ଏକଦମ ଆଖି ପାଖକୁ ନେଇଗଲି । ସେ ଆଖି ଖୋଲିଲା । ଓଃ, କି ତୀବ୍ର ସେ ଦୃଷ୍ଟି ! ମୁଁ ଆଖି ବନ୍ଦ କରିଦେଲି । ଆଖି ପୋଡ଼ି ଉଠିଲା । ପୁଣି ଆଖି ଖୋଲି ଦେଖେ ତ ଜେଲଖାନା । ମୋ ପାଖରେ ପୁରୋହିତ ଠିଆ ହୋଇଛନ୍ତି ।

 

ମୁଁ କହିଲି, “ଅନେକ ବେଳଯାଏ ମୁଁ ଶୋଇପଡ଼ିଲି, ନୁହେଁ ?”

 

ସେ କହିଲେ, “ହଁ, ଘଣ୍ଟାଏ କାଳ ଶୋଇଛ । ତୁମ ଝିଅକୁ ମୁଁ ନେଇ ଆସିଚି । ଦେଖିବାକୁ ଇଚ୍ଛା ଅଛି ? ତୁମକୁ ଉଠାଇବା ପାଇଁ ସେ ଚେଷ୍ଟା କରୁଥିଲା । ତୁମେ ନ ଉଠିବାରୁ ମତେ ଡାକିଲା । ତୁମ ଝିଅ ମେରୀ–”

 

ମୁଁ ଚିତ୍କାର କରିଉଠିଲି, “ମେରୀ ! ମୋ ଝିଅ ମେରୀ ! କାହିଁ ? ଶୀଘ୍ର କହ । ଆଣ ଶୀଘ୍ର । ମୋ କୋଳକୁ ଦିଅ, ମୁଁ ତାକୁ ଥରେ ଛାତିରେ ଚାପିଧରେ ।”

 

-୨୪-

 

ମେରୀ ! ତା’ର ବର୍ଣ୍ଣ ଗୋଲାପ ଫୁଲପରି । ଅଙ୍ଗୁରପରି ନରମ ତା’ର ଓଠ । ଆହା, ମୋ ଝିଅ !

 

କଳା ପୋଷାକ ତାକୁ ବେଶ୍‍ ସୁନ୍ଦର ମାନୁଚି । ତାକୁ କୋଳରେ ବସାଇ ତା’ କପାଳରେ ଅଜସ୍ର ଚୁମ୍ୱନ ଆଙ୍କି ଦେଲି ।

 

ଆଶ୍ଚର୍ଯ୍ୟ ହୋଇ ସେ ମତେ ଚାହିଁଥିଲା । ଆଖିରେ କାତରତା । ବେଳେବେଳେ ସେ ଗୋଟିଏ ପାଖେ ଠିଆ ହୋଇଥିବା ଆୟାକୁ ଦେଖୁଥିଲା । ଆୟା କାନ୍ଦୁଥିଲା ।

 

ମେରୀକୁ ଛାତିରେ ଚିପିଧର ଚିତ୍କାର କରିଉଠିଲି, ‘‘ମେରୀ ମୋ ମା’ !”

 

ଅଳ୍ପ ଜୋରରେ ସେ ମତେ ଠେଲିଦେଇ ତା’ ମୁହଁ ଘୁଞ୍ଚାଇ ନେଇ କହିଲା, “ଓଃ, ଆପଣ ମତେ ଛାଡ଼ିଦିଅନ୍ତୁ ।”

 

ଆପଣ ! ପ୍ରାୟ ବର୍ଷକ ପରେ ଏଇ ପ୍ରଥମ ସାକ୍ଷାତ । ଏଇ ବର୍ଷକ ମଧ୍ୟରେ ମେରୀ ମତେ ଭୁଲିଗଲା ? ମୋ କଥା, ମୋ ସ୍ନେହ, ମୋ ଆଦର ତା’ ମନରୁ ଲିଭିଗଲା ? ତଥାପି ତା’ର ଦୋଷ କ’ଣ ?

 

ଏଇ ଦାଢ଼ି, ଏଇ ଜଟା, ଶୁଖିଲା ମୁହଁ, କଏଦୀ ପୋଷାକ, କର୍କଶ ସ୍ୱର–ସେ ଚିହ୍ନିବ କିପରି ?

 

ଯିଏ ମତେ ମନେରଖିଥାନ୍ତା ସେ ବି ଶେଷରେ ମତେ ଭୁଲିଗଲା ! ହାୟରେ ମୋ ଭାଗ୍ୟ !

 

ଆଜି ମୁଁ ତା’ର ବାପା ନୁହଁ । ନିଜ ଝିଅର ଆଦରବୋଳା ସମ୍ୱୋଧନ, ମୁକୁଳିତ ପୁଷ୍ପପରି ହସଭରା ଓଠର ସେଇ ମଧୁର ସମ୍ୱୋଧନ, ‘ବାପା’–ଓଃ ଆଜି ମୁଁ ସେଥିରୁ ମଧ୍ୟ ବଞ୍ଚିତ !

 

କି ନିଷ୍ଠୁର ଅଭିଶାପ !

 

ଏଇ ସମୟରେ, ଜୀବନର ଏଇ ଶେଷ ମୁହୂର୍ତ୍ତରେ ଥରେ, କେବଳ ଥରେ, ସେଇ ପ୍ରିୟ ସମ୍ୱୋଧନ ନିଜ କନ୍ୟାର ସେଇ ମଧୁର ଡାକ ଯଦି ଥରେ ମୁହୂର୍ତ୍ତକ ପାଇଁ ମଧ୍ୟ ଶୁଣିବାକୁ ପାଆନ୍ତି, ତେବେ ଚାଳିଶ ବର୍ଷର ଏଇ ସୁଦୀର୍ଘ ଜୀବନକୁ ମୁଁ ହସି ହସି ବିସର୍ଜନ କରିଦିଅନ୍ତି ।

 

ତା’ର ଦୁଇ ହାତକୁ ଚିପିଧରି ପଚାରିଲି “ମେରୀ, ମୋ ମାଆ, ମତେ କ’ଣ ଚିହ୍ନିପାରୁନୁ-?”

 

ତା’ର ଉଜ୍ଜ୍ୱଳ ଆଖିରେ ମତେ ଚାହିଁ ସେ ରାଗରେ ଉତ୍ତର ଦେଲା, “ନା ।”

 

ମୁଁ ପଚାରିଲି, “ଦେଖ ଭଲକରି ଦେଖ । କିଏ ମୁଁ ?”

 

ସେ କହିଲା, “ଆପଣ କିଏ ମୁଁ ଜାଣିବି କିପରି ? ଭଲ ମଣିଷ ହୋଇପାରନ୍ତି ।’’

 

କି ପରିଷ୍କାର ସ୍ୱର !

 

ଓଃ, ଯାହାର ଟିକିଏ ହସ ଦେଖିବା ପାଇଁ ମୁଁ ସବୁକିଛି କରିପାରନ୍ତି; ତା’ ମୁହଁରୁ ଏଇ କଥା ? ତା’ ଆଖିରେ ଏ କି ଚାହାଣି ?

 

ମୁଁ ପଚାରିଲି, “ତୁମ ବାପା ଅଛନ୍ତି ?”

 

ସେ କହିଲା, “ଅଛନ୍ତି । କାହିଁକି ଏକଥା ପଚାରୁଛ ?”

 

“ସେ କେଉଁଠି ଅଛନ୍ତି ?”

 

ମେରୀ ମତେ ଚାହିଁ କହିଲା, “ସେ–କହନ୍ତୁ ।”

 

ହାୟ, ମୋର ଆଦରର କନ୍ୟା ! ହାୟରେ ଦୁର୍ବଳ ପିତୃ ହୃଦୟର ବ୍ୟାକୁଳତା ! ମୁଁ ପୁଣି ପଚାରିଲି, ‘‘କେଉଁଠି ଅଛନ୍ତି ସେ ?”

 

ମେରୀର ଆଖି ଲୁହରେ ଢଳ ଢଳ ହେଲା । ସେ ରୁଦ୍ଧ କଣ୍ଠରେ କହିଲା “ସରଗରେ ।”

 

ମୁଁ କହିଲି, “ସରଗରେ ! ଜାଣିଚ ମେରୀ ସେ ସରଗ କେଉଁଠି ? ସରଗର ମାନେ କ’ଣ-?”

 

ମେରୀର ଆଖିରୁ ଲୁହ ଝରଝର ହୋଇ ବହିପଡ଼ୁଥିଲା ।

 

ମୁଁ କହିଲି, “ମେରୀ, ଥରେ ଠାକୁରଙ୍କୁ ଡାକ ।”

 

ସେ କହିଲା, “ନା । ଦିନ ଦି’ପହରରେ ବିନା କାମରେ ତାଙ୍କୁ ଚିଡ଼ାଇବା ଉଚିତ ନୁହେଁ । ଠିକ୍ ସଞ୍ଜବେଳେ ମୁଁ ତାଙ୍କୁ ଡାକିବି ।”

 

ମୋ ହୃଦୟ ବ୍ୟାକୁଳ ହେଉଥିଲା । ଏଇ ଝିଅ–ଏଇ ମେରୀ–ମୋ ଝିଅ ! ଓଃ, ସେ ବି ଆଜି ମୋର ହୋଇ ରହିଲା ନାହିଁ–ମୁଁ ଆଜି ତା’ ପାଖରୁ ବହୁତ ଦୂରକୁ ଚାଲିଗଲି । ନା, ନା, ମୁଁ ଯେପରି ହେଲେ ତାକୁ ବୁଝାଇ ଦେବି ଯେ ମୁଁ ତା’ର ବାପା । ସ୍ୱର୍ଗରେ ନୁହେଁ, ନରକରେ ନୁହେଁ, ତାରି ଆଗରେ, ଏଇ ଜେଲ ଭିତରେ ମୁଁ ଫାଶୀ ପାଇବା ପାଇଁ ବସି ରହିଚି ।

 

ମୁଁ କହିଲି, ‘‘ମେରୀ ତୁ ଚିହ୍ନିପାରୁନୁ ? ମୁଁ ପରା ତୋ ବାପା ।’’

 

ସେ ଉତ୍ତର ଦେଲା, “ନା–’’

 

ମୁଁ କହିଲି, “ଓଃ, ସତେ କ’ଣ ତୁ ମତେ ଭୁଲିଗଲୁ ? ଦେଖ, ଭଲକରି ଦେଖ । ସେଇ ଘରେ, ଗୋଲାପ ବଗିଚାରେ ବସି ମୁଁ ତତେ ଗପ କହୁଥିଲି । ପରୀ ଗପ–’’

 

ମେରୀର ମୁହଁ ମୁଁ ପୁଣି ଛାତିରେ ଲଗାଇଲି ।

 

ମେରୀ କହିଲା, “ଓଃ, ଛାଡ଼ିଦିଅ ମତେ….”

 

ମୁଁ ତାକୁ କୋଳରେ ବସାଇ ପଚାରିଲି, “ପଢ଼ି ଜାଣିଚୁ ?”

 

“ହଁ ।”

 

ଖବରକାଗଜ ଖୋଲି ମୁଁ ତା’ ଆଗରେ ରଖିଲି । ସେ ପଢ଼ିବାରେ ଲାଗିଲା, “ଫାଶୀ ଆସାମୀ–”

 

ସାଙ୍ଗେ ସାଙ୍ଗେ ମୁଁ ସେ କାଗଜକୁ ତା’ ହାତରୁ ଛଡ଼ାଇ ନେଲି । ଖବରକାଗଜ ସେ ଆସିଲାବେଳେ ଆଣିଥିଲା । ଖବରକାଗଜ ମାନେ ମୋର ଫାଶୀ ପାଇବା କଥା ବଡ଼ ବଡ଼ ଅକ୍ଷରରେ ଛାପିଥିଲେ, ଯେପରି ସମସ୍ତଙ୍କ ନଜର ତା’ ଉପରେ ପଡ଼େ ଏବଂ ଏତେବଡ଼ ଉତ୍ସବ ଦେଖିବା ପାଇଁ ଦର୍ଶକଦଳ ଜମା ହୋଇ ଯାଆନ୍ତି ।

 

ମୋ ମନର ଭାବ ମୁଁ କାଳିରେ ଲେଖି ବୁଝାଇବା ପାଇଁ ସମର୍ଥ ନୁହେଁ । ମୋର ଏଇ ରୂପ ଦେଖି ଭୟରେ ମେରୀ କାନ୍ଦିବାରେ ଲାଗିଲା । ସେ କହିଲା, “ଆଣ, ମୋ କାଗଜ ଆଣ, ମୁଁ ଜାହାଜ କରିବି ।”

 

ଆୟା ହାତକୁ ମୁଁ ଖବରକାଗଜ ବଢ଼ାଇ ଦେଇ କହିଲି, “ନେଇ ଯା ୟାକୁ । ଘରେ କହିବ–” ତା’ପରେ ମୋ ମୁହଁରୁ ଆଉ କୌଣସି କଥା ବାହାରିଲା ନାହିଁ । କି ଖବର ଦେବି ? ଝରକା ନିକଟରେ ଥିବା ଗୋଟିଏ ଚେୟାର ଉପରେ ବସିପଡ଼ିଲି । ଦୁଇ ଆଖକୁ ଦୁଇ ହାତରେ ଘୋଡ଼ାଇ ପକାଇଲି । ମୁଣ୍ଡରେ ରକ୍ତସ୍ରୋତ ଜୋରରେ ବହୁଥିଲା ।

 

କାହିଁ ସେ ଯମପୁରୀର ଭୟଙ୍କର ଦୂତ ? ଆସ । ଆଉ କାହାପାଇଁ ଅପେକ୍ଷା ? ଅପେକ୍ଷା କେଉଁଥିପାଇଁ ? ଏ ସଂସାରରେ ମୋର ଆପଣାର କେହି ନାହିଁ । ବଞ୍ଚିବା ପାଇଁ ବର୍ତ୍ତମାନ ଆଉ ଇଚ୍ଛା ନାହିଁ । ଯେଉଁ ଶୃଙ୍ଖଳରେ ମୁଁ ଏଇ ସଂସାର ସହିତ ବନ୍ଧା ହୋଇଥିଲି, ସେଇ ଶୃଙ୍ଖଳ ଛିଣ୍ଡିଗଲା । ଏତେ ମାୟା ମମତା ଆଉ କାହିଁକି ?

 

-୨୫-

 

ପୁରୋହିତଙ୍କ ହୃଦୟରେ ବି ଦୟା ଅଛି । ଜେଲର ବି ପଥର ନୁହଁନ୍ତି । ଆୟା ଯେତେବେଳେ ମେରୀକୁ ନେଇଗଲା, ସେତେବେଳେ ସେମାନଙ୍କ ଆଖିରୁ କେତୋଟି ବିନ୍ଦୁ ଲୁହ ଖସିପଡ଼ିଲା ।

 

ଶେଷ–ବର୍ତ୍ତମାନ ସବୁ ଶେଷ । କେବଳ ସାହସ ଓ ବଳ ! ରାସ୍ତାରେ ବିକ୍ଷିପ୍ତ ଜନତା–ଫାଶୀର ତକ୍ତା ନିକଟକୁ ଯିବା ପରେ କେଉଁଠି ରହିବ ଏଇ ସଂସାର ଆଉ କେଉଁଠି ରହିବି ମୁଁ ?

 

କିଏ ହସିବ । କିଏ ଆନନ୍ଦରେ ତାଳି ମାରିବ । କିଏ ଚିତ୍କାର କରିବ । କିଏ ଜାଣେ ଏଇ ଦର୍ଶକମାନଙ୍କ ଭିତରୁ କେତେକ ଦିନେ ମୋ ପଥର ପଥିକ ନ ହେବେ ? ଆଜି ସେମାନେ ମୋ ତମାସା ଦେଖିବା ପାଇଁ ଆସିଛନ୍ତି–ଦିନେ ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟଜଣକ ତମାସା ଦେଖିବାକୁ ଯିବ ।

 

“ମେରୀ, ମୋ ମାଆ ।”

 

ନା, ସେ ତ ଆୟା ସାଙ୍ଗରେ ଚାଲିଗଲା । ଗାଡ଼ିର ଝରକା ବାଟେ ସେ ଏଇ ଦେଖଣାହାରିମାନଙ୍କ ଭିଡ଼ ନିଶ୍ଚୟ ଦେଖିବ । ହୁଏତ ଭାବିବ ଏଠି ନିଶ୍ଚୟ କୌଣସି ତମାସା ହେବ-। ଏଇ “ଭଲ ମଣିଷ” ତା’ର ମନେ ରହିବ ନାହିଁ । ସେ ଜାଣି ପାରିବ ନାହିଁ ଏଇ ‘ଭଲ ମଣିଷ’କୁ ଦେଖିବା ପାଇଁ ଏକ ତମାସା ହେଉଛି । ଆଉ ଏଇ ‘ଭଲ ମଣିଷ’ ଆଉ କିଏ ନୁହେଁ–ତା’ର ସେଇ ସ୍ୱର୍ଗତଃ ବାପା !

 

ତା’ପାଇଁ ମୁଁ ଲେଖିଯିବି । ଦିନେ ନା ଦିନେ ସେ ପଢ଼ି ବୁଝିବ । ପନ୍ଦରବର୍ଷ ପରେ ସେ ଆଜିର ଏଇ ମୁହୂର୍ତ୍ତ କଥା ଭାବି କାନ୍ଦିବ ।

 

ହଁ, ମୋର ସବୁକଥା ତା’ପାଇଁ ଲେଖିଯିବି । ମୋର କାହାଣୀ ଲେଖିଯିବି–ମୋ ଇତିହାସ–କାହିଁକି ଆଜି ଦେଶର ଛାତି ଉପରେ ରକ୍ତାକ୍ଷରରେ ମୋ ନାମ ଲେଖା ଯାଉଛି, ସେଇସବୁ କଥା ମୁଁ ଲେଖିଯିବି ।

 

-୨୬-

 

ମୀଲା ହୋଟେଲରୁ–

 

ମୀଲା ହୋଟେଲ । .....ମୁଁ ବର୍ତ୍ତମାନ ଏଠିକି ଆସିଛି । ଏଇ ସ୍ଥାନ–ଏହା ମୋର ସେଇ ଝରକା ତଳେ । ଅନେକ ଲୋକ ରୁଣ୍ଡ ହୋଇଛନ୍ତି । କିଏ ପାଟି କରୁଚି । କିଏ ସିଟି ମାରୁଚି–କିଏ ହସୁଛି ।

 

ସେଇ ଲାଲ ଖମ୍ୱୁକୁ ଦେଖି ଛାତି କମ୍ପି ଉଠୁଛି ।

 

କିଏ ଯାଉଛି ? ବୋଧହୁଏ ସମୟ ହୋଇଗଲା । ବର୍ତ୍ତମାନ ଆଉ ଡେରି ନାହିଁ । ସମୁଦାୟ ଦେହ କମ୍ପୁଛି । ଛ’ଟା ବେଳେ–ଛ’ମାସ ହେଲା ଯେଉଁ କଥାକୁ ମୁଁ ଭାବି ଆସିଛି, ସେଇ ମୁହୂର୍ତ୍ତ ଆସିଗଲା । କିନ୍ତୁ କି ଶୀଘ୍ର !

 

ସେମାନେ ମତେ ଆଣି ଗୋଟିଏ ଛୋଟ କୋଠରୀରେ ଠିଆ କରିଦେଲେ । ଝରକାର ରେଲିଂ ଦେଇ ଆକାଶ ଦେଖାଯାଉଥିଲା । ଚତୁର୍ଦ୍ଦିଗ କୁହୁଡ଼ିରେ ଆଚ୍ଛନ୍ନ । ମୁଁ ଚେଆର ଉପରେ ବସିପଡ଼ିଲି । ଆଉ ତିନିଜଣ ଲୋକ ମୋ ପାଖରେ ଥିଲେ । ପୁରୋହିତ ମଧ୍ୟ ଥିଲେ । ହଠାତ୍ ବାଳରେ ଲୁହାର ଥଣ୍ଡା ସ୍ପର୍ଶ ଅନୁଭବ କଲି । କତୁରୀର ଶବ୍ଦ । ମୋ ପାଦରେ ବାଳ ଆସି ପଡ଼ିଲା । ଟୁପ୍ ଟାପ୍ । ଦାଢ଼ି ସଫା ହୋଇଗଲା । ମୁହଁ ଟେକି ଚାହିଁଲି । କାଗଜ ପେନ୍‍ସିଲ ଧରି ଜଣେ ଲୋକ କ’ଣ ବୁଝୁଚି । ବୁଝିପାରିଲି ସେ ଜଣେ ଖବରକାଗଜ ପ୍ରତିନିଧି । କାଲିର ଖବରକାଗଜ ପାଇଁ “ଖବର” ଏକାଠି କରୁଚି । ଖବରକାଗଜବାଲାମାନଙ୍କ ପଞ୍ଚମ ବୃହସ୍ପତ୍ତି ! ଖବର ବଡ଼ ଜବର-!

 

ଦୁଇଜଣ ପ୍ରହରୀ ମୋ ହାତ ଧରି ଟାଣି ନେଲେ । ମୁଁ ପୁରୋହିତଙ୍କ ପଛେ ପଛେ ଚାଲିଲି ।

 

ବାହାରର ଦ୍ୱାର ଖୋଲିଗଲା ।

 

ବାହାରେ ଭୀଷଣ ଭିଡ଼ । ଚତୁର୍ଦ୍ଦିଗରୁ ଶୁଣାଗଲା, “ଏଇ, ଏଇ, ଏଇ ସେ ।” ସିପାହୀମାନେ ମୋ ଚାରିପାଖେ ଚାଲୁଥିଲେ । ରାଜକୀୟ ସମ୍ମାନରେ ମତେ ନେଇ ଯାଉଛନ୍ତି । ବାଃ–ବାଃ–ବାଃ ।

 

କିଏ ଜଣେ କହିଲା, “ନମସ୍କାର ।” ଆଉଜଣେ କିଏ କହିଲା, “ଦଣ୍ଡବତ ଆଜ୍ଞା ।”

 

ସ୍ତ୍ରୀଲୋକଟି କହିଲା, “ବିଚରା !”

 

ଜଣେ ଲୋକ କହିଲା, “ଟୋପି କାଢ଼ିଦିଅ, ସମ୍ମାନ ଦେଖାଅ ।’’ ମତେ ହସ ଲାଗିଲା । ଓଃ, ଏମାନେ ଟୋପି କାଢ଼ୁଛନ୍ତି, ମତେ ମୁଣ୍ଡ କାଢ଼ି ଦେବାକୁ ପଡ଼ିବ ।

 

ପୁରୋହିତଙ୍କ ହାତରୁ କ୍ରସ ନେଇ ମୁଁ ଛାତିରେ ଲଗାଇଲି । ଭକ୍ତି ଗଦ ଗଦ କଣ୍ଠରେ କହିଲି, “କ୍ଷମା କର ଭଗବାନ ! ତୁମେତ ପାପ ତାରଣ–ସ୍ତ୍ରୀମାନଙ୍କ ବନ୍ଧୁ !”

 

ନାରୀମାନଙ୍କ କରୁଣ ସମବେଦନାର ସ୍ୱର ଶୁଣାଗଲା । ମୋର ଏପରି କମ୍‍ ବୟସ ଦେଖି ସେମାନେ ମୋ’ପାଇଁ ଦୁଃଖ କରୁଥିଲେ ।

 

ହଠାତ୍ ମୁଁ କମ୍ପି ଉଠିଲି–ଆଗରେ ଫାଶୀର ତକ୍ତା । ଠନ୍ ଠନ୍ ହୋଇ ଚାରି ବାଜିଲା ।

Image